ରାଜନୀତି ପଶାପାଲିରେ ପରୀ ମୋହରା, ବିଜେପି ଭୁଲିଗଲା ନୈତିକତା

ଭୁବନେଶ୍ୱର: ରାଜନୀତି ପଶାପାଲିରେ ପରୀ । ପରୀ ନ୍ୟାୟ କେମିତି ପାଇବ ସେଥିପାଇଁ ଚିନ୍ତା ନାହିଁ  । କିନ୍ତୁ ମାଇଲେଜ୍ ନେବାକୁ ବିଜେପିର ହୀନ ରାଜନୀତି ଆରମ୍ଭ ହୋଇଯାଇଛି । ପରୀ ମାମଲାକୁ ଅସ୍ତ୍ର କରି ନିଜ ରାଜନୀତିକ ରୁଟି ସେକିବା ପାଇଁ ଉଦ୍ୟମ କରୁଛି । ନୟାଗଡ଼ ପରୀ ମୃତ୍ୟୁ ଘଟଣା ଏକ ସ୍ପର୍ଶକାତର ଘଟଣା । ଏହାର ନିରପେକ୍ଷ ତଦନ୍ତ ପାଇଁ ଏସ୍‌ଆଇଟି ଗଠନ ହୋଇଛି । ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସ୍‌ଆଇଟି ତଦନ୍ତ ଆରମ୍ଭ କରିଛି । ହେଲେ ପରୀ ମୃତ୍ୟୁ ଘଟଣାକୁ ନେଇ ରାଜନୀତି କରିବାକୁ ବାହାରିଛି ବିଜେପି ।

ବିଜେପିର ଏକ ପ୍ରତିନିଧି ଦଳ ଆଜି ପରୀର ଗାଁକୁ ଯାଉଛନ୍ତି । ଉତ୍ତରପ୍ରଦେଶ ହାଥ୍‌ରସ୍‌ ଘଟଣାକୁ ଯଦି ଉଦାହରଣ ଭାବେ ନିଆଯାଏ, ତାହେଲେ ପରୀ ଘଟଣାରେ ମଧ୍ୟ ବିଜେପି ଘଟଣାସ୍ଥଳକୁ ନଯାଇ ତଦନ୍ତରେ ସହଯୋଗ କରିବା କଥା । ଉତ୍ତରପ୍ରଦେଶର ଯୋଗୀ ସରକାର ଘଟଣାସ୍ଥଳକୁ କେହି ଯିବା ଉପରେ ନିଷେଧାଦେଶ ଜାରି କରିଥିଲେ । ହେଲେ ଏଠି ପରୀ ମାମଲାରେ ବିଜେପି କେବଳ ରାଜନୀତି କରିବା ପାଇଁ ନୟାଗଡ଼ ଯାଉଥିବା ଯୋଗୁଁ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏଠି ପ୍ରଶ୍ନ ଉଠୁଛି ଟିକିରି ଓ କୁନ୍ଦୁଲି ମାମଲାରେ ରାଜ୍ୟ ସରକାର ଏସଆଇଟି ତଦନ୍ତ ବସାଇଥିଲେ  । ଏହାସତ୍ତ୍ୱେ ବିରୋଧୀ ସିବିଆଇ ତଦନ୍ତ ଦାବି କରିଥିଲା  । ସରକାର ତାହାକୁ ମଧ୍ୟ ସେତେବେଳେ ମାନିନେଇଥିଲେ  । ହେଲେ ଫଳ ବାହାରିଥିଲା ଶୂନ  । ଏସଆଇଟି ତଦନ୍ତରୁ ନିଷ୍କର୍ସ ଯାହା ବାହାରିଥିଲା ସିବିଆଇ ମଧ୍ୟ ସେଇଠି ପହଞ୍ଚି କ୍ଲୋଜର ରିପୋର୍ଟ ଦେଇଥିଲା  । ଏଥିରୁ ସ୍ପଷ୍ଟ ପ୍ରତ୍ୟୟମାନ ହେଉଛି ଯେ, ତଦନ୍ତର ଦିଗ ସଠିକ ରହିଲେ ଏସଆଇଟି ହେଉ କି ସିବିଆଇ ତଦନ୍ତ ସମାନ ରେଜଲ୍ଟ ଆଣିଥାଏ  । ଅନ୍ୟପଟେ ବିଜେପିର ନୟାଗଡ଼ ମାର୍ଚ୍ଚକୁ ବିଜେପି ଭିତରେ କିଛି ବରିଷ୍ଠ ନେତା ମଧ୍ୟ ଏହାକୁ ନାପସନ୍ଦ କରୁଥିବା ଶୁଣିବାକୁ ମିଳୁଛି ।

Leave a Reply