ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ପିପିଲି: ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ୨୦୧୯ରେ ଦଳର ପ୍ରାର୍ଥୀ ହୋଇଥିବା ଆଶ୍ରୀତ ପଟ୍ଟନାୟକଙ୍କୁ ବିଜେପି ପୁଣିଥରେ ଉପନିର୍ବାଚନରେ ପ୍ରାର୍ଥୀ କରିଛି। ଏ ନେଇ ରାଷ୍ଟ୍ରୀୟ କାର୍ଯ୍ୟାଳୟରୁ ବିଧିବଦ୍ଧ ଘୋଷଣା କରାଯାଇଛି। ଆଜି ନାମାଙ୍କନ ପତ୍ର ଦାଖଲ କରିବେ ଆଶ୍ରିତ ପଟ୍ଟନାୟକ। ଆଶ୍ରୀତ ଏବେ ବିଜେପିର ପୁରୀ ଜିଲ୍ଲା ସଭାପତି ଅଛନ୍ତି। କଂଗ୍ରେସ ଦଳରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ଆଶ୍ରୀତ ୨୦୧୪ ନିର୍ବାଚନ ପରେ ବିଜେପିରେ ସାମିଲ ହୋଇଥିଲେ। ୨୦୧୪ରେ ଆଶ୍ରୀତ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ୧୮ ହଜାର ଭୋଟ୍ ହାତେଇଥିଲେ। ପରେ ୨୦୧୯ରେ ବିଜେପି ତାଙ୍କୁ ଟିକେଟ୍ ଦେଇଥିଲା। ୨୦୧୯ରେ ଆଶ୍ରୀତ ୭୨ ହଜାର ୭୩୧ ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ବିଜେଡିର ପ୍ରଦୀପ ମହାରଥି ୮୮ ହଜାର ୫୧୮ ଖଣ୍ଡ ଭୋଟ୍ ପାଇ ୧ ନମ୍ବର ସ୍ଥାନରେ ରହିଥିଲେ। ଆସନ୍ତା ଏପ୍ରିଲ ୧୭ ତାରିଖରେ ପିପିଲିରେ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ, ମାର୍ଚ୍ଚ ୩୦ ତାରିଖ ରହିଛି ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ।