ଭୁଶୁଡୁଛି ବିରୋଧୀଙ୍କ ଶିବିର

ଭୁବନେଶ୍ବର: ଚାଲିଛି ଦଳ ଡିଆଁ ପର୍ବ । ଦୁଇ ଜାତୀୟ ଦଳର ହେଭିଓ୍ବେଟ୍‌ ନେତାଙ୍କଠାରୁ ଆରମ୍ଭ କରି ଯୁବ ଚେହେରା ବିଜେଡିରେ ମିଶୁଛନ୍ତି । ଭୁଶୁଡୁଛି ବିରୋଧୀ ଶିବିର। ଆଗକୁ ଏହି ଧାରା ଜାରି ରହିବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ବିଜେପି ନେତା ବିଜେଡିରେ ସାମିଲ ହୋଇ ଦଳକୁ ଅଧିକ ଶକ୍ତିଶାଳୀ କରୁଛନ୍ତି । ବିରୋଧୀ ଶିବିରକୁ ଚିନ୍ତା ଘାରିଛି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ।

ଦଳ ଛାଡୁଛନ୍ତି ହେଭିୱେଟ୍‌ ଓ ଯୁବ  ଚେହେରା । ଶଙ୍ଖ ଫୁଙ୍କୁଛନ୍ତି ପଦ୍ମ ଓ ହାତ ନେତା । ଅଧିକ ଶକ୍ତିଶାଳୀ ହେଉଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ଓ କଂଗ୍ରେସ ନେତା ଏବଂ କର୍ମୀ ବିଜେଡିରେ ମିଶୁଛନ୍ତି । ନିର୍ବାଚନମଣ୍ଡଳୀରୁ ଆରମ୍ଭ କରି ରାଜ୍ୟ ସ୍ତର ଯାଏଁ ପ୍ରତିଦିନ ବିଜେଡିର ମିଶ୍ରଣ ପର୍ବ ଚାଲିଛି । ପ୍ରମାଣିତ ହେଉଛି ବିଜେଡିର ଲୋକପ୍ରିୟତା । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବିରୋଧୀ ନେତାଙ୍କୁ ସ୍ବାଗତ କରିବା ସହ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା କିପରି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ, ସେଦିଗରେ କାମ କରିବାକୁ ପରାମର୍ଶ ଦେଉଛନ୍ତି । ଅନ୍ୟପଟେ ଦୁଇ ଜାତୀୟ ଦଳଙ୍କୁ ଘାରିଛି ଚିନ୍ତା । ତେବେ ବିରୋଧୀ ନେତା ଏନେଇ ଭିନ୍ନ ମତ ରଖିଛନ୍ତି ।

୨୧ ବର୍ଷ ଧରି ନିରବଛିନ୍ନ ଭାବେ ଶାସନ କରୁଛି ବିଜେଡି । ନବୀନଙ୍କ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସହ ସୁଶାସନ ଆଜି ବିଭିନ୍ନ କ୍ଷେତ୍ରରେ ସାରା ଦେଶ ପାଇଁ ରୋଲ୍‌ ମଡେଲ ସାଜିଛି । ସବୁ ନିର୍ବାଚନରେ ବିଜେଡିର ବିପୁଳ ବିଜୟ ହେଉଥିବାରୁ ଅନ୍ୟଦଳର ନେତା ନିଜ ଭବିଷ୍ୟତ ଦେଖି ନପାରି ବିଜେଡିରେ ମିଶୁଥିବା ରାଜନୈତିକ ସମୀକ୍ଷକ ପ୍ରସନ୍ନ ମହାନ୍ତି କହିଛନ୍ତି ।

ଗୋଟିଏ ପଟେ ବିଜେଡି ସୁସଂଗଠିତ ହୋଇ ଏକ ମହାଦ୍ରୁମ ଭାବେ ଉଭା ହୋଇଛି । ଅନ୍ୟପଟେ ଦୁଇ ଜାତୀୟ ଦଳ ଭୁଶୁଡୁଥିବା ବେଳେ ବିରୋଧୀ ନିଜ ଘର ସଜାଡ଼ିବା ଛାଡ଼ି ଛୋଟ ଛୋଟ ପ୍ରସଙ୍ଗରେ ରାଜନୀତିରେ ମାତିଛନ୍ତି ।

Leave a Reply