ନବୀନ ଲଗାଇଥିବା ଗଛରୁ ଏବେ ଫଳ ତୋଳୁଛନ୍ତି ରାଜ୍ୟ ବିଜେପି ସରକାର
1 min read
ଭୁବନେଶ୍ବର: ଏକ ନିଅଣ୍ଟିଆ ରାଜ୍ୟକୁ ବଳକା ରାଜ୍ୟରେ ପରିଣତ କରିଥିଲେ ନବୀନ ସରକାର । ନବୀନ ପଟ୍ଟନାୟକ ଲଗାଇଥିବା ବିକାଶର ଦ୍ରୁମରୁ ଏବେ ଫଳ ତୋଳୁଛନ୍ତି ବିଜେପି ସରକାର । ୨୪ ବର୍ଷର ସ୍ଥିର ସରକାରରେ ରାଜ୍ୟ ଅଭିବୃଦ୍ଧି ଆଗଉଥିଲା । କିନ୍ତୁ ୮ ମାସର ମୋହନ ସରକାରରେ ଏହା ତଳ ମୁହାଁ ହୋଇଛି । ଆସନ୍ତାକାଲି ବିଧାନସଭାରେ ବଜେଟ ଆସିଥିବାକୁ ଥିବା ବେଳେ ଅର୍ଥନୈତିକ ସର୍ଭେ ରିପୋର୍ଟରେ ନିଜର ଅପାରଗତାର ପ୍ରମାଣ ଦେଇଛନ୍ତି ରାଜ୍ଯ ସରକାର। କିନ୍ତୁ ମନ୍ତ୍ରୀ ବାହାବା ନେବା ଭୁଲୁ ନାହାନ୍ତି । ବିରୋଧୀ କଟାକ୍ଷ କରି କହିଛନ୍ତି ‘ଜଗତେ କେବଳ ଜନେ ହସିବ’ ।
ବିକାଶରେ ଲାଗିଲା ବ୍ରେକ୍ । ୮ ମାସର ଡବଲ ଇଞ୍ଜିନ ସରକାରରେ ରାଜ୍ୟର ଅଭିବୃଦ୍ଧି ହାର ୮.୫ ପ୍ରତିଶତରୁ ୭.୨ ପ୍ରତିଶତକୁ ଖସିଛି । ଅଭାବୀ ରାଜ୍ୟକୁ ପ୍ରଭାବୀ ରାଜ୍ୟରେ ପରିଣତ କରିଥିଲେ ପୂର୍ବର ନବୀନ ସରକାର । କିନ୍ତୁ ବିଜେପି ସରକାର କ୍ଷମତାକୁ ଆସିବା ପରେ ତାକୁ ସମ୍ଭାଳି ପାରିନାହାନ୍ତି । ଅର୍ଥନୈତିକ ସର୍ଭେ ରିପୋର୍ଟରୁ ସରକାରଙ୍କ ପାରିବା ପଣିଆ ଧରାପଡ଼ିଛି । ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ନବୀନ ଯେଉଁ ସବୁ ଯୋଜନା କରିଥିଲେ, ସେସବୁର ଯୋଜନାର ରଙ୍ଗ ବଦଳାଇ, ପ୍ରଚାର କରି ତାକୁ ନିଜର ସଫଳତା ବୋଲି ସରକାର ଦର୍ଶାଇଛନ୍ତି । ଏପରି ଅଭିଯୋଗ କରିଛନ୍ତି ବିରୋଧୀ ।
କୃଷି, ଶିଳ୍ପ, ଶିକ୍ଷା, ଆବାସ ଏପରିକି ଅନୁସୂଚିତ ଜାତି ଓ ଜନଜାତି ବିକାଶ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ବଜେଟ୍ ହ୍ରାସ କରିଛନ୍ତି ବିଜେପି ସରକାର । ବିଜେଡି ଅଭିଯୋଗ କରିଛି, ଦେଶର ସବୁଠୁ ଦ୍ରୁତ ଆର୍ଥିକ ଉନ୍ନତି କରୁଥିବା ଓଡ଼ିଶାକୁ ପୂର୍ବ ସରକାରଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ପାଇ ମଧ୍ଯ ବିଜେପି ସରକାର ଦିଶାହୀନ ହୋଇଛନ୍ତି । ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ଥିବାରୁ ନୂଆ ଯୋଜନା ହାତକୁ ନେଇପାରୁଛନ୍ତି ରାଜ୍ୟ ସରକାର ।
ସେପଟେ କଂଗ୍ରେସର ଅଭିଯୋଗ, ଓଡ଼ିଶାର ବିକାଶ କଥା କହି ବାହାବା ନେବାକୁ ଚେଷ୍ଟା କଲେ ଏବର ସରକାରଙ୍କୁ ଜନେ ହସିବେ । କିନ୍ତୁ ମନ୍ତ୍ରୀମାନେ ସରକାରଙ୍କ ସଫଳତାର ଗୁଣଗାନ କରି ଚାଲିଛନ୍ତି ।
ବିଜେଡି ସରକାର ସମୟରେ ରାଜ୍ୟ କେବେ ବି ରାଜସ୍ବ ନିଅଣ୍ଟିଆ ସ୍ଥିତିରେ ନଥିଲେ । ଏ ସରକାର ଆସୁ ଆସୁ ରାଜସ୍ବ ନିଅଣ୍ଟ ସ୍ଥିତିକୁ ଆସିଲେଣି । ୯ ଲକ୍ଷ ୮୮ ହଜାର କୋଟି ଟଙ୍କାର ରାଜସ୍ବ ନିଅଣ୍ଟ ହେବ ବୋଲି ଷୋଡ଼ଶ ଅର୍ଥ କମିଶନଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ହିସାବ ଦେଇଛନ୍ତି । ଏହାର ଅର୍ଥ ରାଜ୍ୟ ଏବେଠୁ ନିଅଣ୍ଟିଆ ସ୍ଥିତି ଆଡ଼କୁ ଗଲାଣି ।
ପୂର୍ବରୁ ଆର୍ଥିକ ସୁପରିଚାଳନାରେ ଓଡ଼ିଶା ଏକ ନମ୍ବର ବୋଲି ନୀତି ଆୟୋଗ ଓ କେନ୍ଦ୍ର ସରକାର ବହୁ ବାର ମୋହର ମାରିଥିଲେ । ଏବେ ମୁଣ୍ଡ ପିଛା ଆୟ ବଢିଛି ବୋଲି ରାଜ୍ୟ ସରକାର ଯେଉଁ ବାହାବା ନେଉଛନ୍ତି, ସେଇଟା କେବଳ ନବୀନ ସରକାରଙ୍କ ଯୋଗୁଁ ସମ୍ଭବ ହୋଇପାରିଛି । ରାଜ୍ୟରେ ବିଜେପି ସରକାରକୁ ତ ବର୍ଷେ ପୂରିନି ତା’ହେଲେ ମୁଣ୍ଡପିଛା ଆୟ ନେଇ ହିସାବ ପାଇଲେ କେମିତି ? ଶ୍ରେୟ ନେବାକୁ ଏବର ସରକାର ଯଦି ଏତେ ତରବର ତା’ହେଲେ ରାଜ୍ୟରେ ଦରଦାମ ବୃଦ୍ଧି ଶ୍ରେୟ କାହିଁକି ନେଉ ନାହାନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।
ଆସନ୍ତା ୧୭ ତାରିଖରେ ରାଜ୍ୟ ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବେ । ସୂଚନା ଅନୁସାରେ ଏଥରକ ବଜେଟ୍ ୨ ଲକ୍ଷ ୮୦ ହଜାର କୋଟି ଟଙ୍କା ଛୁଇଁପାରେ । କିନ୍ତୁ ସହରଠୁ ଗାଁ, କେଉଁଠି ବି କିଛି କାମ ହେଉନି । ୨୦୨୪-୨୫ ଆର୍ଥିକ ବର୍ଷରେ ୪୦ ହଜାରରୁ ଅଧିକ ଋଣ କରିବାକୁ ପଡ଼ିଥିଲା । ରାଜସ୍ବ ବୃଦ୍ଧି ଉପରେ ଫୋକସ ନ କରି ଏଥରକ ବି ଆୟ ଉତ୍ସ ଭାବେ ରାଜ୍ୟ ସରକାର ଋଣକୁ ଭରସା କରିବେ ବୋଲି ସମୀକ୍ଷକ ଆକଳନ କରୁଛନ୍ତି ।