କ୍ରିମିନାଲମାନଙ୍କୁ ବିଜେପି ସବୁବେଳେ ସମର୍ଥନ କରି ଆସୁଛି: ସସ୍ମିତ ପାତ୍ର

1 min read

ଭୁବନେଶ୍ୱର: ବାରମ୍ବାର ଗୁଣ୍ଡାଗର୍ଦ୍ଦି କରୁଥିବା ଖୋର୍ଦ୍ଧାର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ବିଜେପି ସମର୍ଥନ କରିଥିବାରୁ, ବିଶେଷ କରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୋଲାଖୋଲି ପ୍ରଶାନ୍ତଙ୍କ ସପକ୍ଷରେ ବାହାରି ଥିବାରୁ କଡ଼ା ସମାଲୋଚନା କରିଛି ବିଜେଡି ।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଇଏ ସେଇ ପ୍ରଶାନ୍ତ ଜଗଦେବ ଯିଏ କି ବାଣପୁରରେ ବିଜେପି କର୍ମୀଙ୍କ ଉପରେ ଗାଡି ଚଢ଼ାଇ ଦେଇଥିଲେ। ବିଜେପିର ଜଣେ ନେତାଙ୍କୁ ମାଡ଼ ମାରିଥିଲେ । ସେ ସମୟରେ ବିଜେପି ନେତାମାନେ କେତେ କଥା କହିଥିଲେ। ଏପରିକି ନିଜେ ଅପରାଜିତା ଷଡ଼ଙ୍ଗୀ କହିଥିଲେ, ପ୍ରଶାନ୍ତ ଜଗଦେବଙ୍କ ସ୍ଥାନ ଜେଲରେ। ଏବେ ତାଙ୍କୁ ପୁଣି କେଉଁ ମୁହଁରେ ଅପରାଜିତା ସମର୍ଥନ କରୁଛନ୍ତି ବୋଲି ସିଧା ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଶାନ୍ତଙ୍କ ପାଇଁ ସାରା ଦେଶରେ ଓଡ଼ିଶା ନିନ୍ଦିତ ହେଉଛି। ତେବେ କାହିଁକି ବିଜେପି ପ୍ରଶାନ୍ତଙ୍କୁ କୋଳେଇ ନେଇ ପ୍ରାର୍ଥୀ କରିଛି ବୋଲି ପଚାରିଛନ୍ତି ସସ୍ମିତ। ସସ୍ମିତ ଏହା ବି ମନେ ପକାଇ ଦେଇଛନ୍ତି ଯେ, ପ୍ରଶାନ୍ତଙ୍କୁ NSAରେ ଗିରଫ କରିବାକୁ ସେତେବେଳେ ଦାବି କରିଥିଲେ ପୃଥ୍ବୀରାଜ ହରିଚନ୍ଦନ। ମୋହନ ମାଝୀ ବି ପ୍ରଶାନ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ବିଜେଡି ତ ବହିଷ୍କାର କରିଥିଲା। ତେବେ ବିଜେପି କାହିଁକି ପ୍ରଶାନ୍ତ ଜଗଦେବଙ୍କୁ କୋଳେଇ ନେଇ ଏମଏଲଏ ଟିକଟ ଦେଇଥିଲା, ଏବେ ପୁଣି ତାଙ୍କର ହିଂସାକାଣ୍ତ ସତ୍ତ୍ବେ କାହିଁକି ବିଜେପି ସମର୍ଥନ କରୁଛି ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର।

ସେହିପରି ଜମି ଦଖଲ କରିଥିବା, ବାହାମାସ୍ ସ୍କାଣ୍ଡାଲରେ ସଂପୃକ୍ତ ଥିବା ବୈଜୟନ୍ତ ପଣ୍ଡା ଓ ଟାଟାରେ ଚାକିରି କରାଇ ଦେବାକୁ କହି ଗଂଜାମର ଯୁବକଙ୍କୁ ଠକିଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ଯ ପୋଷ୍ଟର ବୟ କରିଥିବାରୁ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ସସ୍ମିତ ପାତ୍ର। କଟକର ଗ୍ଯାଙ୍ଗଷ୍ଟର ବ୍ରଦର୍ସ ଧଳସାମନ୍ତଙ୍କୁ କଟକର ବାଇମୁଣ୍ଡି ବୋଲି ବିଜେପି କହିଥିବାର ସସ୍ମିତ ପାତ୍ର ମନେ ପକାଇ ଦେଇଛନ୍ତି । କ୍ରିମିନାଲମାନଙ୍କୁ ବିଜେପି ସବୁବେଳେ ସମର୍ଥନ କରି ଆସୁଛି । ଏଥିପାଇଁ ବିଜେପିକୁ ଲଜ୍ଜା ଲାଗିବା କଥା ଏବଂ ଏଥିପାଇଁ ବିଜେପି ଓଡ଼ିଶାରେ ବାରମ୍ବାର ହାରୁଛି ବୋଲି କହିଛନ୍ତି ସସ୍ମିତ ପାତ୍ର।