ଗୁଜୁରାଟରେ ରେକର୍ଡ ବିଜୟ ମୁହାଁ ବିଜେପି, ହିମାଚଳରେ ସରକାର କରିପାରେ କଂଗ୍ରେସ
ଭୁବନେଶ୍ବର: ଗୁଜୁରାଟରେ ଚପ୍ପା ଚପ୍ପା ବିଜେପି (ପ୍ରତି କୋଣରେ ବିଜେପି) ନାରା ପାଖାପାଖି ସତ ହେବାକୁ ଯାଉଛି । ବିଧାନସଭା ନିର୍ବାଚନରେ ରେକର୍ଡ ସଂଖ୍ୟକ ସିଟ୍ ହାସଲ କରି ଆଗକୁ ବଢୁଛି ବିଜେପି । ସକାଳ ୧୦ଟା ସୁଦ୍ଧା ବିଜେପି ୧୫୦ଟି ଆସନରେ ଆଗୁଆ ରହିଛି । ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ କେବଳ ୨୦ଟି ଆସନ ସହ ସଂଘର୍ଷ ଜାରି ରଖିଛି ।
ଦିଲ୍ଲୀ ଓ ପଞ୍ଜାବରେ ଝାଡୁ ଚଳାଇ ଅନ୍ୟ ଦଳକୁ ମୂଳପୋଛ କରିଥିବା ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆପ୍କୁ ଗୁଜୁରାଟରେ ଝଟକା ଲାଗିଛି । ଖବର ଲେଖାଯିବା ସୁଦ୍ଧା ଆପ୍ ୧୦ରୁ ବି କମ୍ ସିଟ୍ରେ ଆଗରେ ରହିଛି । ଯଦି ଏହିଭଳି ଭାବେ ସମସ୍ତ ଦଳ ଆଗକୁ ବଢିବେ ତଥାପି ଗୁଜୁରାଟରେ ବିଜେପିର ଏହା ବଡ ବିଜୟ ହେବ ।
ସେପଟେ ହିମାଚଳରେ କଂଗ୍ରେସ ସରକାର କରିପାରେ ବୋଲି ଅନୁମାନ କରାଯାଉଛି । ଅଧିକାଂଶ ଆସନରେ କଂଗ୍ରେସ ଆଗୁଆ ରହିଥିବାବେଳେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ୩୫ଟି ସିଟରେ କଂଗ୍ରେସ ଆଗୁଆ ରହିଛି । ବିଜେପି ୨୯ ଆସନରେ ଆଗୁଆ ଥିବାବେଳେ ୪ଟି ଆସନରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଆଗୁଆ ରହିଛନ୍ତି । ସେରାଜ ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପୁଣି ଆଗୁଆ ରହିଛନ୍ତି । ଏହି ଆସନରୁ ୫ ଥର ଜିତି ସାରିଛନ୍ତି ବିଜେପି ନେତା ଜୟରାମ ଠାକୁର ।
ଉତ୍ତର ପ୍ରଦେଶରେ ବିିଜେପିକୁ କିନ୍ତୁ ଝଟକା ମିଳିବାକୁ ଯାଉଛି । ମୈନପୁରୀ ଲୋକସଭା ଉପନିର୍ବାଚନରେ ସପା ପ୍ରାର୍ଥୀ ଡିମ୍ପଲ ଯାଦବ ଆଗକୁ ବଢି ଚାଲିଛନ୍ତି । ରାମପୁର ବିଧାନସଭା ଉପନିର୍ବାଚନରେ ବି ସପା ଆଗୁଆ ରହିଛି ।