ଜାରି ରହିଛି ନବୀନଙ୍କ କ୍ରେଜ, ଭାଜପା ହାତରୁ ଛଡାଇ ଆଣିଲା ବାଲେଶ୍ୱର ସଦର, ତିର୍ତ୍ତୋଲରେ ବଜାୟ ରହିଲା ବିଜୟ ଧାରା

1 min read

ଭୁବନେଶ୍ୱର: ଜାରି ରହିଛି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରେଜ୍ । ଅବିରତ ରହିଛି ବିଜେଡି ପ୍ରତି ଲୋକଙ୍କ ଭଲ ପାଇବା । ମାତ୍ର ବର୍ଷକ ତଳେ ଯେଉଁ ଆସନ ଭାଜପା ପାଖରେ ଥିଲା । ତାହା ଆଜି ବିଜେଡି ଖାତାରେ ଯୋଡି ହୋଇ ଯାଇଛି । ବହୁଚର୍ଚ୍ଚିତ ବାଲେଶ୍ୱର ସଦର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ତାଙ୍କର ନିକଟତମ ପ୍ରତିଦ୍ୱଦ୍ୱୀ ମାନସ କୁମାର ଦତ୍ତଙ୍କୁ ୧୩୩୫୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ତାଙ୍କ ନିକଟତମ ପ୍ରାର୍ଥୀଙ୍କୁ ୪୧,୭୦୩ ଖଣ୍ଡ ଭୋଟରେ ହରାଇଛନ୍ତି ।  କେବଳ ବାଲେଶ୍ୱର ନୁହେଁ, ତିର୍ତ୍ତୋଲ ଆସନ ମଧ୍ୟ ବିଜେଡି ବଜାୟ ରଖିଛି ।  ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)  ସୁଶୀଲ କୁମାର ଲୋହାନୀ ମଧ୍ୟ ଆନୁଷ୍ଠାନିକ ଘୋଷଣା କରିଛନ୍ତି ।   ୨ ବିଜୟ ସହ  ଓଡ଼ିଶା ବିଧାନସଭାରେ ବିଜେଡିର ମୋଟ ଆସନ ସଂଖ୍ୟାରେ ଏକ ବୃଦ୍ଧି ହୋଇଛି । ସେହିପରି ଭାଜପାର ଗୋଟିଏ ଆସନ କମିଯାଇଛି । ଭାଜପା ୨୩ରୁ ୨୨କୁ ଆସିଥିବା ବେଳେ ବିଜେଡି ଆସନ ସଂଖ୍ୟା 114ରେ ପହଞ୍ଚିଛି । ଶେଷତମ ସୂଚନାନୁଯାୟୀ, ବାଲେଶ୍ୱର ଆସନରେ ବିଜେଡି ପ୍ରାର୍ଥୀ ୮୪,୦୯୭ ଖଣ୍ଡ ଭୋଟ୍ ପାଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ମାନସ ଦତ୍ତ ୭୦,୭୪୬ ଖଣ୍ଡ ଭୋଟ୍ ପାଇଛନ୍ତି । ହେଲେ କଂଗ୍ରେସ ପ୍ରାର୍ଥିନୀ ମମତା କୁଣ୍ଡୁ  ୪୯୮୩ ଖଣ୍ଡ ଭୋଟ ପାଇ ସାରିଥିଲେ ।

କେବଳ ବାଲେଶ୍ୱର ନୁହେଁ । ତିର୍ତ୍ତୋଲରେ ମଧ୍ୟ ବାଜିମାତ କରିଛି ବିଜେଡି । ପୂର୍ବତନ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁତରଣ ଦାସଙ୍କ ଅକାଳ ବିୟୋଗ ପରେ ତାଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରାଯାଇଥିଲା । ଏହି ଆସନରେ ବିଜୟ ଶଙ୍କର ନିଜର ନିକଟତମ ପ୍ରାର୍ଥୀ ଭାଜପାର ରାଜକିଶୋର ବେହେରାଙ୍କୁ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ସେହିପରି କଂଗ୍ରେସର ପ୍ରଦର୍ଶନ ବାଲେଶ୍ୱରରେ ଅତ୍ୟନ୍ତ ନିମ୍ନମାନର ରହିଛି । ହେଲେ ବାଲେଶ୍ୱର ତୁଳନାରେ ତିର୍ତ୍ତୋଲ ଟିକେ ଭଲ ପ୍ରଦର୍ଶନ କରିଛି ।କେବଳ ଓଡ଼ିଶା ନୁହେଁ । ବିଭିନ୍ନ ରାଜ୍ୟରେ ଉପନିର୍ବାଚନ ଅନୁଷ୍ଠିତ ହେଉଥିଲା । ପ୍ରତି ରାଜ୍ୟରେ ବିଜେପି ପ୍ରାର୍ଥୀମାନଙ୍କ ପ୍ରଭାବୀ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ହେଲେ ଓଡ଼ିଶାରେ ପୂର୍ବଭଳି ଆଞ୍ଚଳିକ ଦଳ ବିଜେଡିର ଦବଦବା ଦେଖିବାକୁ ମିଳିଛି । ତିର୍ତ୍ତୋଲରେ ବିଜେପି ପ୍ରାର୍ଥୀ ବିଜୟ ଶଙ୍କର ୮୪,୫୫୬ ଖଣ୍ଡ ଭୋଟ୍, ବିଜେପି ପ୍ରାର୍ଥୀ ରାଜ କିଶୋର ୪୫,୦୪୫ ଖଣ୍ଡ ଏବଂ କଂଗ୍ରେସ ପ୍ରାର୍ଥୀ ହିଂମାଶୁ ମଲ୍ଲିକ ୨୬୭୬୦ ଖଣ୍ଡ ପାଇଥିବା ଜଣା ପଡିଛି ।

ବିଜେପୁର ହେଉ କି ପାଟକୁରା, । ଆଉ ଏବେ ବାଲେଶ୍ୱର-ତିର୍ତ୍ତୋଲ । ଉପନିର୍ବାଚନ ମାନେ ବିଜେଡି ଖାତାରେ ଆସନ । ନବୀନଙ୍କ ଲୋକପ୍ରିୟତା ଆଗରେ ବିରୋଧୀଙ୍କ ରଣନୀତି ନା ଅତୀତରେ କାମ ଦେଇଥିଲା, ନା ଏବେ ଦେଇଛି । ରାଜ୍ୟ ସରକାରଙ୍କ ବିକାଶର ଚମକ ଆଗରେ ଫିକା ପଡିଯାଇଛି ବିରୋଧୀଙ୍କ ପ୍ଲାନ, ପ୍ରୋପାଗଣ୍ଡା ଓ ପ୍ରେଡିକସନ୍ ।

ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ବିୟୋଗ ପରେ, ଆରମ୍ଭ ହୋଇଥିଲା ଉପନିର୍ବାଚନ ରେସ । ତିନି ପ୍ରମୁଖ ଦଳରେ ଥିଲା ଆଶାୟୀଙ୍କ ଲମ୍ବା ତାଲିକା । ବିଜେପି ଗଡ଼ ରକ୍ଷା ପାଇଁ ମଦନମୋହାନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କ ପ୍ରାର୍ଥୀ କରିଥିଲା । କଂଗ୍ରେସ ମହିଳା କାର୍ଡ ଖେଳି ମମତା କୁଣ୍ଡୁଙ୍କୁ ପ୍ରାର୍ଥୀ କରିବା ସହ ନିର୍ବାଚନୀ ମାହୋଲରେ ଭରିଥିଲା ନୂଆ ଉଷ୍ଣତା । ହେଲେ ହେଭିୱେଟ ଓ ପୁରୁଣା ଆଶାୟୀଙ୍କୁ ବାଦ ଦେଇ ବିଜେଡି ଆଣିଥିଲା ଏକ ମୁହଁ । ଆଉ ତାଙ୍କ ମୁଣ୍ଡରେ ବିଜୟ କଳସ ଢାଳିବାକୁ ଆରମ୍ଭ କରିଦେଇଥିଲେ ସଂକଳ୍ପ । ଗତଥର ନିର୍ବାଚନରେ ମୋଟ  70.88% ମତଦାନ ହୋଇଥିଲା । ସେମଧ୍ୟରୁ ବିଜେପି ୪୭.୨୬% ଭୋଟ୍ ସହ ବାଜିମାତ କରିଥିଲା । ହେଲେ ବର୍ଷକ ଭିତରେ ନବୀନଙ୍କ ଜଲୱା ଭୋଟଗଣିତକୁ ଓଲଟାଇ ଦେଇଛି । ଏଥର ବିଜେପିକୁ 2ୟ ନମ୍ବରକୁ ଠେଲିଦେଇ ଏକ ନମ୍ବର ହୋଇଛି ବିଜୁ ଜନତା ଦଳ ।

ନିର୍ବାଚନୀ ମଇଦାନରେ ନବୀନ ଥରେ ହାତ ହଲାଇଦେଲେ, ବିଜେଡି ଖାତାକୁ ପଳାଇଯାଏ ସେହି ଆସନ । ଏଥର କୋଭିଡ କଟକଣା ପାଇଁ ଯଦିଓ,  ମୁଖ୍ୟମନ୍ତ୍ରୀ ନିଜେ ମୈଦାନକୁ ନଯାଇ ଭର୍ଚୁଆଲରେ ପ୍ରଚାର କରିଥିଲେ । ହେଲେ ନବୀନଙ୍କ ପ୍ରତି ଆସ୍ଥା ଅତୁଟ ରହିଛି । ବିଶେଷଜ୍ଞ କହୁଛନ୍ତି, ନବୀନ ଯଦି ମୈଦାନକୁ ଓହ୍ଲାଇଥାନ୍ତେ, ତେବେ ଭୋଟ ବ୍ୟବଧାନ ଆହୁରି ଅଧିକ ରହିଥାନ୍ତା ।

ବିଷ୍ଣୁ ଦାସଙ୍କ ପୁଅ ବିଜୟଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ପ୍ରତ୍ୟକ୍ଷ ରାଜନୀତିରେ ନୂଆ ହୋଇଥିଲେ ମଧ୍ୟ ପାରିବାରିକ ଦୃଷ୍ଟିରୁ ରାଜନୀତିରେ ନୂଆ ନଥିଲେ ବିଜୟ । ଜନତା ବି ତାଙ୍କୁ ପସନ୍ଦ କରିଛନ୍ତି । ଭୋଟରଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇଛନ୍ତି ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ଓ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ । ରାଜକିଶୋର ପୂର୍ବରୁ ଦୁଇଥର କଂଗ୍ରେସ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ନିର୍ବାଚନ ପୂର୍ବରୁ ବିଜେପି ଆସି ପ୍ରାର୍ଥୀ ହୋଇଥିଲେ । ଏଥର ବି ପରାଜିତ ହୋଇଛନ୍ତି । ହାତ ବି ହାରି ଯାଇଛି ତିର୍ତ୍ତୋଲରେ । ସଫ୍ଟଓୟେର ଇଂଜିନିୟର ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ଭରସା କରି ପାରି ନାହାଁନ୍ତି ଭୋଟର ।

 

Tirtol By Poll BJD Held Meeting in Biridi
ସେହିପରି ବିଜେଡି ଗଠନ ପରଠାରୁ ମାତ୍ର ଥରୁଟିଏ,୨୦୦୪ ନିର୍ବାଚନକୁ ଛାଡ଼ି ସବୁଥର ତିର୍ତ୍ତୋଲରେ ଜିତି ଆସୁଛି ଦଳ । ୨୦୦୦ ନିର୍ବାଚନ ପୂର୍ବରୁ ତିର୍ତ୍ତୋଲ ଥିଲା କଂଗ୍ରେସର ଦୁର୍ଗ । ହେଲେ କଂଗ୍ରେସର ଦୁର୍ଗ ଭୁଶୁଡ଼ି ପଡ଼ିଛି, ସୁଦୃଢ଼ ହୋଇଛି ବିଜେଡି ଦୁର୍ଗ । ତିର୍ତ୍ତୋଲର ତାଜ୍ ପୁଣି ପିନ୍ଧିଛି ବିଜୁ ଜନତା ଦଳ ।ଉଲ୍ଲେଖଯୋଗ୍ୟ, କରୋନା ପରେ ଓଡ଼ିଶାରେ ପ୍ରଥମଥର ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଛି । କୋଭିଡ କଟକଣା ମଧ୍ୟରେ ଭୋଟ ଦାନଠାରୁ ଭୋଟ ଗଣତି ହୋଇଥିଲା । ବାଲେଶ୍ଵର ପାଇଁ ୩ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଫଳାଫଳ ଜାଣିବା ପାଇଁ ବଡ଼ ବଡ଼ TVର ବ୍ୟବସ୍ଥା କରାଯାଇଛି । ECI ୱେବସାଇଟରେ ପ୍ରତି ରାଉଣ୍ଡରେ ଫଳାଫଳ ଉପଲବ୍ଧ ରହିଛି । ସେପଟେ ତ୍ତିର୍ତ୍ତୋଲ ଭୋଟ ଗଣତି ପାଇଁ ବି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । SVM କଲେଜରେ ଦୁଇଟି ହଲରେ ଚାଲିଛି ତିର୍ତ୍ତୋଲ ପାଇଁ ଗଣନା  । ହଲରେ ୭ଟି ଲେଖାଏଁ ଟେବୁଲ ପଡ଼ିଛି । ଏହା ସହ ପୋଷ୍ଟାଲ ବାଲଟ୍ ପେପର ଗଣତି ପାଇଁ  ଆଉ ଗୋଟିଏ ହଲରେ ଦୁଇଟି ଟେବୁଲର ବ୍ୟବସ୍ଥା ହୋଇଛି  । ଗଣତି ସମୟରେ  ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଣ୍ଟାଣ୍ଡ ଓ କାଉଣ୍ଟି ସୁପର ଭାଇଜର ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ, ୩୭ ଜଣ ଅଫିସର,   ଜଣେ ଆଡିସନାଲ ଏସପି ଓ ତିନି ଜଣ ଡିଏସପି ମୁତୟନ ରହିବେ  । CRPFର ଗୋଟିଏ ପ୍ଲାଟୁନ୍ ମଧ୍ୟ ମୁତୟନ ହୋଇଛନ୍ତି ।

 

 

Leave a Reply