ରାଜନେତାଙ୍କ ହାଇପ୍ରୋଫାଇଲ ଡ୍ରାମା, ପରୀ ବାପା-ମାଆଙ୍କୁ ହାଇଜାକ କରି ଚାଲିଛି ଶସ୍ତା ରାଜନୀତି
ନୟାଗଡ଼: ପରୀ ମୃତ୍ୟୁ ନେଇ ଥମିବାର ନା ନେଉନାହିଁ ରାଜନୀତି । ହୀନ ରାଜନୀତି କରିବାକୁ ବି ପଛାଉନାହାନ୍ତି ବିଜେପି ନେତା । ପରୀ ମୃତ୍ୟୁକୁ ରାଜନୈତିକ ପ୍ରସଙ୍ଗ କରି ମାଇଲେଜ ନେବାକୁ ଯୋଜନା ଚଳାଇଛି ବିଜେପି । ନୟାଗଡ ସହରରେ ଅନିର୍ଦ୍ଧିଷ୍ଟ କାଳର ଧାରଣାରେ ବିଜେପି ପରୀ ବାପା ମାଙ୍କୁ ବି ବସାଇଛି । ପରୀର ବାପା ମାଆଙ୍କୁ ହାଇଜାକ କରି ନିଜର ଏଜେଣ୍ଡା ଚଳାଇଛି ବିଜେପି । ପରୀକୁ ନ୍ୟାୟ ଦେବା ନାଁରେ ଏଭଳି ନାଟକବାଜି ଚଳାଇଛି ଦଳ । ଏସଆଇଟି ତଦନ୍ତ କରୁଥିବାବେଳେ ତାଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ନଉଠାଇ ସହଯୋଗ କରିବାକୁ ନୟାଗଡବାସୀ କହିଛନ୍ତି ।
ପରୀକୁ ନ୍ୟାୟ ଦେବା ଆଳରେ ବିରୋଧି ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରଚାର ପ୍ରସାର ଚଳାଇଛନ୍ତି । ମାଇଲେଜ ନେବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ପ୍ରତିଯୋଗୀତା । କିଏ ଧାରଣା ଦେଉଛି ତ କିଏ ଦଳୀୟ ସମାବେଶ କରୁଛି । ପଦଯାତ୍ରା ପାଇଁ ବି ବିଜେପି ସଜବାଜ ହେଲାଣି । ଏସବୁ ଘଟଣାରେ ଯଦୁପୁର ଗ୍ରାମବାସୀ ଅତିଷ୍ଟ ହୋଇପଡିଲେଣି । ରାଜନେତା ଆସୁଛନ୍ତି ଯାଉଛନ୍ତି । ହୋ ହଲ୍ଲା କରି ନିର୍ବାଚନ ଭଳି ପ୍ରଚାର ପ୍ରସାର କରୁଛନ୍ତି । ଏଭଳି ନାଟକବାଜିରେ ପରୀକୁ ନ୍ୟାୟ ମିଳିବ ନାହିଁ ବୋଲି ଯଦୁପୁର ଗ୍ରାମବାସୀ କହିଛନ୍ତି ।
ପରୀ ଦୁଷ୍କର୍ମକାରୀ ତଥା ହତ୍ୟାକାରୀ ପାଖରେ ପହଞ୍ଚିସାରିଛି ଏସଆଇଟି । ଖୁବ ଶୀଘ୍ର ଅଭିଯୁକ୍ତର ଅସଲମୁଖା ବି ଖୋଲିଯିବ । ଗଳାଫାଟି ଚିତ୍କାର କରୁଥିବା ବିରୋଧି ଦଳର ନେତା ବୋଧ ହୁଏ ଏହି ଡରରେ ରହିଛନ୍ତି । କାରଣ ସତ ଜଣାପଡିଲେ ବିରୋଧିଙ୍କ ପାଖରେ ନଥିବ ଏହି ମିଛ କାହାଣୀର ପ୍ରସଙ୍ଗ ।