କଣାସ ହଇଜା ମୃତ୍ୟୁରୁ ଚେତିଲାନି ସରକାର, ଏବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଛି

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଅଣାୟତ ହଇଜା । ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଡେଉଁଛି ଝାଡାବାନ୍ତି ରୋଗ । ଆକ୍ରାନ୍ତଙ୍କ ସଂଖ୍ୟା ବି ବଢ଼ିଚାଲିଛି । ଯାହାକୁ ନେଇ ବର୍ଷିଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ । ଚଳିତବର୍ଷ ଜାନୁଆରୀ ମାସରେ କଣାସରେ ହଇଜା ମୃତ୍ୟୁ ସରକାରଙ୍କ ପାଇଁ ସତର୍କ ଥିଲା । କିନ୍ତୁ ସରକାର କୌଣସି ପଦକ୍ଷେପ ନ ନେବାରୁ ଆଜି ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି । ସେପଟେ ଆଜିର ଦିନରେ ଓଡ଼ିଶାରେ ହଇଜା ଜନିତ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ସରକାରଙ୍କ ବିରୋଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସେପଟେ ମନ୍ତ୍ରୀଙ୍କ କହିବା କଥା ସରକାର ଡାଇରିଆ ସ୍ଥିତିକୁ ଗୁରୁତର ସହ ନେଉଛନ୍ତି ।
୫ ମାସ ତଳେ କଣାସରେ ହଇଜା ହେଲା । ୭ ଜଣ ମରିଥିବା ନେଇ ଅଭିଯୋଗ ହୋଇଛି । ଦୂଷିତ ପାଣି ଯୋଗୁଁ ହଇଜା ହୋଇଥିଲା । ସରକାରଙ୍କ ଅବହେଳା ନେଇ ମାମଲା ରାଜ୍ୟମାନବାଧୀକାର କମିଶନରେ ବିଚାରାଧୀନ ଅଛି । ହେଲେ ଏ ସରକାର ଟିକିଏ ବି ଚେତିଲେନି । ଏବେ ଯାଜପୁରଠୁ ଆରମ୍ଭ କରି ୧୫ ଜିଲ୍ଲା ବ୍ୟାପିଲାଣି ଝାଡ଼ାବାନ୍ତି ଓ ହଇଜା ସଂକ୍ରମଣ । ଖୋଦ ଯାଜପୁରରେ ହଇଜାରେ ୫ ଜଣଙ୍କ ଜୀବନ ଯାଇଥିବା ସ୍ବାସ୍ଥ୍ୟ ବିଭାଗ ପୁଷ୍ଟି କରିଛି । ବେସରକାରୀ ଭାବେ ଦୁଇଅଙ୍କ ଛୁଇଁଛି ମୃତକଙ୍କ ସଂଖ୍ୟା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟରେ ବଢୁଛି ଜନ ଅସନ୍ତୋଷ । ଉତ୍ତର ଓଡ଼ିଶାରେ ବନ୍ୟାସ୍ଥିତି ସୁଧୁରିଥିବା ବେଳେ ଡାଇରିଆ ସଂକ୍ରମଣ ଆଶଙ୍କା ଆହୁରି ବଢାଇ ଦେଇଛି । ଖୋଦ କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ସ୍ଥିତି ଦିନକୁ ଦିନ ବୃଦ୍ଧି ପାଇଲାଣି । ଏବେ ସୁଦ୍ଧା ୩୫୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୩୫ ଜଣ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହଇଜା ଓ ଝାଡ଼ାବାନ୍ତି ଜିଲ୍ଲା ପରେ ଜିଲ୍ଲା ଡେଉଁଛି । ଅଥଚ ରାଜ୍ୟ ସରକାର ବାସ୍ତବତା ଲୁଚାଉଥିବା ଅଭିଯୋଗ ହୋଇଛି । କଣାସ ହଇଜାର କାରଣ ଥିଲା ଦୂଷିତ ପାଣି । ଏବେ ବି ସମାନ କାରଣ ଯୋଗୁଁ ଲୋକେ ସଂକ୍ରମିତ ହୋଇଛନ୍ତି । ଆଜି ଯାଜପୁର ଅତିରିକ୍ତ ଜିଲ୍ଲାପାଳ, ବଡ଼ଚଣା ବିଡ଼ିଓ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ପହଞ୍ଚି ସ୍ଥିତି ପରଖିଛନ୍ତି ।
ଗତ ଜାନୁଆରୀ ୨ ତାରିଖରେ ପୁରୀ ଜିଲ୍ଲା କଣାସରେ ହଇଜାରେ ଆକ୍ରାନ୍ତ ହେଲେ ଲୋକେ । ୪୦୦ରୁ ଅଧିକ ଲୋକ ଆକ୍ରାନ୍ତ ହେଲେ । ୭ ଜଣଙ୍କ ମୁଣ୍ଡ ନେଲା ହଇଜା । ସେତେବେଳେ ପାନୀୟ ଜଳର ସ୍ବଚ୍ଛତା ଉପରେ ସରକାର ଗୁରୁତ୍ବ ଦେଇଥିଲେ ଏଭଳି ଦୁଃସ୍ଥିତି ଭୋଗିବାକୁ ପଡି ନ ଥାଆନ୍ତା ବୋଲି କହିଛନ୍ତି ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂ । କଂଗ୍ରେସ ଅଭିଯୋଗ କରିଛି, ବିଜେପି ସରକାରଙ୍କ ବର୍ଷେ ଭିତରେ ଏକାଧିକ ଝାଡ଼ାବାନ୍ତି ଘଟଣା ଘଟିଲାଣି । କଣାସ ଘଟଣାକୁ ଗୁରୁତ୍ବ ଦେଇଥିଲେ ଆଜି ଏଭଳି ହଇଜା ସ୍ଥିତି ଦେଖିବାକୁ ମିଳି ନଥାନ୍ତା । ସଂକ୍ରମଣ ରୋକିବାକୁ ସରକାର କଡ଼ା ପଦକ୍ଷେପ ନ ନେଲେ ଆଗକୁ ଆନ୍ଦୋଳନ କରାଯିବା ।
ଆଗକୁ ରଥଯାତ୍ରା ଥିବାରୁ ହଇଜାକୁ ନେଇ ଚିନ୍ତା ବଢିଛି । ଲକ୍ଷଲକ୍ଷ ଲୋକଙ୍କ ସମାଗମ ପୁରୀରେ ହେବାକୁ ଥିବାରୁ ଏହାକୁ ନିୟନ୍ତ୍ରଣ କରିବା ମୁଖ୍ୟ ଚ୍ୟାଲେଞ୍ଜ ହୋଇପାରେ ।