ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ନନ୍ଦିଘୋଷ ବ୍ୟୁରୋ:ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା । ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି । ବାରଣାସୀରୁ ତୃତୀୟଥର ଲାଗି ନିର୍ବାଚନ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମ ତାଲିକାଲେ ମୋଟ ୧୯୫ ପ୍ରାର୍ଥୀଙ୍କ ତାଲିକା ରହିଛି । ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ମହାସଚିବ ବିନୋଜ ତାଓ୍ବଡେଙ୍କ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ସେହିପରି ପ୍ରଥମ ଦଫା ତାଲିକାରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନାଁ ରହିଛି । ତେବେ ପ୍ରଥମ ତାଲିକାରେ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇ ନାହିଁ ।
ମଧ୍ଯପ୍ରଦେଶ ବିଦିଶାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, ଗୁନାରୁ ଜ୍ଯୋତିରାଜ ସିନ୍ଧିଆ, ମଣ୍ଡଲାରୁ କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ନିର୍ବାଚନ ଲଢିବେ। ଉତ୍ତରପ୍ରଦେଶ ଲକ୍ଷ୍ମୌରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମଥୁରାରୁ ହେମାମାଳିନୀ, ଆମେଥିରୁ ସ୍ମୃତି ଇରାନୀ, ଫତେପୁରରୁ ସାଧ୍ବୀ ନିରଞ୍ଜନ ଜ୍ଯୋତି, ଖେରିରୁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ବିଜେପି ତାଲିକାରେ ସ୍ଥାନ ପାଇଛନ୍ତି।
ଗୁଜରାଟ ଗାନ୍ଧୀନଗରରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପୋରବନ୍ଦର ଇଷ୍ଟରୁ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବୀୟ ପାଇଛନ୍ତି ଦଳୀୟ ଟିକେଟ। ରାଜସ୍ଥାନ କୋଟାରୁ ଲୋକସଭା ବାଚସ୍ପତି ଓମ ବିରଲା, ଅଲୱାରରୁ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ବିକାନିରରୁ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ, ଯୋଧପୁରରୁ ଗଜେନ୍ଦ୍ର ସିଂ ଶେଖାୱତ ନିର୍ବାଚନ ଲଢିବେ। ଝାଡ଼ଖଣ୍ଡ ଖୁଣ୍ଟିରୁ ପୂର୍ବତନ ମୁଖ୍ଯମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଜାମ୍ମୁ ଓ କାଶ୍ମୀର ଉଦ୍ଧମପୁରରୁ ଜିତେନ୍ଦ୍ର ସିଂ, ନର୍ଥ ଇଷ୍ଟ ଦିଲ୍ଲୀରୁ ମନୋଜ ତିୱାରୀ, ଚାନ୍ଦିନୀଚୌକରୁ ପ୍ରବୀଣ ଖଣ୍ଡେଲୱାଲ, ନୂଆଦିଲ୍ଲୀରୁ ବାଂସୁରୀ ସ୍ବରାଜଙ୍କୁ ମିଳିଛି ଟିକେଟ। ଛତିଶଗଡ଼ ରାୟପୁରରୁ ବ୍ରିଜମୋହନ ଅଗ୍ରୱାଲ, ଅରୁଣାଚଳ ୱେଷ୍ଟରୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ, ଆସାମ ଦିବ୍ରୁଗଡ଼ରୁ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ,
କେରଳ ଥିରୁବନନ୍ତପୁରମରୁ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ତ୍ରିପୁରା ୱେଷ୍ଟରୁ ବିପ୍ଳବ ଦେବ, ତେଲଙ୍ଗାନା ସିକନ୍ଦରାବାଦରୁ କେନ୍ଦ୍ରମନ୍ତ୍ରୀ ଜି. କିଷନ ରେଡୀଙ୍କୁ ଦଳ ଦେଇଛି ଟିକେଟ। ପ୍ରଥମ ପର୍ଯ୍ୟାୟରେ ୩୪କେନ୍ଦ୍ରମନ୍ତ୍ରୀଙ୍କୁ ଏବଂ ୪୭ଯୁବକ, ୨୮ମହିଳାଙ୍କୁ ମିଳିଛି ଟିକେଟ୍ ।