କଂଗ୍ରେସ ନେତାଙ୍କ ସାର୍ଟ୍ ଚିରିଲେ ରାହୁଲ, କ’ଣ ପାଇଁ ବିଜେପି ଏମିତି ଅଭିଯୋଗ କରୁଛି ?

1 min read

ନୂଆଦିଲ୍ଲୀ: ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଶୁକ୍ରବାର କଂଗ୍ରେସ ପକ୍ଷରୁ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କଂଗ୍ରେସ ନେତା ଓ କର୍ମୀମାନେ କଳା ଡ୍ରେସ୍ ପିନ୍ଧି ରାଜରାସ୍ତାରେ ବିକ୍ଷୋଭ କରିଥିଲେ ।  ଦିଲ୍ଲୀରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଥିଲା । ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରୁ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ପ୍ରିୟଙ୍କା ଗାନ୍ଧି ମଧ୍ୟ ବିକ୍ଷୋଭର ନେତୃତ୍ୱ ନେଇଥିଲେ । ଦିଲ୍ଲୀ ରାଜ ରାସ୍ତାରେ ପୋଲିସ ଓ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା ।

ଏହାପରେ ପୋଲିସ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ ଅନେକ କଂଗ୍ରେସ ନେତାଙ୍କୁ ଉଠାଇ ନେଇଯାଇଥିଲା । ରାହୁଲ ମଧ୍ୟ କହିଥିଲେ ଯେ, ଦଳର କିଛି ସାଂସଦଙ୍କୁ ପୋଲିସ ମାରପିଟ କରିଛି । ଅନ୍ୟପକ୍ଷରେ ବିଜେପି ମଧ୍ୟ କଂଗ୍ରେସ ଉପରେ ପାଲଟା ଆକ୍ରମଣ କରିଛି । ରାହୁଲ ଓ ପ୍ରିୟଙ୍କାଙ୍କ ଉପରେ ତମାସା ରାଜନୀତି କରୁଥିବାର ଅଭିଯୋଗ କରିଛି ବିଜେପି । ବିଜେପି ଆଇଟି ସେଲର ପ୍ରଭାରୀ ଅମିତ ମାଲଭିୟ ଏକ ଫଟୋ ଟ୍ୱିଟ କରିଛନ୍ତି, ଯେଉଁଥିରେ କଂଗ୍ରେସ ନେତା ଦୀପେନ୍ଦ୍ର ହୁଡ୍ଡା ଏବଂ ରାହୁଲ ଗାନ୍ଧି ପୋଲିସକର୍ମୀଙ୍କ ସହ ସଂଘର୍ଷ କରୁଥିବାର ନଜର ଆସୁଛନ୍ତି ।

 ଅମିତ ମାଲଭିୟ ଫଟୋ ପୋଷ୍ଟ କରି ଲେଖିଛନ୍ତି, ରାହୁଲ ଗାନ୍ଧି ନିଜ ସହଯୋଗୀ ଦୀପେନ୍ଦ୍ର ହୁଡ୍ଡାଙ୍କ ସାର୍ଟ ଫାଡି ଦେଇଛନ୍ତି, ଯାହାଦ୍ୱାରା ବିକ୍ଷୋଭର ଭଲ ଫଟୋ ଆସିପାରିବ ଏବଂ ଦିଲ୍ଲୀ ପୋଲିସକୁ ଏଥିପାଇଁ ଦାୟୀ କରାଯିବ । ଏହା ପୂର୍ବରୁ ମାଲଭିୟ ଏକ ପ୍ରିୟଙ୍କା ଗାନ୍ଧିଙ୍କ ଏକ ଫଟୋ ଟ୍ୱିଟ କରି ତାଙ୍କୁ ଟାର୍ଗେଟ କରିଥିଲେ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ବିକ୍ଷୋଭ ସମୟରେ ପୋଲିସକର୍ମଚାରୀଙ୍କ ହାତ ମୋଡି ଦେଇଥିଲେ ଏବଂ ସେମାନଙ୍କୁ ଗୋଇଠା ମଧ୍ୟ ମାରିଥିବା କଥା ଟ୍ୱିଟ କରି କହିଥିଲେ ମାଲଭିୟ ।