ବିଜେପି ସରକାରଙ୍କୁ ବିଜେଡିର ପରାମର୍ଶ, ଯୋଜନା ବନ୍ଦ କଲେ ଭଲ ହେବନି

1 min read

ଭୁବନେଶ୍ବର: ସଫଳତା ଓ ସମନ୍ବୟ ମଧ୍ଯରେ ସମ୍ବନ୍ଧ ରହିଛି। ପୂର୍ବତନ ନବୀନ ପଟ୍ଟନାୟକଙ୍କ ସରକାର ଅମଳରେ ରାଜ୍ଯର ବଦଳିଥିଲା ଆର୍ଥିକ, ସମାଜିକ, ରପ୍ତାନୀ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରର ଚିତ୍ର। ଦେବାଳିଆ ଅବସ୍ଥାରେ ରାଜ୍ଯକୁ ଏକ ସମୃଦ୍ଧ ରାଜ୍ଯରେ ପରିଣତ କରିବାରେ ନବୀନ ପଟ୍ଟନାୟକଙ୍କ ଭୂମିକା ଐତିହାସିକ ବୋଲି କହିଛନ୍ତି, ବିଜେଡି ସଭାପତିଙ୍କ ରାଜନୈତିକ ସଚିବ ଡକ୍ଟର ସନ୍ତୃପ୍ତ ମିଶ୍ର। ସେ କହିଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କ ସରକାର ୮ ହଜାର ୮୬୦ ଦିନ କାମ କରିଥିଲା। ନୂତନ ସରକାର ୧୦୦ ଦିନର ସଫଳତା କଥା କହୁଛନ୍ତି।

ଗତ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତିକ ପରାମର୍ଶଦାତା ପରିଷଦର ୱାର୍କିଂ ପେପର ପ୍ରକାଶ ହୋଇଥିଲା। ଏହି ପେପରରେ ୨୦୦୦ରୁ ୨୦୨୪ ମଧ୍ଯରେ ଅର୍ଥନୈତିକ ପରିବର୍ତ୍ତନ ସଂକ୍ରାନ୍ତ ତଥ୍ଯ ଉପସ୍ଥାପିତ ହୋଇଛି। ଏହି ପେପରରେ ଓଡ଼ିଶାକୁ ଭୁରି ଭୁରି ପ୍ରଶଂସା କରାଯାଇଛି। ମୁଣ୍ଡପିଛା ଆୟର ଦ୍ରୁତ ଅଭିବୃଦ୍ଧି କରିବାରେ ଗତ ଦୁଇ ଦଶନ୍ଧିରେ ଓଡିଶା ପ୍ରଥମ। ନବୀନ ପଟ୍ଟନାୟକଙ୍କ ସଫଳତାର ଯାତ୍ରା ଏହି ରିପୋର୍ଟରେ ପ୍ରତିଫଳିତ ହୋଇଛି। ଜାତୀୟ ଜିଡିପିରେ ଓଡ଼ିଶାର ଯୋଗଦାନ ବି ଉଲ୍ଲେଖନୀୟ ଥିଲା। ୨୦୦୧ରେ ଓଡ଼ିଶାର ଆପେକ୍ଷିକ ମୁଣ୍ଡପିଛା ଆୟ ୫୫.୮ ପ୍ରତିଶତ ଥିଲା। ୨୦୨୩-୨୪ରେ ୮୮.୫ ପ୍ରତିଶତରେ ପହଞ୍ଚିଥିଲା। ଜିଡିପି ଯୋଗଦାନରେ ମଧ୍ଯ ବଡ଼ ବଡ଼ ରାଜ୍ଯକୁ ପଛରେ ପକାଇଥିଲା ଓଡ଼ିଶା। ୨୦୦୦-୦୧ରେ ଭାରତର ଜିଡିପିରେ ଓଡିଶାର ଯୋଗଦାନ ୨.୩ ପ୍ରତିଶତ ଥିଲା। ୨୦୨୩-୨୪ରେ ବଢି ଏହା ୨.୮ ପ୍ରତିଶତ ହୋଇଥିଲା। ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡକୁ ପଛରେ ପକାଇଥିଲା ଓଡ଼ିଶା।

ଦାରିଦ୍ର୍ଯ ହ୍ରାସ, ସେମିକଣ୍ଡକ୍ଟର ନୀତି, ଫାଇଭ-ଟି ସ୍କୁଲର ରୂପାନ୍ତର ପରି ପଦକ୍ଷେପ ନେଇ ଓଡିଶାକୁ ବିକଶିତ କରିଥିଲେ ନବୀନ। ୨୦୦୦-୨୦୦୧ରେ ଓଡିଶାର ଲୋକଙ୍କ ମୁଣ୍ଡପିଛା ଆୟ ଥିଲା ୧୦ ହଜାର ୨୧୧ ଟଙ୍କା। ବର୍ତ୍ତମାନ ମୁଣ୍ଡପିଛା ଆୟ ୧ ଲକ୍ଷ ୬୧ ହଜାର ୪୩୭ଟଙ୍କା ରହିଛି। ଦାରିଦ୍ର୍ଯ ସୀମାରେଖା ତଳେ ୬୮.୩୪ ପ୍ରତିଶତ ଲୋକ ଥିଲେ। ସେମାନଙ୍କ ସଖ୍ଯା ୨୦୨୨-୨୩ରେ ୧୧ ପ୍ରତିଶତକୁ ଖସିଥିଲା। ରାଜ୍ଯର ଜିଡିପି ୨୦୦୦ ମସିହାରେ ୪୬ ହଜାର ୭୫୬ କୋଟି ଟଙ୍କା ଥିଲା। ୨୦୨୩-୨୪ରେ ତାହା ୮.୩ ଲକ୍ଷ କୋଟିରେ ପହଞ୍ଚିଛି ବୋଲି କହିଥିଲେ ସନ୍ତୃପ୍ତ। ପୂର୍ବତନ ସରକାର ଯେଉଁ ସବୁ ନୀତି ଓ ଯୋଜନା କରିଥିଲେ, ତାର ରଙ୍ଗ ଓ ନାଁ ପରିବର୍ତ୍ତନନ ନ କରି, ସେହି କାମ ବର୍ତ୍ତମାନ ସରକାର ଜାରି ରଖିଲେ ରାଜ୍ଯର ପ୍ରଗତିହେବ।