ନବୀନ ସରକାରଙ୍କ ନିଷ୍ପତ୍ତିକୁ କପି ପେଷ୍ଟ କରୁଛି ବିଜେପି ସରକାର

ଭୁବନେଶ୍ବର: ବର୍ତ୍ତମାନର ବିଜେପି ସରକାର ନିଜର କିଛି ଯୋଜନା କରିପାରୁ ନାହାନ୍ତି କି ? ନୂଆ ସରକାରର କ୍ଯାବିନେଟ ନିଷ୍ପତ୍ତି ଦେଖିଲେ ତ ସେମିତି ଲାଗୁଛି । ଶ୍ରମିକଙ୍କ ମଜୁରୀ ବୃଦ୍ଧି ହେଉ କି ଯୋଜନା ଭିତ୍ତିକ କନିଷ୍ଠ ଶିକ୍ଷକ ନିଯୁକ୍ତି, ମୋହନ ଚରଣ ମାଝୀ ସରକାରର କ୍ଯାବିନେଟ ଯେଉଁ ପ୍ରସ୍ତାବ ଉପରେ ମୋହର ମାରିଛି, ସେଗୁଡ଼ିକ ପ୍ରକୃତରେ ନବୀନ ପଟ୍ଟନାୟକ ସରକାରଙ୍କ ନିଷ୍ପତ୍ତି । ବିରୋଧୀ ଆସନରେ ଥିବା ବେଳେ ବିଜେପି ଯୋଜନା ଭିତ୍ତିକ ଓ ଚୁକ୍ତି ଭିତ୍ତିକ ନିଯୁକ୍ତ ଉଚ୍ଛେଦ ପାଇଁ ଦାବି କରୁଥିଲା । ହେଲେ ଏବେ ନିଜେ କ୍ଷମତାକୁ ଆସିବା ପରେ ସେହି ଯୋଜନା ଭିତ୍ତିକ ନିଷ୍ପତ୍ତିକୁ ପ୍ରତ୍ଯାହାର କରିପାରିଲେ ନାହିଁ କି ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ନୂଆ ନିଯୁକ୍ତି ଦେଇପାରି ନାହାନ୍ତି । ଏହାକୁ ନେଇ ଯୋଗ୍ଯ ପ୍ରାର୍ଥୀଙ୍କଠାରୁ ଆରମ୍ଭ କରି ବିରୋଧୀମାନେ ରାଜ୍ଯ ସରକାରଙ୍କୁ ଘେରିଛନ୍ତି ।

ନବୀନ ସରକାରଙ୍କ ନିଷ୍ପତ୍ତିକୁ କେବଳ  କପି ପେଷ୍ଟ କରିଛନ୍ତି ଏବର ରାଜ୍ଯ ସରକାର । ଗତକାଲି କ୍ୟାବିନେଟରେ ୨୦ ହଜାର ଯୋଜନା ଭିତ୍ତିକ କନିଷ୍ଠ ଶିକ୍ଷକ ନିଯୁକ୍ତି ଉପରେ ଯେଉଁ ମୋହର ମରାଯାଇଛି ତାହା ନୂଆ ନିଯୁକ୍ତି ନୁହେଁ । ୭ ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନ ପଟ୍ଟନାୟକ ଯେଉଁ କନିଷ୍ଠ ଶିକ୍ଷକ ଯୋଜନା ଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିଲେ, ଏହା ହେଉଛି ସେହି ଶିକ୍ଷକ ପଦବୀ । ଭଲ ପ୍ରଦର୍ଶନ କରିଥିଲେ ନିଯୁକ୍ତିର ୩ ବର୍ଷ ପରେ ଯୋଜନା ଭିତ୍ତିକ ଉଠିଥାନ୍ତା ଓ ଲଗାତର ୬ ବର୍ଷର ଉତ୍ତମ ପ୍ରଦର୍ଶନ ପରେ ନିୟମିତ ହୋଇଥାନ୍ତେ ଶିକ୍ଷକ ।

ଏହି ଯୋଜନାକୁ ସେତେବେଳେ ବିରୋଧୀ ଦଳରେ ଥିବା ବିଜେପି ଜୋରଦାର ବିରୋଧ କରିଥିଲା । ଯୋଜନା ଭିତ୍ତିକ ଓ ଚୁକ୍ତି ଭିତ୍ତିକ ଉଚ୍ଛେଦ ଦାବିରେ ପ୍ରତିବାଦ କରିଥିଲା । ଏହାରି ଭିତରେ ୨୦୨୩ ନଭେମ୍ବର ସୁଦ୍ଧା ସିବିଟି ମାଧ୍ୟମରେ ପରୀକ୍ଷା କରାଯାଇଥିଲା । ଦୁଇ ମାସ ପରେ ବାହାରିଥିଲା ରେଜଲ୍ଟ । ଏଥିରେ ୧୮ ହଜାର ୭୮୮ ଜଣ ଯୋଗ୍ୟ ବିବେଚିତ ହୋଇଥିଲେ । ଏହା ଏପରି ରାଜନୈତିକ ମୋଡ଼ ନେଇଥିଲା ଯେ, ହାଇକୋର୍ଟକୁ କଥା ଯାଇଥିଲା ଓ ଯୋଗ୍ୟ ତାଲିକା ଉପରେ ଲାଗିଥିଲା ରୋକ । ଏହାରି ଭିତରେ ନୂତନ ଶିକ୍ଷକ ନିଯୁକ୍ତି କରି ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଲା ବିଜେପି । ହେଲେ କୌଣସି ନୂଆ ଶିକ୍ଷକ ନିଯୁକ୍ତି ଦେଲେନି ସରକାର । କେବଳ ପୂର୍ବ ୧୮ ହଜାର ୭୮୮ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାକୁ ହାଇକୋର୍ଟ ଯେଉଁ ଅର୍ଡର ଦେଇଛନ୍ତି, ତାକୁ ହିଁ ରାଜ୍ୟ ସରକାର କ୍ୟାବିନେଟରେ ପାସ୍ କରିଛନ୍ତି । ବିଦ୍ଯାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡ ମଧ୍ଯ ଏହି ଶିକ୍ଷକ ନିଯୁକ୍ତି ପୁରୁଣା ସରକାରଙ୍କ ଯୋଜନା ବୋଲି ପରୋକ୍ଷରେ ସ୍ବୀକାର କରିଛନ୍ତି ।

କ୍ଷମତାକୁ ଆସିବା ପାଇଁ ଆଶାୟୀ ଶିକ୍ଷକ ପ୍ରାର୍ଥୀଙ୍କୁ ବି ସ୍ଥାୟୀ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିଲା ବିଜେପି । ହେଲେ ତାହା ନ କରିବାରୁ ସେମାନେ ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରି ପୁରୁଣା ବଦଳରେ ସ୍ଥାୟୀ ନିଯୁକ୍ତି ପାଇଁ ସେମାନେ ଦାବି କରିଛନ୍ତି । ସେମାନଙ୍କ ଦାବିରେ ସ୍ଵର ମିଶାଇଛନ୍ତି ବିଜେଡି ଓ କଂଗ୍ରେସ ।

ଶିକ୍ଷକ ନିଯୁକ୍ତିରେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରାଜ୍ଯ ସରକାରଙ୍କ ମୋହର ବାଜିଛି । ହେଲେ ପୂର୍ବ ସରକାରରୁ ହିଁ ଏହି ନିଯୁକ୍ତିର ରୂପରେଖ ଓ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏପରି ସ୍ଥିତିରେ ଶିକ୍ଷକଙ୍କ ନିଯୁକ୍ତିକୁ ଏକ ପ୍ରମୁଖ ମୁଦ୍ଦା କରି ନିର୍ବାଚନ ଲଢିଥିବା ବିଜେପି ସରକାରଙ୍କ ଆଭିମୁଖ୍ୟକୁ ଅନାଇ ବସିଛନ୍ତି ଯୋଗ୍ୟ ପ୍ରାର୍ଥୀ ।