ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ଦିଗ ପରିବର୍ତ୍ତନକୁ ନେଇ ବିଜେପି-ବିଜେଡ଼ି କର୍ମୀ ମୁଁହାମୁହିଁ

1 min read

ଭଦ୍ରକ: ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ଦିଗ ପରିବର୍ତ୍ତନକୁ ନେଇ ବିଜେପି-ବିଜେଡ଼ି କର୍ମୀ ମୁଁହାମୁହିଁ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ତେନ୍ତୁଳିଡିହ ପଞ୍ଚାୟତ ଅନ୍ତର୍ଗତ କମ୍ବଳପୁର ଗ୍ରାମବାସୀ ଏ ଅଭିଯୋଗ ଆଣିଛନ୍ତି। ଗାଁରେ ହଜାରେରୁ ଅଧିକ ଲୋକ ବସବାସ କରୁଥିବା ବେଳେ ସବୁଦିନିଆ ରାସ୍ତା ନଥିଲା। ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି କରିଥିଲେ ଗ୍ରାମବାସୀ। ପୂର୍ବ ସରକାରଙ୍କ ସମୟରେ ଏହି ଗାଁ ସହ ଅନ୍ୟ କିଛି ନିକଟ ଗାଁକୁ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ୫  କିଲୋମିଟର ରାସ୍ତା ନିର୍ମାଣ ପାଇଁ ପ୍ରାୟ ୯କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ୨୦୨୪ ମାର୍ଚ୍ଚ ୭ ତାରିଖ ଦିନ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଶିଳାନ୍ୟାସ କରିଥିଲେ। ଏବେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମାତ୍ର ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ରାସ୍ତା ନିର୍ମାଣ ନକରି ରାଜନୈତିକ ଉଦେଶ୍ୟରେ ରାସ୍ତା ନିର୍ମାଣ କରିବା ପାଇଁ ମସୁଧା ଚଳାଇଛନ୍ତି ଶାସକ ଦଳର ଜଣେ ଠିକାଦାର। ଯଦି ରାସ୍ତାରେ ଦିଗ ପରିବର୍ତ୍ତନ ହୁଏ ତେବେ କମ୍ବଳପୁର ଗ୍ରାମବାସୀ ରାସ୍ତାରୁ ବଞ୍ଚିତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ଯାହାକୁ ବିରୋଧ କରିଛନ୍ତି ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ବିଜେଡ଼ି ନେତା। କମ୍ବଳପୁର ଗାଁକୁ ବାହ୍ୟ ଜଗତରୁ ବିଚ୍ଛିନ୍ନ କରି ରଖିବା ପାଇଁ ବିଜେପି ହୀନ ଚକ୍ରାନ୍ତ କରୁଛି ବୋଲି ଅଭିଯୋଗ କରିଛି ବିଜେଡ଼ି। ଯଦି ପୂର୍ବ ନିର୍ଦ୍ଧାରିତ ସ୍ଥାନ ଅନୁସାରେ ରାସ୍ତା ନିର୍ମାଣ କରାନଯାଏ ତେବେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ରାସ୍ତା ପୂର୍ବ ନିର୍ଦ୍ଧାରିତ ସ୍ଥାନ ଅନୁସାରେ ହେବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ।