ବିଜୁ ବାବୁଙ୍କୁ ଅପମାନ, କ୍ଷମା ଦେବେନି ଓଡ଼ିଶାବାସୀ: ମାନସ ମଙ୍ଗରାଜ

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ପ୍ରସଙ୍ଗରେ ବିଜେଡି ସାଂସଦ ମାନସ ମଙ୍ଗରାଜ ପ୍ରତିକ୍ରିୟା ରଖିଛନ୍ତି । ମାଟିର ପୁଅ ବିଜୁ ବାବୁଙ୍କ ପ୍ରତି ଅସମ୍ମାନକୁ ଓଡ଼ିଶାବାସୀ କ୍ଷମା କରିବେ ନାହିଁ । ୧୯୯୧ ମସିହାରେ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଓଡ଼ିଶା ପ୍ରଥମ ଭାରତୀୟ ରାଜ୍ୟ ଥିଲା ଯେଉଁଠାରେ ପଞ୍ଚାୟତିରାଜ ପ୍ରତିଷ୍ଠାନରେ ଏକତୃତୀୟାଂଶ ଆସନ ସଂରକ୍ଷଣ କରାଯାଇଥିଲା।
ବିଜୁ ପଟ୍ଟନାୟକ ସରକାର ୩ଟି ଗୁରୁତ୍ୱପୂର୍ଣ୍ଣ ଆଇନ ପାସ୍ କରିଥିଲେ । ଓଡ଼ିଶା ଗ୍ରାମ ପଞ୍ଚାୟତ (ସଂଶୋଧନ) ଆଇନ, ଓଡ଼ିଶା ପଞ୍ଚାୟତ ସମିତି (ସଂଶୋଧନ) ଆଇନ ଏବଂ ଓଡ଼ିଶା ଜିଲ୍ଲା ପରିଷଦ (ସଂଶୋଧନ) ଆଇନ । ଏହା ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ପ୍ରଦାନ କରିଥିଲା । ୧୯୯୧ ମସିହାରେ ପଞ୍ଚାୟତିରାଜ ବ୍ୟବସ୍ଥା ଅଧୀନରେ ୨୮ ହଜାର ୬୯ ଜଣ ମହିଳା ସଦସ୍ୟ ନିର୍ବାଚିତ ହୋଇଥିଲେ । କେନ୍ଦ୍ର ସରକାର ଏହି ମଡେଲକୁ ଅନୁସରଣ କରିଥିଲେ ଏବଂ ୧୯୯୨ ମସିହାରେ ୭୩ତମ ସଂଶୋଧନ ଆକାରରେ ସଂସ୍କାର ଆଣିଥିଲେ ।
ଏହି କାରଣରୁ ବିଜୁ ପଟ୍ଟନାୟକ ସମ୍ମାନ ପାଇବାକୁ ଯୋଗ୍ୟ ଏବଂ ତାଙ୍କ ଜନ୍ମବାର୍ଷିକୀ ମାର୍ଚ୍ଚ ୫କୁ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରାଯାଉଥିଲା । ଏହାକୁ ପରିବର୍ତ୍ତନ କରି, ଓଡ଼ିଶା ସରକାର କିମ୍ବଦନ୍ତୀ ନାୟକଙ୍କ ପ୍ରତି ଘୋର ଅନ୍ୟାୟ କରିଛନ୍ତି ବୋଲି କହିଛନ୍ତି ସାଂସଦ ମଙ୍ଗରାଜ ।