ଟାଟା ପାଓ୍ବାର ଉପରେ ବର୍ଷିଲା ବିଜେଡି

ଭୁବନେଶ୍ବର: ଟାଟା ପାୱାର ପାଇଁ ଦିନକୁ ଦିନ ବଢ଼ିବାରେ ଲାଗିଛି ଲୋକଙ୍କ ସମସ୍ୟା । ଚୁକ୍ତିରେ ଯାହା ଥିଲା ତାର ଓଲଟା କାର୍ଯ୍ୟ କରୁଛି ଟାଟା ପାୱାର । ଲୋକଙ୍କୁ ନ ଜଣାଇ ବିଦ୍ୟୁତ ସେବା କାଟି ଦେଉଛନ୍ତି । ଯେଉଁ ପରିମାଣର ପାଓ୍ବାର ଯୋଗାଇ ଦେବା କଥା ତାହା ଯୋଗାଇ ଦେଉ ନାହାନ୍ତି । ଘର ଭିତରେ ପଶି ଟାଟା ପାୱାର କମ୍ପାନୀର କର୍ମଚାରୀ ଫାଇନ୍ ଆଦାୟ କରୁଛନ୍ତି । ଟାଟା ପାଓ୍ବାର ଘରେ ପସି ଜୋର ଜବରଦସ୍ତି ସ୍ମାର୍ଟ୍ ମିଟର ବସାଉଛନ୍ତି । ସାଧାରଣ ମିଟରଠାରୁ ସ୍ମାର୍ଟ୍ ମିଟରରେ ଅଧିକ ବିଲ୍ ଆସୁଛି । ଏମିତି କହି ଟାଟା ପାୱାର ଉପରେ ବିଜେଡି ବର୍ଷିବା ସହ ଶୀଘ୍ର ଲାଗୁ କରିବାକୁ ଯାଉଥିବା ପ୍ରିପେଡ ବ୍ୟବସ୍ଥାକୁ ଦୃଢ ବିରୋଧ କରିଛି ଦଳ ।
ଦଳ ପକ୍ଷରୁ କୁହାଯାଇଛି, ଓଡ଼ିଶାରେ ଓଡ଼ିଶାବାସୀଙ୍କୁ ବିଦ୍ୟୁତ ସେବା ପ୍ରଦାନ ପାଇଁ ଟାଟା ପାୱାରକୁ ସରକାର ଦାୟିତ୍ବ ଦେଇଥିଲେ । ଏବେ କିଛି ଦିନ ହେଲା ତାହାର ଖିଲାପ ଦେଖିବାକୁ ମିଳୁଛି । ଏହା ବିରୋଧରେ ଓଡ଼ିଶା ବିଦ୍ୟୁତ ଉପୋଭୋକ୍ତା ମହାସଂଘ ଆସନ୍ତାକାଲି ଲୋୟର ପିଏମଜିରେ ସର୍ବଦଳୀୟ ଜନ ଆନ୍ଦୋଳନ କରିବାକୁ ଯାଉଛି । ବିଜେଡି ଏହି ଆନ୍ଦୋଳନର ଆଗରେ ରହି ଲଢେଇ କରିବ ବୋଲି ଶୁଣାଇ ଦେଇଛି । ସ୍ମାର୍ଟ୍ ମିଟର ବର୍ଜନ, ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ ଯୋଗାଇବା, ବିଦ୍ୟୁତ ଦରବୃଦ୍ଧିକୁ ହ୍ରାସ କରିବା ଆଦି ଦାବିରେ ଲଢେଇ ହେବ ।
୩୦୦ ୟୁନିଟ୍ ମାଗଣା ଦେବାକୁ ବିଜେପି ସରକାର ପ୍ରତିଶ୍ରୁତି ଦେଇ ଭୋଟ ନେଇଥିଲେ । ଏହା ଭିତରେ ଦୁଇଟି ବିଧାନସଭା ଅଧିବେଶନ ଗଲାଣି । ଏପର୍ଯ୍ୟନ୍ତ ୩୦୦ ୟୁନିଟ୍ ମାଗଣା ଦେଲେ ନାହିଁ । କୃଷି କ୍ଷେତ୍ରକୁ ମାଗଣା ବିଦ୍ୟୁତ ଯୋଗାଇବା ଦେବାର ପ୍ରତିଶ୍ରୁତି ଦେଇଥିଲେ । ଟାଟା ପାୱାର ଏକ ପାଖିଆ ଭାବେ ଉପଭୋକ୍ତାଙ୍କୁ ଭାରାକ୍ରାନ୍ତ କରୁଛି । ତେଣୁ ଆସନ୍ତାକାଲି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଚେତାବନୀ ଦେଇଛି ।