ସରକାର ଗଠନର ୩୦୦ ଦିନ ପରେ ଲୋକଙ୍କୁ ମିଳିଛି ପ୍ରତାରଣା

1 min read

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶୃତି ୧୦୦ ଦିନରେ ପାଳନ ହେବ । ଏବେ ୩୦୦ ଦିନ ପୂରିଲାଣି ବିକାଶ ବଦଳରେ ଲୋକଙ୍କୁ ମିଳିଛି ଖାଲି ପ୍ରତାରଣା । ଡବଲ ଇଞ୍ଜିନ ସରକାରଙ୍କ ବମ୍ପର ବିଫଳତାର ଲମ୍ବା ତାଲିକା ଦେଇଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ବା ଫୋକସ ଷ୍ଟେଟ୍ ମାନ୍ୟତା ମିଳିବା ତ ଦୂର କଥା । ନବୀନ ସରକାରରେ ଯାହା ମିଳୁଥିଲା କେନ୍ଦ୍ରୀୟ ଅନୁଦାନ ତା ବି ମୋହନ ସରକାର ଅମଳରେ କଟିଲାଣି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣରେ ଘେରିଛନ୍ତି ବିରୋଧୀ । ଓଡ଼ିଆ ଅସ୍ମିତାକୁ ତିଳତିଳ କରି ଅପମାନ କରାଯାଉଥିବାବେଳେ ସରକାର ଚିରାଚରିତ ଭାବେ ପୁରୁଣା ସରକାରକୁ ଟାର୍ଗେଟ କରି ବିକାଶର ଦିଗକୁ ଏଡ଼ାଇଚାଲିଛନ୍ତି ।

ଓଡ଼ିଆ ଅସ୍ମିତା ଓଡ଼ିଆ ଅସ୍ମିତା । ଏ ଥିଲା ନିର୍ବାଚନ ପୂର୍ବରୁ ବିଜେପିର ନାରା । ଏହି ନାରା ଦେଇ କ୍ଷମତାକୁ ଆସିଲା ବିଜେପି । ଜୁନ ୧୨ରେ ସରକାର କ୍ଷମତା ଦଖଲ କଲେ । ୧୦୦ ଦିନରେ ଓଡ଼ିଶାର ବିକାଶକୁ ନୂଆ ଦିଶା ଦେବା ପାଇଁ ପ୍ରତିଶୃତି ଦେଇଥିଲେ ମୋହନ ମାଝୀ ସରକାର । ଏବେ ୩୦୦ ଦିନ ପୂରିଲାଣି । କୁଆଡ଼େ ଗଲା ବିକାଶ ? କୁଆଡ଼େ ଗଲା ସୁପ୍ରଶାସନ? ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ।

୨୦୩୬ରେ ସ୍ଵତନ୍ତ୍ର ଓଡିଶା ଗଠନର ଶହେ ବର୍ଷ ପୂରିବ । ଓଡିଶାକୁ ବିକଶିତ ରାଜ୍ୟ ଭାବେ ଗଢି ତୋଳIଯିବ । ଏପରି ଡିଣ୍ଡିମ ପିଟିଚାଲିଛନ୍ତି ରାଜ୍ୟ ସରକାର । କେମିତି ଓ କଣ ରହିବ ରୋଡ ମ୍ୟାପ୍ ? ଆଗାମୀ ୪ ବର୍ଷର ରୋଡମ୍ୟାପ ଦାବି କରିଛି ବିଜେଡି । ଲଗାତର ଭାବେ କେନ୍ଦ୍ର ଅବହେଳାର ଶିକାର ହୋଇଆସୁଛି ଓଡ଼ିଶା । ରାଜ୍ୟକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ବା ଫୋକସ ଷ୍ଟେଟ୍ ମାନ୍ୟତା ପାଇଁ ବିଜୁ ଜନତା ଦଳ ଦାବି କରିଆସୁଛି । ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେପି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ପ୍ରତିଶ୍ରୁତି ଦେଇଥିଲା । ହେଲେ ଏ ଯାଏ ପ୍ରତିଶ୍ରୁତି ପାଳନ କରିନି । ଆନ୍ଧ୍ର ପ୍ରଦେଶ ଓ ବିହାର ପରି ସ୍ଵତନ୍ତ୍ର ଅନୁଦାନ ବି ରାଜ୍ୟକୁ ମିଳିଲାନି । ସୁଭଦ୍ରା ଯୋଜନାରେ ଏକକାଳୀନ ୫୦ ହଜାର ମିଳିଲାନି କି ସମସ୍ତଙ୍କୁ ଅତିରିକ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳିଲା ନାହିଁ । ହେଲେ ରାଜ୍ୟ ବିଜେପି ସରକାରଙ୍କ ମୁହଁ ଚୁପ୍ । ମହାନଦୀ କି ପୋଲାଭରମ ସମସ୍ୟାର ସମାଧାନ ହେଉନି । ୟୁପି ମଡେଲ ଆପଣାଇବା ଆବଶ୍ୟକତା କଣ ଅନୁଭବ କଲା ବିଜେପି? ଚାଷୀ, ମହିଳା, ଆଦିବାସୀ, ଶ୍ରମିକ କାହାର ବି ଏ ସରକାର ଉପରେ ଆସ୍ଥା ନାହିଁ । କାରଣ ଆଇନଶୃଂଖଳା ବିଗିଡ଼ିବା ସହ ନାରୀ ଓ ଶିଶୁ ନିର୍ଯାତନା ଚରମ ସୀମାରେ ପହଞ୍ଚିଛି । ସରକାର କୋଉ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ତାର ହିସାବ ଦେବାକୁ ବିରୋଧୀ ଦାବି କରିଛନ୍ତି । ଅଭିଯୋଗ କରିଛନ୍ତି ନିଜ ଦୁର୍ବଳତା ଘୋଡ଼ାଇବାକୁ ଯାଇ ଦୋଷ ଠେଲାକୁ ଆୟୁଧ କରିଛନ୍ତି ।

ସରକାରଙ୍କ ଏପରି ଯୁକ୍ତିକୁ ନାପସନ୍ଦ କରିଛନ୍ତି ରାଜନୀତି ସମୀକ୍ଷକ । ୧୦ ମାସ କମ ସମୟ ନୁହେଁ । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଅଧିକାରୀଙ୍କ ଭିତରେ ସମନ୍ବୟ ରହୁନି । ପ୍ରଶାସନିକ ଅଧିକାରୀ ପଦ ଖାଲି ପଡ଼ିଛି । ଓଡ଼ିଆ କ୍ୟାଡର ଅଫିସରମାନଙ୍କୁ କେନ୍ଦ୍ର ଡେପୁଟେସନରେ ଯିବାକୁ ରାଜ୍ୟ ସରକାର କିପରି ଅନୁମତି ଦେଉଛନ୍ତି ? ଜଣେ ଲେଖାଏଁ ଅଧିକାରୀ ଏକାଧିକ ବିଭାଗର ଦାୟିତ୍ବରେ ରହୁଥିବାରୁ ଜନସେବା ବାଧାପ୍ରାପ୍ତ ହେଉଛି । ପ୍ରଶାସନ ଗତିଶୀଳ ହୋଇପାରୁ ନଥିବାରୁ ସରକାର ବିଫଳତା ମୁଣ୍ଡାଉଥିବା ଅଭିଯୋଗ ହୋଇଛି ।

ବସ୍ତାନି ବଡ଼ । ପାଠ ଘର ଶୂନ । ବଜେଟ୍ ଆକାର ବଢୁଛି । ହେଲେ ନୂଆ ଯୋଜନା ପରିବର୍ତ୍ତେ ପୁରୁଣା ଯୋଜନାର ରଙ୍ଗ ଓ ନାଁ ପରିବର୍ତ୍ତନ କରି ସରକାର ଚାଲିଛି । ଯେଉଁଥିପାଇଁ ଗତ ୧୦ ମାସ ସରକାରଙ୍କ ବିକାଶ ମଡେଲ୍ ଆଖଦୃଶିଆ ହୋଇପାରୁନଥିବା ଚର୍ଚ୍ଚା ହେଉଛି ।