ଦିନକ ମଧ୍ୟରେ ସମାଧାନ ନହେଲେ, ଆଉ ମିଳିବନି ଆଳୁ !

1 min read

ଭୁବନେଶ୍ବର: ରାଜ୍ୟରେ ଆଳୁ ଦର କମିବାର ନାଁ ଧରୁନି । କିଲୋ ପିଛା ଦର ୬୦ ଟପିଲାଣି । ଖୁଚୁରା ଦୋକାନରେ ଦର ଉପରେ ନିୟନ୍ତ୍ରଣ ନାହିଁ । ରାଜ୍ୟ ସରକାର କେତେ ବେଳେ କ’ଣ କହୁଛନ୍ତି ତା’ର ଠିକଣା ନାହିଁ । ପଶ୍ଚିମବଙ୍ଗ ସହ ଆଳୁ ସମସ୍ୟାର ସମାଧାନ ନ କରି କେତେ ବେଳେ ଉତ୍ତରପ୍ରଦେଶରୁ ତ କେତେ ବେଳେ ନାଫେଡ ଜରିଆରେ ଆଳୁ ବିକିବାକୁ କହୁଛନ୍ତି । ଉତ୍ତରପ୍ରଦେଶରୁ ଆଳୁ ଆଣି ଓଡିଶା ମାର୍କେଟରେ ବିକିବା ଯୋଜନା ତ ଫେଲ ମାରିଲା । ଦିନକ ମଧ୍ୟରେ ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଓଡିଶା ହାଟରେ ଆଉ ଆଳୁ ମିଳିବନି ।

ବେପାରୀଙ୍କ ପାଖରେ ନାହିଁ ଆଳୁ । ଯାହା ପାଖରେ ଅଳ୍ପ କିଛି ଅଛି, ଦର ଆଖି ତରାଟି ଦେଲା ଭଳି । ଖାଉଟିଙ୍କୁ କ୍ଷୁବ୍ଧ କରିଛି ଆଳୁ ଦର । କହୁଛନ୍ତି- ବିଜେପି ସରକାରକୁ ଆସିବା ପରେ ସବୁ କ୍ଷେତ୍ରରେ ଦର ବଢୁଛି । ପୂର୍ବ ସରକାରରେ ଦରଦାମ ନିୟନ୍ତ୍ରଣରେ ଥିଲା । ନୂଆ ସରକାର ଦରଦାମ କମାଇବାକୁ ପ୍ରତିଶୃତି ଦେଇଥିଲେ ବି ଦିନକୁ ଦିନ ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢୁଛି । ଭୁବନେଶ୍ବରର ପ୍ରମୁଖ ହାଟରେ ୬୦ ଟଙ୍କାରେ ଆଳୁ ବିକ୍ରି ହେଉଛି । କାରଣ ମାର୍କେଟରେ ଆଉ ଆଳୁ ନାହିଁ ବୋଲି କହୁଛନ୍ତି ବେପାରୀ ।

ରାଜଧାନୀ ଭଳି ବଲାଙ୍ଗୀର ହାଲ ବି ସମାନ । ବଜାରରେ ଆଳୁ ରେଟ୍ ୫୦ ପ୍ଲସ୍ । ଦର ଦେଖି ବ୍ୟବସାୟୀଙ୍କ ସହ ଖାଉଟି ବି ଅସନ୍ତୁଷ୍ଟ । ଡବଲ ଇଂଜିନ ସରକାର ଦର କମାଇବା ପରିବର୍ତ୍ତେ ବଜାରକୁ ଅସନ୍ତୁଳିତ କରିଥିବା ଅଭିଯୋଗ କରିଛନ୍ତି ଉଭୟ ବ୍ୟବସାୟୀ ଏବଂ ଖାଉଟି ।

କଟକ ଓ ରାଉରକେଲା ସ୍ଥିତି ନକହିବା ଭଲ । ଦର ୫୦ ଟପିଲାଣି । ଅଚ୍ଛେ ଦିନର ସ୍ବପ୍ନ ଦେଖାଇଥିବା ସରକାରଙ୍କ ଆଳୁ ଦୋଷକୁ ନେଇ ଖାଉଟି କରୁଛନ୍ତି କଡା ସମାଲୋଚନା ।

ସେପଟେ ରାଜ୍ଯ ସରକାର ଆଳୁ ସଂକଟର ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି । ନାଫେଡଠାରୁ ଆଳୁ କିଣି ଖାଉଟିଙ୍କୁ କିଲୋ ପିଛା ୩୦ ଟଙ୍କାରେ ଯୋଗାଇ ଦେବେ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହାଦ୍ୱାରା ଖାଉଟିଙ୍କୁ ସୁଲଭ ଦରରେ ଆଳୁ ଉପଲବ୍ଧ କରାଇବା ସହ ରାଜ୍ୟରେ ଆଳୁ ସଙ୍କଟ ଦୂର ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ତିନି ଶହ ମେଟ୍ରିକ ଟନ ଆଳୁ ପାଇଁ ନାଫେଡ ମାଧ୍ୟମରେ ଅର୍ଡର କରାଯାଇଛି । ଆଗାମୀ ଦୁଇ ଦିନ ମଧ୍ୟରେ ରାଜ୍ୟରେ ଏହା ଉପଲବ୍ଧ ହେବ ।  ଏହାକୁ ବିକିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।