ସାଂସଦ ଅପରାଜିତା ଚାହିଁଥିଲେ ବେଗୁନିଆରେ ଶହେରୁ ଅଧିକ ଶିଳ୍ପ ହୋଇଥାନ୍ତା: କାର୍ତ୍ତିକ ପାଣ୍ଡିଆନ
1 min readବେଗୁନିଆ: ଖୋର୍ଦ୍ଧା ବେଗୁନିଆରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିଫଳତାର ଲମ୍ବା ଚିଠା ଦେଲେ ବିଜେଡିର ବରିଷ୍ଠ ନେତା ତଥା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସାଧାରଣ ଲୋକଙ୍କ ଭୋଟରେ ସାଂସଦ ହୋଇ ମଧ୍ୟ ନିଜ ଦାୟିତ୍ବ ଭୁଲିଗଲେ। ଡରରେ ବୋଲଗଡ ବେଗୁନିଆ ଆସିଲେ ନାହିଁ । ଅପରାଜିତା ଷଡ଼ଙ୍ଗୀ ଜଣେ ସର୍ବଭାରତୀୟ ସ୍ତରର ଅଫିସର ଥିଲେ। ସେ ଚାହିଁଥିଲେ ବୋଲଗଡ ଓ ବେଗୁନିଆକୁ ଅନେକ କେନ୍ଦ୍ରୀୟ ଯୋଜନା ଆଣି ପାରିଥାନ୍ତେ। ସେ ଚାହିଁଥିଲେ ବେଗୁନିଆରେ ଶହେରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ହୋଇଥାନ୍ତା। ବହୁ ସଂଖ୍ୟାରେ ଯୁବକ ଯୁବତୀ ନିଯୁକ୍ତି ପାଇଥାନ୍ତେ ।
କୋଭିଡ ସମୟରେ ସବୁ ଲୋକ ନିୟମ ମାନିଲେ। କିନ୍ତୁ ସେ ଅମାନିଆ ହେଲେ। ବୋଧହୁଏ ଦେଶରେ ସେ ଏକମାତ୍ର ଜନପ୍ରତିନିଧି, ଯିଏ କୋଭିଡ ନିୟମ ଭଙ୍ଗିବାରୁ ତାଙ୍କ ଉପରେ ଫାଇନ ଲାଗୁ ହୋଇଛି ବୋଲି କହିଥିଲେ କାର୍ତ୍ତିକ ପାଣ୍ଡିଆନ। ସେହିପରି ବୀର ପାଇକଙ୍କ ରକ୍ତ ଓ ତ୍ୟାଗକୁ ସମ୍ମାନ ଦେବାକୁ ଖୋର୍ଦ୍ଧା ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧିନତା ସଂଗ୍ରାମର ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚାରି ଥର ଚିଠି ଲେଖିଛନ୍ତି।
କିନ୍ତୁ ସାଂସଦ ମହୋଦୟା ଥରେ ହେଲେ କେନ୍ଦ୍ରରେ ଦାବି କରିନାହାଁନ୍ତି କି ସଂସଦରେ ଏହି ପ୍ରସଙ୍ଗ ଉଠାଇ ନାହାନ୍ତି। ମୁଖ୍ୟମନ୍ତ୍ରୀ ସବୁ କାମର ହିସାବ ଲୋକଙ୍କୁ ଦେଉଛନ୍ତି। ସାଂସଦ ଅପରାଜିତା କିନ୍ତୁ ଲୋକଙ୍କୁ ହିସାବ ଦେଇପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ଦିନ ରାତି ଲୋକଙ୍କ ପାଇଁ କାମ କରୁଛନ୍ତି। ପାଞ୍ଚ ବର୍ଷ ପରେ ପୁଣି ଥରେ ସୁଯୋଗ ଆସିଛି। ତେଣୁ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଜିତାଇବାକୁ ଅପିଲ କଲେ କାର୍ତ୍ତିକ ପାଣ୍ଡିଆନ।