ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାମ ଘରେ ଘରେ ପହଞ୍ଚାଇବାକୁ ଶପଥ ନେଲେ ବିଜେଡି ଯୁବ କର୍ମୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଘରେ ଘରେ ପହଞ୍ଚିବ । ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବେ ବିଜେଡି ଯୁବ ଓ ଛାତ୍ର ସଂଗଠନ କର୍ମକର୍ତ୍ତା । ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଥିବା ଜିଲ୍ଲା ଯୁବ ଓ ଛାତ୍ର ବିଜେଡିର ନେତୃତ୍ବ ସମ୍ମିଳନୀରେ ନେଲେ ଶପଥ । ରାଜ୍ୟସ୍ତରୀୟ ନେତା କରାଇଲେ ଶପଥ ପାଠ ।
ବରମୁଣ୍ଡା ପଡ଼ିଆରେ ଚାଲିଥିବା କାର୍ଯ୍ୟକ୍ରମରେ ବିଜେଡିର ଆଗ ଧାଡିର ନେତା ସାମିଲ ହୋଇଛନ୍ତି । ଏଥିରେ ଯୁବ ଓ ଛାତ୍ରଙ୍କୁ ଗୁରୁମନ୍ତ୍ର ଦିଆଯାଉଛି । ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଗାଁ ଗାଁ ବୁଲି ବିଜେଡି ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ଯୁବ ଓ ଛାତ୍ରଙ୍କୁ ଦାୟିତ୍ବ ବଣ୍ଟନ କରାଯିବ । ସେହିପରି ନେତୃତ୍ବ ସମ୍ମିଳନୀ ଜରିଆରେ ପୌର ନିର୍ବାଚନ ପାଇଁ ବି ଛାତ୍ର ଓ ଯୁବକଙ୍କୁ ପ୍ରସ୍ତୁତ କରିବ ଦଳ । ଓ୍ବାର୍ଡ ଗୁଡ଼ିକରେ ସଂଗଠନ ଅଧିକ ମଜବୁତ କରିବାରେ ପ୍ରମୁଖ ଭୂମିକା ନେବେ ଛାତ୍ର ଓ ଯୁବ ନେତା ।
କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା, ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଅଶୋକ ପଣ୍ଡା, ବିଜେଡି ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରଣବ ବଳବନ୍ତରାୟ, ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ, ବରିଷ୍ଠ ନେତା ଅରୂପ ପଟ୍ଟନାୟକ, ବିଧାୟକ ଅନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ । କାର୍ଯ୍ୟକ୍ରମରେ ଭୁବନେଶ୍ବର ଶତାଧିକ ଯୁବ ଓ ଛାତ୍ର କର୍ମୀ ଯୋଗ ଦେଇ ଶପଥ ପାଠ କରିଛନ୍ତି ।