ନୂଆବର୍ଷରେ ନୂଆ ରୂପ ନେବ ରାଜ୍ୟ ରାଜନୀତି, ତିନି ପ୍ରମୁଖ ଦଳଙ୍କ ମେଗା ପ୍ରସ୍ତୁତି

ଭୁବନେଶ୍ବର: ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନୂଆବର୍ଷରେ ନିଜ ନିଜ ସଂଗଠନକୁ ନୂଆ ରୂପ ଦେବାକୁ ଜୋରଦାର କସରତ ଚଳାଇନ୍ତି । ବିଜେଡି ସଦସ୍ୟ ଅଭିଯାନକୁ ଫୋକସ କରିବା ସହ ସଂଗଠନକୁ କ୍ରିୟାଶୀଳ କରିବାକୁ ଲମ୍ବା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ଅନ୍ୟପଟେ ବିଜେପି ଓ କଂଗ୍ରେସ ନିଜ ମୁଖିଆ ଚୟନ ପ୍ରକ୍ରିୟା ସହ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି ।

ସଶକ୍ତ ବିରୋଧୀ ଦଳ ଭାବେ ଶକ୍ତିଶାଳୀ ହେବାରେ ଲାଗିଛି ବିଜେଡି । ତୃଣମୂଳସ୍ତରରୁ ସଂଗଠନକୁ ନୂଆ ରୂପ ଦେବା ସହ ଅଧିକ ମଜଭୁତ କରିବାକୁ ଫୋକସ କରିଛି ଦଳ । ନିର୍ବାଚନୀ ମଣ୍ଡଳୀରୁ ନବୀନ ନିବାସ ଯାଏଁ ନେତାଙ୍କୁ ଦିଆଯାଉଛି ଗୁରୁମନ୍ତ୍ର । ବିଜେଡି ସୁପ୍ରିମୋ ନବୀନ ନିବାସରୁ ଶଙ୍ଖ ଭବନ ଯାଏଁ ଘନ ଘନ ବୈଠକ କରି ତୃଣମୂଳ ସ୍ତରର ନେତାଙ୍କଠାରୁ ଆରମ୍ଭ କରି ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ବିରୋଧୀ ଦଳରେ ରହି ଲୋକଙ୍କ ସ୍ବର ଶାଣିତ କରିବା ସହ ଲୋକଙ୍କ ସମସ୍ୟାକୁ ସରକାର ଆଗରେ ଉପସ୍ଥାପନ କରି ସମାଧାନ କରିବାକୁ ଦିଆଯାଇଛି ନିର୍ଦ୍ଦେଶ । ଆସନ୍ତା ୨୬ ତାରିଖ ଦିନ ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସରେ ନୂଆ ସଙ୍କଳ୍ପ ସହ ମାର୍ଚ୍ଚ ମାସରେ ସଂଗଠନକୁ ନୂଆ ରୂପ ଦେବାକୁ ଖସଡ଼ା ପ୍ରସ୍ତୁତ କରିଥିବା ଦଳୀୟ ନେତା କହିଛନ୍ତି । ବିଜେଡି ବିଧାୟକମାନଙ୍କ ଯୁକ୍ତି ହେଉଛି ନବୀନ ପଟ୍ଟନାୟକ ନେତୃତ୍ବରେ ଦଳ ଦିନକୁ ଦିନ ଅଧିକ ମଜଭୁତ ହେଉଛି । ସେପଟେ ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଠାରୁ ଦଳ ନିଜକୁ ପ୍ରସ୍ତୁତ କରୁଥିବା ବିଜେଡି କହିଛି ।

ଅନ୍ୟପଟେ ବିଜେପି ମଧ୍ୟ ନିର୍ବାଚନ ପରେ ସଂଗଠନକୁ ଅଧିକ ଫୋକସ କରିଛି । ନୂଆ ବର୍ଷରେ ଦଳର ନୂଆ ମୁଖିଆ ପାଇବ ବୋଲି ଦଳୀୟ ବିଧାୟକ ଅଶୋକ ମହାନ୍ତି କହିଛନ୍ତି । ତୃଣମୂଳ ସ୍ତରରୁ ଆରମ୍ଭ କରି ରାଜ୍ୟ ନେତୃତ୍ବ ଯାଏଁ ନିୟମ ଅନୁସାରେ ନିର୍ବାଚନ କରାଯିବ । ସେହିପରି ୬ ମାସ ଧରି ସ୍ଥାଣୁ ପାଲଟିଥିବା ରାଜ୍ୟ କଂଗ୍ରେସ ସଂଗଠନରେ ପିସିସି ମୁଖିଆ ଚୟନ ଅଙ୍କ ଛିଶ୍ଡୁନି । ନୂଆବର୍ଷରେ କଂଗ୍ରେସକୁ ନୂଆ ମୁଖିଆ ମିଳିବ ବୋଲି  ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ।

୨୦୨୪ ସାଧାରଣ ନିର୍ବାଚନର ୬ ମାସ ପରେ ପୁଣି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳକୁ ଘାରିଛି ସଂଗଠନ ଚିନ୍ତା । ନୂଆ ବର୍ଷରୁ ବିଜେପି, ବିଜେଡି ଓ କଂଗ୍ରେସ ନିଜ ନିଜ ସଂଗଠନକୁ ନୂଆରୂପ ଦେଇ ରାଜନୈତିକ ଖସଡ଼ା ପ୍ରସ୍ତୁତ କରିବାକୁ ଜୋରଦାର କସରତ ଦଳୀୟ ସ୍ତରରେ ଆରମ୍ଭ କରିଛନ୍ତି । ୩ ପ୍ରମୁଖ ଦଳର ଏହି କସରତ କାହାକୁ କେତେ ଫାଇଦା ଦେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।