ଭାଙ୍ଗୁଛି ବିରୋଧୀ ଦୁର୍ଗ, ବଳ ଗୋଟାଉଛି ବିଜେଡି

1 min read

ନବରଙ୍ଗପୁର/କନ୍ଧମାଳ: ସାରା ରାଜ୍ୟରେ ଭାଙ୍ଗୁଛି ବିରୋଧର ବିଜେପି ଓକଂଗ୍ରେସର ଭୋଟ ବ୍ୟାଙ୍କ । ଦଳରୁ ମୁହଁ ଫେରାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହେଉଛନ୍ତି ହଜାର ହଜାର ବିରୋଧୀ କର୍ମୀ । ଏହି କ୍ରମରେ ଗତକାଲି ନବରଙ୍ଗପୁର ଓ କନ୍ଧମାଳର ଶତାଧିକ ବ୍ୟକ୍ତି ବିରୋଧୀ ଶିବିର ଛାଡ଼ି ବିଜେଡିରେ ମିଶିଛନ୍ତି ।

ନବରଙ୍ଗପୁର ଜିଲ୍ଲାରେ ଭୁଷୁଡୁଛି କଂଗ୍ରେସ ଓ ବିଜେପି ଦୁର୍ଗ । ଦିନକୁ ଦିନ ଦଳର ହାତ ଛାଡୁଛନ୍ତି ନେତା ଓ କର୍ମୀ । ଜିଲ୍ଲାର ମଇଦଲପୁର ଜିଲ୍ଲାପରିଷଦ ଜୋନ-2 ରେ ୩ ହଜାରରୁ ଊର୍ଦ୍ଧ୍ବ ବିଜେପି ଓ କଂଗ୍ରେସ ନେତା, କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ଏହାସହ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦକ୍ଷତା ମଧ୍ୟ ଲୋକମାନଙ୍କୁ ଅନୁପ୍ରାଣିତ କରୁଛି । କିଛିଦିନ ତଳେ ଜିଲ୍ଲାର ନେତା ପ୍ରଦୀପ ମାଝୀ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ । ଏହାଦ୍ବାରା ବିଜୁ ଜନତା ଦଳ ତୃଣମୂଳ ସ୍ତରରେ ଆହୁରି ଅଧିକ ମଜଭୁତ ହୋଇଥିବା କହିଛନ୍ତି ନବରଙ୍ଗପୁର ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ମାଝୀ । ଏହି ଅବସରରେ ଆଗାମୀ ୩୦ ବର୍ଷ ଧରି ବିଜୁ ଜନତା ଦଳ ରାଜ୍ୟରେ ଶାସନ କରିବ ବୋଲି କହିଛନ୍ତି ପ୍ରଦୀପ ମାଝୀ ।

ସେହିପରି କନ୍ଧମାଳ ଜିଲ୍ଲା କ. ନୂଆଗାଁରେ ବିଜେଡ଼ିର ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ନିଜ ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ନବୀନଙ୍କ ଯୋଗୁଁ ଅଞ୍ଚଳରେ ବିକାଶ କାର୍ଯ୍ୟ ଆଗକୁ ବଢିଛି । ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାମ ଓ ବିକାଶ ଧାରାକୁ ସେମାନଙ୍କୁ ଆକର୍ଷିତ କରିଥିବା କହିଛନ୍ତି ବିଜେଡିରେ ସାମିଲ ହୋଇଥିବା କର୍ମୀ ଓ ନେତା ।

Leave a Reply