ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦୁଇ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଲା ବିଜେପି
1 min read
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରକାଶକୁ ୧୨ ଦିନି ବିତି ଯାଇଥିଲେ ବି ବିଜେପି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରୁ ନାହିଁ । ଯାହାକୁ ନେଇ ଦେଶରେ ରାଜନୀତି ଜୋର ଧରିଛି । ତେବେ କିଏ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଆଜି ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଥିବା ସଂସଦୀୟ ଦଳ ବୈଠକ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ଚୟନ ଲାଗି ଦୁଇ ଜଣ ପର୍ଯ୍ୟବେକ୍ଷକଙ୍କ ନାଁ ଘୋଷଣା କରାଯାଇଛି । ରବିଶଙ୍କର ପ୍ରସାଦ ଏବଂ ଓପି ଧନଖଡ଼ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ।
ଆଜି ସନ୍ଧ୍ୟା ୬ଟା ୧୫ ମିନିଟରେ ଦିଲ୍ଲୀ ବିଜେପି ବିଧାୟକ ଦଳ ବୈଠକ ବସିବ । ଏହି ବୈଠକରେ ସାମିଲ ହେବେ ଦୁଇ ପର୍ଯ୍ୟବେକ୍ଷକ । ବିଧାୟକ ଦଳ ବୈଠକରେ ଘୋଷଣା ହେବ ବିଧାୟକ ଦଳ ନେତାଙ୍କ ନାମ । ତେବେ କିଏ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସସପେନ୍ସ ଜାରି ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ପ୍ରବେଶ ବର୍ମା ମୁଖ୍ୟମନ୍ତ୍ରୀ ହେବ ନା ଆଉ କାହାର ମୁଣ୍ଡରେ ପିନ୍ଧା ହେବ ମୁକୁଟ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ଆଜି ନାଁ ଘୋଷଣା କରିପାରନ୍ତି ହାଇକମାଣ୍ଡ ।
ସେପଟେ ଶପଥ ଗ୍ରହଣ ଉତ୍ସବ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଦିଲ୍ଲୀର ରାମଲୀଳା ମୈଦାନରେ ନୂଆ ସିଏମ୍ ଶପଥ ନେବେ । ଦିଲ୍ଲୀ ଉପ-ରାଜ୍ୟପାଳ ମନ୍ତ୍ରିମଣ୍ଡଳକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଆସନ୍ତା କାଲି ଦିନ ସାଢେ ୧୨ଟାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସହ ବିଜେପିର ବହୁ ବରିଷ୍ଠ ନେତା ସାମିଲ ହେବେ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ୪୮ ଆସନ ମିଳିଥିବା ବେଳେ, ମାତ୍ର ୨୨ ଆସନ ଆମ୍ ଆଦମୀ ପାର୍ଟିକୁ ମିଳିଛି । ନିର୍ବାଚନ ଫଳ ବାହାରିବାକୁ ୧୨ ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇନାହିଁ।