ବିକାଶ ଚୂଲିକୁ ଯାଉ, ରଙ୍ଗ ବଦଳା ଚାଲିଥାଉ: ସବୁ ସରକାରୀ ସଂସ୍ଥାକୁ ଏବେ ନିଜ ଦଳୀୟ ରଙ୍ଗ ଗେରୁଆ କରିବାରେ ବ୍ୟସ୍ତ ବିଜେପି

ଭୁବନେଶ୍ବର: ବିକାଶ ଚୂଲିକୁ ଯାଉ । ରଙ୍ଗ ବଦଳା ଚାଲିଥାଉ । ଏପରି ଆଭମୁଖ୍ୟ ନେଇ ସତେ ଯେମିତି ସରକାରକୁ ଆସିଛି ବିଜେପି । ଏପରି ହୀନ ଅଭିଯାନକୁ ପୂରିବାକୁ ବସିଲାଣି ୧୦ ମାସ । ହେଲେ ଶିକ୍ଷାଠୁ ସ୍ବାସ୍ଥ୍ୟେସବାକୁ ଭୁଲିଯାଇଛନ୍ତି ରାଜ୍ୟ ସରକାର । ସବୁ ସରକାରୀ ସଂସ୍ଥାକୁ ଏବେ ନିଜ ଦଳୀୟ ରଙ୍ଗ ଗେରୁଆ କରିବାରେ ବ୍ୟସ୍ତ ବିଜେପି । ପୂର୍ବରୁ ମୋ ବସ, ଓମ୍ଫେଡ଼ କ୍ଷୀର ପ୍ୟାକେଟ, ସରକାରୀ ହୋର୍ଡିଂ, ବସଷ୍ଟାଣ୍ଡ, ପାଚେରୀରେ ସରକାରୀ ବିଜ୍ଞାପନ ଆଦି ଗେରୁଆ ରଙ୍ଗରେ ରଙ୍ଗୀନ ହୋଇସାରିଛି । ଏବେ ସରକାରୀ ସ୍କୁଲର ପାଳି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି ବିଭିନ୍ନ ବର୍ଗ । ଖୋଦ ପ୍ରାଥମିକ ଶିକ୍ଷକ ସଂଘ ସରକାରଙ୍କ ଏଭଳି ରଙ୍ଗ ବଦଳା ଆଭିମୁଖ୍ୟକୁ କଡା ଭାଷାରେ ସମାଲୋଚନା କରିଛି । ବିଦ୍ୟାଳୟର ରଙ୍ଗ ବଦଳିଗଲେ କି ପୋଷାକ ବଦଳିଗଲେ ଗୁଣାତ୍ମକ ଶିକ୍ଷା ମିଳିବ ନାହିଁ। ରଙ୍ଗ ବଦଳିଲେ ଶିକ୍ଷାର କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ। ରଙ୍ଗ ପରିବର୍ତ୍ତନ କରିବାରେ ସରକାର ଯେତିକି ଅର୍ଥ ବ୍ୟୟ କରିବାକୁ ଯାଉଛନ୍ତି ସେହି ଅର୍ଥରେ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ବିଦ୍ୟାଳୟ ଭିତ୍ତିଭୂମି ସଜାଡିବା ତଥା ଅନ୍ୟାନ୍ୟ ଆଵଶ୍ୟକତା ପୂରଣ କରିବାକୁ ଦାବି କରିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ବିଜେପି ସରକାରର ଏହା କେବଳ ପିଲାଳିଆମି ଓ ବାଚାଳାମି ବୋଲି କହିବା ସହ ବର୍ଷିଛି ଓଡିଶା ସିଟିଜେନସ ଫୋରମ । ବିଜେପି ଏଥିରୁ କ୍ଷାନ୍ତ ରହୁ ନ ହେଲେ ଲୋକେ ତାଙ୍କୁ ବି କେତେବେଳେ ପରିବର୍ତ୍ତନ କରିଦେବେ ବୋଲି କହିଲେ ଫୋରମ ସଭାପତି ଚିନ୍ମୟ ଦାସ।
ସ୍କୁଲର ରଙ୍ଗ ପରିବର୍ତ୍ତନ ନିଷ୍ପତ୍ତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଶିକ୍ଷାବିତ । ରାଜ୍ୟର ଶିକ୍ଷା ତୃଣମୂଳ ସ୍ତରରୁ ଧ୍ବଂସଗାମୀ ହେଉଛି । ସେତିକିବେଳେ ଶିକ୍ଷା ବ୍ୟବସ୍ଥା ନ ସଜାଡ଼ି କୋଠାବାଡ଼ି ରଙ୍ଗ ବଦଳାଇବାରେ ଲାଗିଛନ୍ତି ସରକାର। ଯାହାକି ଆଦୌ ଗ୍ରହଣୀୟ ନୁହେଁ। ଏହାକୁ କସମେଟିକ ସଂସ୍କାର ବା ବାହ୍ୟ ସଂସ୍କାର ବୋଲି କହିଛନ୍ତି ଶିକ୍ଷାବିତ । ରାଜ୍ୟରେ ଏବେ ବି ବହୁ ବିଦ୍ୟାଳୟରେ ଗଛ ତଳେ ପାଠପଢା ହେଉଛି। ଗଛପତ୍ରର ରଙ୍ଗ ନୀଳ। ଯଦି ସରକାର ଚାହୁଁଛନ୍ତି ଏହାକୁ ବି ଗେରୁଆ ରଙ୍ଗ କରିଦିଅନ୍ତୁ ବୋଲି କଟାକ୍ଷ କରିଛି ଓଡିଶା ଅଭିଭାବକ ମହାସଂଘ । ପିଲାଙ୍କୁ ରଙ୍ଗ ଆଗ ଦରକାର ନା ଶୈକ୍ଷିକ ଉପକରଣ ଆଗ ଦରକାର ବୋଲି ପ୍ରଶ୍ନ କରିଛି ମହାସଂଘ। ….
ସେପଟେ ରାଜନୈତିକ ଦଳର ପ୍ରମୁଖ ନେତାମାନେ ସରକାରଙ୍କୁ ରଙ୍ଗ ବଦଳା ସରକାର ଆଖ୍ୟା ଦେଇଛନ୍ତି। ରଙ୍ଗ ବଦଳାଇବା କାର୍ଯ୍ୟ ପୈତୃକ ସମ୍ପତ୍ତିରେ ନୁହେଁ ବରଂ ଲୋକଙ୍କ ଟିକସ ପଇସାରେ କରାଯାଉଛି। ତେଣୁ ଲୋକଙ୍କ ଅର୍ଥକୁ ଏଭଳି ଅଯଥା ଖର୍ଚ୍ଚ ନ କରି ରାଜ୍ୟର ପ୍ରକୃତ ବିକାଶ ଦିଗରେ ଖର୍ଚ୍ଚ କରିବାକୁ ଦାବି ହୋଇଛି। ସେପଟେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ବିତଣ୍ଡା ଯୁକ୍ତି, ସ୍କୁଲକୁ ଆକର୍ଷଣୀୟ କରିବା ପାଇଁ ବଦଳା ଗଲା ରଙ୍ଗ । ଏବେ ପ୍ରଶ୍ନ ଉଠୁଛି କେଉଁଠୁ ଆସିବ ବଜେଟ ? ରାଜ୍ୟରେ ଦରଦାମ, ବେକାରୀ ସମସ୍ୟା ବୃଦ୍ଧି ସହ ସରକାରଙ୍କ ପ୍ରତିଶୃତି ପ୍ରତାରଣାକୁ ନେଇ ବିଭିନ୍ନ ବର୍ଗ ଆନ୍ଦୋଳନକୁ ଓହ୍ଲାଉଥିବା ଦେଖିବାକୁ ମିଳୁଛି । ସେସବୁର ସମାଧାନ ନକରି ଏଭଳି ରଙ୍ଗ ଓ ନାଁ ପରିବର୍ତ୍ତନ ବିରୋଧରେ ଜନ ଅସନ୍ତୋଷ ତେଜିବାରେ ଲାଗିଛି।