ବାତ୍ୟା ପରିଚାଳନା ବାହାବା ନେବାକୁ ବ୍ୟସ୍ତ ରାଜ୍ୟ ସରକାରଙ୍କ ମୁଖା ଖୋଲିଲା ବିଜେଡି
1 min readଭୁବନେଶ୍ବର: ବାତ୍ୟା ପରିଚାଳନାର ବାହାବା ନେବାରେ ବ୍ୟସ୍ତ ରାଜ୍ୟ ସରକାରଙ୍କ ମୁଖା ଖୋଲି ଦେଇଛି ବିଜେଡି । ଲୋକଙ୍କ ପାଖରେ ନା ପହଞ୍ଚିଛି ରିଲିଫ ନା ମିଳିଛି ସହାୟତା । ବାତ୍ୟାର ଆକାର ବି ଛୋଟ ଥିଲେ ବି ଏହାକୁ ବଡ଼ ଦେଖାଇ ଶ୍ରେୟ ନେବାକୁ ରାଜ୍ୟ ସରକାର ଚେଷ୍ଟା କରିଥିବା ଦଳ କରିଛି ଅଭିଯୋଗ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ରୋଲ ମଡେଲ ନବୀନ ପଟ୍ଟନାୟକଙ୍କ ସହ ନିଜକୁ ତୁଳନା କରି କାମ କରିବାକୁ ଚେଷ୍ଟା କରି ଫେଲ ମାରିଥିବା ମୋହନ ସରକାର ହେଉଛନ୍ତି ଲୋକହସା । ବାତ୍ୟା ସହାୟତା, ସ୍ଥାନାନ୍ତର ପରି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କଠାରୁ ଶ୍ବେତପତ୍ର ଦାବି କରିଛି ବିଜେଡି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସାରା ବିଶ୍ବରେ ସୁନାମ ଅର୍ଜନ କରିଛନ୍ତି । ଖାସ କରି ନବୀନଙ୍କ ଜିରୋ କାଜୁଆଲଟି ନୀତି ସଫଳ ପରିଚାଳନାର ଉଦାହରଣ ପାଲଟିଛି । ବର୍ତ୍ତମାନର ସରକାର ‘ଦାନା’ ବାତ୍ୟାରେ ଜିରୋ କାଜୁଆଲଟି ଦାବି କରୁଛି । ହେଲେ କେନ୍ଦ୍ରାପଡ଼ା ରାଜନଗରରେ ୩ ଜଣ ଓ କେନ୍ଦୁଝର ଟାମ୍ପଲାରେ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନା ବିଫଳତାକୁ ଲୋକଲୋଚନକୁ ଆଣିଛି ବିଜେଡି । ୧୫ ଦିନରୁ ଅଧିକ ହେଲା ବାତ୍ଯା ସମ୍ପର୍କରେ ସୂଚନା ସତ୍ତ୍ବେ ସରକାର ମୁକାବିଲା ପ୍ରସ୍ତୁତି କରିପାରିଲେ ନାହିଁ । ଯେଉଁଥି ପାଇଁ ସରକାର ଲୋକହସାର ପାତ୍ର ହୋଇଛନ୍ତି ।
୨୪ ବର୍ଷରେ ନବୀନ ଅନେକ ଭୟଙ୍କର ବାତ୍ୟାର ସାମ୍ନା ଜିରୋ କାଜୁଆଲଟି ସହ କରିଛନ୍ତି । ନବୀନଙ୍କ ମଡେଲକୁ ଜାତିସଂଘ ବି ପ୍ରଶଂସା କରିଥିଲା । ୧୯୯୯ରେ ମାତ୍ର ୨୩ ବହୁମୁଖୀ ଆଶ୍ରସ୍ଥଳୀ ଥିଲା । ହେଲେ ନବୀନକଙ୍କ ସମୟରେ ଏହା ୯୦୦କୁ ବୃଦ୍ଧି ପାଇଥିଲା । ବାତ୍ଯା ୟସରେ ୧୮୫ କି.ମି. ବେଗରେ ପବନ ଆସିଥିଲା । ବାତ୍ଯା ୟସ ବେଳେ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ତେଣୁ ବାତ୍ଯା ଦାନାରେ କେତେ ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି ତାହାର ସତ୍ଯ ସରକାର ସାମ୍ନାକୁ ଆଣନ୍ତୁ ବୋଲି ବିଜେଡି ଦାବି କରିଛି ।
ବିଜେପି ସରକାରକୁ ବାତ୍ୟା ପ୍ରସ୍ତୁତି କରିବାକୁ ଯଥେଷ୍ଟ ସମୟ ମିଳିଥିଲା । ହେଲେ ଏ ଅବ୍ୟବସ୍ଥାର କାରଣ କ’ଣ ବୋଲି ବିଜେଡି ପ୍ରଶ୍ନ କରିଛି । ବିଜେଡି କର୍ମୀ ଗ୍ରାଉଣ୍ଡରେ ସେବା ପାଇଁ ଅଛନ୍ତି ଓ ରହିବେ । ଏଯାଏଁ ଶଂଖ ଭବନ ହେଲ୍ପଲାଇନକୁ ୨୭୦୦ ଫୋନ କଲ୍ ଆସିଛି । ସେହି ଗ୍ରାଉଣ୍ଡ ରିପୋର୍ଟ କହୁଛି ଅନେକ ଲୋକ ଆଶ୍ରୟସ୍ଥଳୀରେ ପହଞ୍ଚି ପାରିଲେ ନାହିଁ । ଏପରି ସ୍ଥିତିରେ ସକରାରଙ୍କ ପ୍ରାକ୍-ପ୍ରସ୍ତୁତି କାଠଗଡ଼ାରେ ଠିଆ ହୋଇଛି ।
ସେହିପରି ଦଳୀୟ ଆଧାରରେ ବିଜେପି ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଗୁରୁତର ଅଭିଯୋଗ ଆଣିଛି ବିଜେଡି । ଖାଦ୍ୟ ନଥିବାରୁ ଆଶ୍ରୟସ୍ଥଳୀରୁ ଲୋକେ ପଳାଉଥିଲେ । ଶେଷ ସମୟରେ ୫ଟି ସ୍କୁଲକୁ ଆଶ୍ରୟସ୍ଥଳୀ କରାଗଲା । ନୀଳଗିରିରେ ବାତ୍ୟା ଆଶ୍ରୟସ୍ଥଳୀ ଭାଙ୍ଗି ଥିବାରୁ ଅଙ୍ଗନବାଡି ସେଣ୍ଟରରେ ଲୋକେ ରହିଲେ । ମନ୍ତ୍ରୀ ବାହା ବାହା ନେବାକୁ ବୁଲିଲେ । ହେଲେ ସଠିକ୍ ଲୋକଙ୍କୁ ନେଇ ସମୀକ୍ଷା ବୈଠକ କଲେନି । ସେମାନେ ନିଜ ଦଳୀୟ ନେତାଙ୍କୁ ନେଇ ସମୀକ୍ଷା ବୈଠକ କଲେ । ନବୀନଙ୍କ ସମୟରେ ମକଡ୍ରିଲ କରାଯାଉଥିଲା ଆଶ୍ରୟସ୍ଥଳୀରେ । ଯାହା ଜରିଆରେ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ବିଜେପି ସରକାର ନବୀନ ପଟ୍ଟନାୟକଙ୍କ ବାତ୍ୟା ପରିଚାଳନା ଏସଓପି ପଢନ୍ତୁ ବୋଲି ବିଜେଡି ମତ ରଖିଛି । ତେବେ ବିଜେଡି ଅଭିଯୋଗର ଉତ୍ତର ରଖିଛି ବିଜେପି ।
ନବୀନ ପଟ୍ଟନାୟକଙ୍କ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନୀତିକୁ ଜାତୀୟ ସ୍ତରରୁ ବି ସ୍ବୀକୃତି ମିଳୁଛି । ଯେତେ ବଡ଼ ଝଡ଼ କି ବାତ୍ୟା ଆସେ, ତାହା ନବୀନଙ୍କ ଦୂରଦୃଷ୍ଟି ଚିନ୍ତାଧାରା ଯୋଗୁଁ ମୁକାବିଲା କରି ହୁଏ । ଏହା ସଠିକ୍ ଚିନ୍ତାଧାରା ଓ ଟିମଓ୍ବର୍କର ପରିଣାମ । କାରଣ ପୂରା ଟିମର ବିଶ୍ବାସ ଥାଏ ଯେ ନବୀନ ନିଜ ପାଇଁ ନୁହେଁ ସମସ୍ତଙ୍କ ପାଇଁ ଏହି କାମ କରୁଛନ୍ତି ।