ବିଜେପି ବିଧାୟକ ଦଳ ବୈଠକରେ ବିଧାୟକଙ୍କ ଅସନ୍ତୋଷ, ପଦାରେ ପଡ଼ିଲା ଦଳୀୟ କନ୍ଦଳ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ବିଜେପିରେ ବଢୁଛି ଅସନ୍ତୋଷ। ବିଧାୟକ ଦଳ ବୈଠକରେ ସରକାଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ଶାସକ ଦଳର ବିଧାୟକ। ସବୁ କାମ ଧିରେ ଧିରେ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଥିବାବେଳେ ରାଜ୍ୟ ସଭାପତି ବିଧାୟକଙ୍କ ଉପରେ ବର୍ଷିଥିବା ଜଣାପଡ଼ିଛି। ବିଧାୟକ ହେବାର ଇଚ୍ଛା ନାହିଁ ଯଦି ଇସ୍ତଫା ଦେଇଦିଅନ୍ତୁ ବୋଲି ଚରମବାଣୀ ଶୁଣାଇଥିବା ଚର୍ଚ୍ଚା ହେଉଛି। ଏପଟେ ବିଜେପିର ରାଜ୍ୟ ସଭାପତି ଚୟନକୁ ନେଇ ତାରିଖ ପରେ ତାରିଖ ବଦଳି ଚାଲିଛି। ଜାନୁଆରୀ ୧୫ ସୁଦ୍ଧା ସଭାପତି ଚୟନ ପାଇଁ ଟାର୍ଗେଟ ରଖାଯାଇଥିବା ବେଳେ ଫେବୃଆରୀ ୧୪ ହେଲାଣି ନିଷ୍ପତ୍ତି ହୋଇପାରୁନି। ରାଜ୍ୟ କାର୍ଯ୍ୟାଳୟରେ ଦ୍ବନ୍ଦ ଦୂର ପାଇଁ ବସିଛି କୋର୍ କମିଟି ବୈଠକ।

ବିଜେପି ବିଧାୟକ ଦଳ ବୈଠକରେ ବିଧାୟକଙ୍କ ଅସନ୍ତୋଷ। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ସାମ୍ନାରେ ବିଧାୟକ କହିଲେ ମନର ବ୍ୟଥା। ୮ ମାସ ହେଲାଣି କିଛି କାମ ହେଉନି। ସରକାରୀ ଅଧିକାରୀ ଆମ କଥା ଶୁଣୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଶ୍ବାସନା ଦେଇ ଅସନ୍ତୋଷ ଚପାଇବାକୁ ଉଦ୍ୟମ କରିଛନ୍ତି। ତେବେ ବିଧାୟକଙ୍କ ବ୍ୟବହାରରେ ରାଗିଯାଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ଯେଉଁମାନେ ଅସନ୍ତୁଷ୍ଟ ସେମାନେ ଇସ୍ତଫା ଦେଇଦିଅନ୍ତୁ। ଉପ ନିର୍ବାଚନ କରି ଆଉ କାହାକୁ ବିଧାୟକ କରିବୁ ବୋଲି ସଭାପତିଙ୍କ ଚରମବାଣୀକୁ ନେଇ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହୋଇଛି। ଯଦିଓ ଏହାକୁ ଖୋଲଖୋଲି କୌଣସି ବିଧାୟକ ସ୍ବୀକାର କରିନାହାନ୍ତି, ହେଲେ ମନର କ୍ଷୋଭକୁ ସ୍ପଷ୍ଟ କରିଛନ୍ତି ।

ସରକାର ପରିଚାଳନାରେ ଶାସନ ଦଳ ବିଧାୟକ ନିଜର ଅସନ୍ତୋଷ ଜଣାଇଥିବା ବେଳେ ବିଜେପି ସଙ୍ଗଠନରେ ମଧ୍ୟ ସମାନ ଅବସ୍ଥା।ରାଜ୍ୟ ସଭାପତି ଚୟନରେ ଅହେତୁକ ବିଳମ୍ବ ଦଳ ଭିତରେ ଥିବା ଅସନ୍ତୋଷକୁ ପଦାରେ ପକାଇଛି। ୩୭ ସାଙ୍ଗଠନିକ ଜିଲ୍ଲାରୁ ୨୩ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଥିବା ବେଳେ ତୃଣମୂଳ ସ୍ତରରେ ବିବାଦରୁ ୧୪ ଜିଲ୍ଲାରେ ସଭାପତି ନେଇ ସହମତି ହୋଇପାରୁନି। ଜାନୁଆରୀ ୧୫ ସୁଦ୍ଧା ରାଜ୍ୟ ସଭାପତି ନିର୍ବାଚନ ସାରିବାକୁ ଟାର୍ଗେଟ ରହିଥିଲା। ହେଲେ ଏଯାଏଁ କିଛି ଚୂଡ଼ାନ୍ତ ହୋଇପାରୁନି। ରାଜ୍ୟ ବିଜେପିରେ ଥିବା ବିଭିନ୍ନ ଗୋଷ୍ଠୀର କନ୍ଦଳ ଅଧିକ ବ୍ୟାପୁଥିବାରୁ ପରବର୍ତ୍ତୀ ସଭାପତିଙ୍କୁ ନେଇ ନିଷ୍ପତ୍ତି ହୋଇପାରୁନାହିଁ। ଦ୍ବନ୍ଦ ଦୂର ପାଇଁ ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ କୋର କମିଟି ବୈଠକ ବସି ସମାଧାର ବାଟ ବାହାର କରିବାକୁ ଉଦ୍ୟମ ହୋଇଛି। ବୈଠକରେ ସରକାରଙ୍କ ଗତିବିଧି, ସାଂଗଠନିକ ନିର୍ବାଚନ ସହ ନିଗମ ନିଯୁକ୍ତି ବାବଦରେ ମଧ୍ଯ ଚର୍ଚ୍ଚା ହୋଇଛି। ରାଜ୍ୟ ସଭାପତି ନିର୍ବାଚନ ଖୁବ୍ ଶୀଘ୍ର ହେବ ବୋଲି ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି। ସରକାରକୁ ଆସିଥିବାରୁ ନେତା ଓ କର୍ମୀଙ୍କ କ୍ଷମତା ସହ ଆଶା ବଢିଥିବାରୁ ସଭାପତି ଚୟନ ବିଳମ୍ବ ହେଉଛି ବୋଲି ସମୀକ୍ଷକ ମତ ରଖିଛନ୍ତି।

ସଙ୍ଗଠନରେ ଦ୍ବନ୍ଦ, ସରକାରରେ ଅସନ୍ତୋଷ। ଜିଲ୍ଲା ସ୍ତରରେ ଗୋଷ୍ଠୀ କନ୍ଦଳ, ରାଜ୍ୟ ସ୍ତରରେ ଅନ୍ତଃନ୍ଦ୍ଵନ୍ଦ୍ଵ ବିଜେପିକୁ ଅକଳରେ ପକାଇଛି। ସରକାରଙ୍କ କାର୍ଯ୍ୟଧାରାରେ ବିଧାୟକ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ସାଙ୍ଗଠନିକ ସ୍ତରରେ ରାଜ୍ୟ ସଭାପତି ନିର୍ବାଚନ ବିଳମ୍ବ ନେଇ ଦଳ ଭିତରେ କନ୍ଦଳ ଥିବା କଥା ସ୍ପଷ୍ଟ ହୋଇଛି।

ନଜର ପକାନ୍ତୁ