ମହାନଦୀ ରାଜନୀତିରେ ବିଜେପି ଭିଲେନ !

ଭୁବନେଶ୍ବର: ମହାନଦୀକୁ ନେଇ ଛତିଶଗଡ଼ର ବଡ଼ ରାଜନୀତି । ବିଜେପି ସରକାର ଥିବାବେଳେ ବ୍ୟାରେଜ୍‌ କାମ ଆରମ୍ଭ ହେଲା । ବର୍ତ୍ତମାନର କଂଗ୍ରେସ ସରକାର ମଧ୍ୟ କାମ ବନ୍ଦ କଲେନି । ସେହିପରି କେନ୍ଦ୍ର ସରକାର ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ମହନଦୀକୁ ନେଇ ମହାରାଜନୀତି ଜାରି ରଖିଛନ୍ତି । ଆଗକୁ ଛତିଶଗଡ଼ ନିର୍ବାଚନ ଥିବାରୁ କ୍ଷମତାକୁ ଫେରିବାକୁ ଉଭୟ ବିଜେପି ଓ କଂଗ୍ରେସର ରାଜନୀତି ଜାରି ରହିଛି । ଏପଟେ ଅଧିକାର ନପାଇ ସମସ୍ୟା ଭୋଗୁଛନ୍ତି ଓଡ଼ିଶାବାସୀ ।

ଛତିଶଗଡ଼ । ଖରାଦିନେ ମହାନଦୀ ପାଣି ରୋକୁଛି, ବର୍ଷାଦିନେ ପାଣି ଛାଡ଼ି ବନ୍ୟା ସୃଷ୍ଟି କରୁଛି । ଓଡ଼ିଶାକୁ ନଜଣାଇ ମହାନଦୀ ଉପରେ ଛତିଶଗଡ଼ ନିର୍ମାଣ କରିଛି ୮ଟି ବ୍ୟାରେଜ୍‌ । କିଛି ସରିଛି, କିଛିର କାମ ଚାଲିଛି । ଛତିଶଗଡ଼ର ଏହି ଷଡ଼ଯନ୍ତ୍ର ନେଇ ୨୦୧୬ରେ କେନ୍ଦ୍ର ବିଜେପି ସରକାର ପାଖରେ ଓଡ଼ିଶା ଫେରାଦ୍ ହୋଇଥିଲା । ସେତେବେଳେ ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ମଧ୍ୟ ଛତିଶଗଡ଼ରେ ବିଜେପି ପ୍ରଭାରୀ ଥିଲେ । କିନ୍ତୁ ଛତିଶଗଡ଼ରେ ବିଜେପି ସରକାର ଥିବାରୁ, କେନ୍ଦ୍ର ସରକାର ଛତିଶଗଡ଼କୁ ସମର୍ଥନ କଲେ ।  ୨୦୧୭ରେ ସୁପ୍ରିମକୋର୍ଟକୁ ଗଲେ ଓଡ଼ିଶା ସରକାର । ୧୧ ମାର୍ଚ୍ଚ ୨୦୧୮ରେ ଗଠନ ହୋଇଥିଲା ଟ୍ରିବ୍ୟୁନାଲ । ଏଯାଏଁ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ଦୁଇଥର ବୃଦ୍ଧି ଓ ୩୬ଟି ଶୁଣାଣି ସତ୍ତ୍ବେ ବ୍ୟାରେଜ ନିର୍ମାଣରେ ରୋକ୍ ଲଗାଇ ନାହାନ୍ତି । କେନ୍ଦ୍ରୀୟ ଜଳ କମିଶନ ବି କେଉଁଠି ନା କେଉଁଠି ଛତିଶଗଡ଼କୁ ସମର୍ଥନ ଦେଉଛନ୍ତି । ବର୍ତ୍ତମାନର ଛତିଶଗଡ଼ରେ ଥିବା କଂଗ୍ରେସ ସରକାର ମଧ୍ୟ ଓଡ଼ିଶା ପ୍ରତି ଉଦାସୀନ ମନୋଭାବ ଦେଖାଉଛି । କେବଳ ଟ୍ରିବ୍ୟୁନାଲକୁ ଦେଖାଇବା ପାଇଁ କିଛି ଗେଟ୍‌ ଦେଇ ପାଣି ଛଡ଼ାଯାଇଛି । ଛତିଶଗଡ଼ରେ ନିର୍ବାଚନ ଥିବାରୁ ମହାନଦୀକୁ ବିଜେପି ଓ କଂଗ୍ରେସ ପ୍ରସଙ୍ଗ କରିଛନ୍ତି । କେନ୍ଦ୍ର ସରକାର ମଧ୍ୟ ବିଜେପିକୁ ଗ୍ରୀନ ସିଗନାଲ ଦେବାରେ ବ୍ୟସ୍ତ ।

ମହାନଦୀ ବିବାଦରେ କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥାକୁ ବଳି ଦେଇଛନ୍ତି । ଆଇନ ଥିବା ସତ୍ତ୍ବେ ବିଜେପି ଓ କଂଗ୍ରେସ ରାଜନୀତି କରି ଓଡ଼ିଶାକୁ ଅନ୍ଧାର ଆଡ଼କୁ ଠେଲୁଛନ୍ତି । ଫଳରେ ଓଡ଼ିଶା ଖରାଦନେ ଜଳ ସଙ୍କଟ ଓ ବର୍ଷାଦିନେ ବନ୍ୟା ସମସ୍ୟାରେ ପଡୁଛି । ସେପଟେ କଂଗ୍ରେସର ଯୁକ୍ତି, ୨୦୧୮ରେ ଛତିଶଗଡ଼ରେ ଦଳ କ୍ଷମତାକୁ ଆସିବା ପୂର୍ବରୁ ବିଜେପି ସରକାର ବ୍ୟାରେଜ୍‌ ନିର୍ମାଣ ସାରିଥିଲେ । ତେଣୁ ସମସ୍ୟା ପାଇଁ ବିଜେପି ଦାୟୀ ।

ଆଜି ମହାନଦୀ ଟ୍ରିବ୍ୟୁନାଲ ଟିମ୍ ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିଛନ୍ତି । ଶିବନାରାୟଣ, କଲମା ଭଳି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ବୁଲି ଦେଖିବେ । ୩ ତାରିଖ ଯାଏଁ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପରେ ମେ’ ୧୦ରେ ହୀରାକୁଦ ଡେଲଟା ଅଞ୍ଚଳ ପରିଦର୍ଶନ କରିବେ ଟ୍ରିବ୍ୟୁନାଲ ଟିମ୍ ।