ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡିତାଙ୍କୁ ଭେଟିଛନ୍ତି ବିଜେଡିର ୪ ସାଂସଦ

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡିତାଙ୍କୁ ଭେଟିଛନ୍ତି ବିଜେଡିର ୪ ଜଣ ରାଜ୍ୟସଭା ସାଂସଦ । ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ଡ. ସସ୍ମିତ ପାତ୍ର, ସୁଲତା ଦେଓ ଓ ନିରଞ୍ଜନ ବିଶି ଏମ୍ସ ଯାଇ ପୀଡିତାଙ୍କୁ ଦେଖିଛନ୍ତି। ସେଠାରେ ପୀଡିତାଙ୍କ ଦାଦାଙ୍କ ସହ ଆଲୋଚନା କରିବା ସଙ୍ଗେ ସଙ୍ଗେ ଡାକ୍ତରଙ୍କଠା ପୀଡିତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଅବଗତ ହୋଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ସାଂସଦମାନେ ପୀଡିତାଙ୍କୁ ଦେଖିବା ସହ ଚିକିତ୍ସା ପାଇଁ ଯାହା ଆବଶ୍ୟକ ସମସ୍ତ ସହଯୋଗ କରିବାକୁ ଆଶ୍ବାସନା ଦେଇଛନ୍ତି । ଗତ ଶନିବାର ଦିନ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ବଳଙ୍ଗା ଥାନା ଅର୍ନ୍ତଗତ ଗୋପିନାଥପୁର ପଞ୍ଚାୟତର ବାଇବର ନୂଆ ଗୋପାଳପୁର ଗାଁରେ ଜଣେ ୧୫ ବର୍ଷ ବୟସ୍କା ନାବାଳିକାଙ୍କୁ ୩ ଜଣ ଦୁର୍ବୃତ୍ତ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ତାଙ୍କୁ ତୁରନ୍ତ ଭୁବନେଶ୍ବର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପୀଡିତାଙ୍କ ଶରୀର ୭୫ ଭାଗ ଜଳିଯାଇଥିବା ଡାକ୍ତର କହିଥିଲେ । ତେବେ ଅଧିକ ଚିକିତ୍ସା ପାଇଁ ରବିବାର ଦିନ ପୀଡିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା । ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ଚିକିତ୍ସା ଜାରି ରହିଛି । ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା ଗତକାଲି ଦିଲ୍ଲୀ ଏମ୍ସ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଥିଲା । ଆଜି ବିଜେଡି ସାଂସଦମାନେ ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ଦାଦାଙ୍କୁ ଭେଟି ତାଙ୍କୁ ଆଶ୍ବାସନା ପ୍ରଦାନ କରିଛନ୍ତି । ପୀଡିତା ଖୁବ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି କାମନା କରିଛନ୍ତି ।