ହୋଇପାରୁନି ସଭାପତି ଚୟନ: ବିଜେପିରେ ଆଭ୍ୟନ୍ତରୀଣ କନ୍ଦଳ ସାଜିଛି ବାଧକ, ଓଡ଼ିଶା କଂଗ୍ରେସକୁ ଫୋକସ କରୁନି ଏଆଇସିସି
![](https://nandighoshatv.com/wp-content/uploads/2025/02/bjp-congress-1024x576.jpg)
ଭୁବନେଶ୍ବର: ମୁଖିଆ ପାଉନାହାନ୍ତି ରାଜ୍ୟର ଦୁଇ ଜାତୀୟ ଦଳ । ୭ ମାସ ଧରି କଂଗ୍ରେସ ବିନା ମୁଖିଆରେ ଚାଲିଥିବା ବେଳେ, ନିର୍ବାଚନ ପ୍ରକ୍ରିୟାର ଡେଡଲାଇନ ପରେ ବି ନୂଆ ସଭାପତି ବାଛିପାରୁନି ବିଜେପି । ଯାହାକୁ ନେଇ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସରେ ଜାରି ରହିଛି ସସପେନ୍ସ । ନେତା ବି ମାନିଲେଣି ଆଶାୟୀ ଅଧିକ ଥିବାରୁ ମୁଖିଆ ଚୟନରେ ଉପୁଜୁଛି ସମସ୍ୟା ।
କିଏ ଧରିବ ମଙ୍ଗ ? କାହାକୁ ସଭାପତି କଲେ ତୃଣମୂଳସ୍ତରରେ ମଜବୁତ ହେବ ସଂଗଠନ ? ଏହାକୁ ନେଇ ଓଡ଼ିଶାରେ ଦୁଇ ଜାତୀୟ ଦଳରେ ଜାରି ରହିଛି ସସପେନ୍ସ । ଦୁଇ ଦଳରେ ସଭାପତି ହେବା ପାଇଁ ବହୁ ଆଶୀୟୀ ଥିବାରୁ ଛିଡୁନି ଅଙ୍କ । ଡେଡଲାଇନ ସରିବା ପରେ ବି ବିଜେପି ଓ କଂଗ୍ରେସରେ ଚୟନ ହୋଇପାରୁ ନାହାନ୍ତି ମୁଖିଆ । ଶାସକ ବିଜେପିରେ ଆଭ୍ୟନ୍ତରୀଣ କନ୍ଦଳ ଯୋଗୁଁ ଏଯାଏଁ ଘୋଷଣା ହୋଇପାରୁନାହିଁ ୧୪ଟି ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାଁ । ଦଳୀୟ ବିଧାୟକ ଅଶୋକ ମହାନ୍ତିଙ୍କ ଯୁକ୍ତି, ଶୀର୍ଷ ନେତୃତ୍ବ ସବୁ ଦିଗକୁ ବିଚାର କରି ସଭାପତି ଚୟନ କରିବେ । ରାଜନୀତିରେ ଆଶାୟୀ ଅଧିକ ରହିବା ସ୍ବାଭାବିକ କଥା । କେନ୍ଦ୍ରୀୟ ସଭାପତି ଦକ୍ଷ ଲୋକଙ୍କୁ ସଭାପତି ଚୟନ କରିବେ । ବିଜେପି ରାଜ୍ୟ ସଭାପତି ରେସରେ ବର୍ତ୍ତମାନର ସଭାପତି ମନମୋହନ ସାମଲ ଆଗରେ ରହିଥିବା ବେଳେ, ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ନାଁ ଚର୍ଚ୍ଚାରେ ରହିଛି ।
ଅନ୍ୟପଟେ ୭ ମାସ ହେବ ଚୟନ ହୋଇପାରୁନି କଂଗ୍ରେସ ମୁଖିଆ। ବିନା ମୁଖିଆରେ ଚାଲିଛି ରାଜ୍ୟ କଂଗ୍ରେସ । ପିସିସି ସଭାପତି ରେସରେ ସାଂସଦ ସପ୍ତଗିରି ଉଲାକା ଆଗରେ ଥିବା ବେଳେ, ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା, ଭକ୍ତ ଚରଣ ଦାସଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ଏଆଇସିସିର ଦୁଇ ପର୍ଯ୍ୟବେକ୍ଷକ ମତାମତ ନେବା ପରେ ବି ସଭାପତି ଚୟନ କରିପାରୁନି ଦଳ ।
ନିର୍ବାଚନର ୮ ମାସ ପରେ ଦୁଇ ଜାତୀୟ ଦଳରେ ମୁଖିଆ ଚୟନ ହୋଇ ନପାରିବା ଉଭୟ ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ । ବିଜେପିରେ ଅନ୍ତକନ୍ଦଳ ଯୋଗୁଁ ଶେଷ ହୋଇପାରୁନି ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା । ତେବେ ଓଡ଼ିଶାରେ କଂଗ୍ରେସର ସ୍ଥିତିକୁ ଦେଖି ଏଆଇସିସି ନେତା ଚୟନ ଉପରେ ବିଶେଷ ଗୁରୁତ୍ବ ଦେଉ ନଥିବା ମତ ରଖିଛନ୍ତି ସମୀକ୍ଷକ ।
ସରକାର ଓ ସଂଗଠନକୁ ନେଇ ଚାଲି ପାରୁଥିବା ଜଣେ ଦକ୍ଷ ଲୋକଙ୍କୁ ବିନା ଦ୍ବନ୍ଦରେ ମଙ୍ଗୁଆଳ କରିବାକୁ ଅଣ୍ଟା ଭିଡିଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ବ । ଯାହା ସମୟ ସାପେକ୍ଷ । ଅନ୍ୟପଟେ କଂଗ୍ରେସକୁ ଗୋଷ୍ଠୀ ମୁକ୍ତ କରି ସଭିଁଙ୍କୁ ନେଇ ଚାଲିପାରୁଥିବା ନେତା ପାଉନାହିଁ ଏଆଇସିସି ।