ବିଜେଡିକୁ ୯୦ ପ୍ରତିଶତ ଭୋଟ୍, ବିରୋଧୀଙ୍କ ଲଜ୍ଜାଜନକ ପ୍ରଦର୍ଶନ

ଭୁବନେଶ୍ବର: ପୌର ନିର୍ବାଚନରେ ଐତିହାସିକ ବିଜୟ ଆଡକୁ ଆଗଉଛି ବିଜେଡି । ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ବିଜେଡିକୁ ବିପୁଳ ସମର୍ଥନ ଦେଇଛନ୍ତି ରାଜ୍ୟବାସୀ । ପୌର ନିର୍ବାଚନରେ ବିଜେଡିକୁ ମିଳିଛି ୯୦ ପ୍ରତିଶତରୁ ଅଧିକ ଭୋଟ୍ ।

ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବେଚନରେ ମଧ୍ୟ ବିରୋଧୀ ବିଜେପି ଓ କଂଗ୍ରେସ ମାଟି କାମୁଡିଛନ୍ତି । ଗୋଟିଏ ପଟେ ବିଜେଡିକୁ ୯୦ ପ୍ରତିଶତ ଭୋଟ ମିଳିଥିବା ବେଳେ ବିଜେପିକୁ ମିଳିଛି ମାତ୍ର ୩.୫ ପ୍ରତିଶତ ଭୋଟ । ଅନ୍ୟପକ୍ଷରେ ଦେଶର ସର୍ବପୁରାତନ ଦଳ କଂଗ୍ରେସକୁ ମିଳିଛି ମାତ୍ର ୪.୫ ପ୍ରତିଶତ ଭୋଟ ।

ଗୋଟିଏ ପରେ ଗୋଟିଏ ନିର୍ବାଚନରେ ବିଜେଡି ବିଜୟ ପତାକା ଉଡାଇ ଚାଲିଥିବା ବେଳେ ବିରୋଧୀଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ଗାଁ ଭୋଟରଙ୍କ ପରି ସହରୀ ଭୋଟର ମଧ୍ୟ ବିଜେଡି ଉପରେ ଭରସା ଦେଖାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଯୋଜନା, ସ୍ବାଚ୍ଛ ଓ ନିର୍ମଳ ଶାସନ ରାଜ୍ୟବାସୀଙ୍କ ହୃଦୟ ଜିଣିଛି । ଯାହାର ପ୍ରତିଫଳନ ପୌର ନିର୍ବାଚନରେ ଦେଖିବାକୁ ମିଳିଛି । ବିଜେଡିର ବିକାଶ ଧାରା ଉପରେ ସହରବାସୀ ପୁଣି ଥରେ ବିଶ୍ବାସ ଦେଖାଇଛନ୍ତି ।

ବର୍ତ୍ତାମନ ସୁଦ୍ଧା ବିଜେଡି ୩ ମହାନଗର ନିଗମ ମେୟର ପଦରୁ ବ୍ରହ୍ମପୁରରେ ବିଜୟ ହାସଲ କରିସାରିଛି । ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦେଳେଇ ୨୦ ହଜାର ୨୮୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଅନ୍ୟ ଦୁଇ ମହାନଗର ନିଗମ କଟକ ଓ ଭୁବନେଶ୍ବରରେ ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ଏବଂ ସୁଲୋଚନା ଦାସ ବହୁ ଭୋଟ ଆଗରେ ଚାଲିଛନ୍ତି । ଏଠାରେ ମଧ୍ୟ ବିଜେଡିର ବିଜୟ ଏକପ୍ରକାର ସ୍ପଷ୍ଟ ହୋଇ ସାରିଛି ।

ସେହିପରି ୩୦ ଜିଲ୍ଲାର ୧୦୫ ଅଧ୍ୟକ୍ଷ ପଦରୁ ୭୩ଟିରେ ବିଜେଡି ବିଜୟୀ ହୋଇଥିବା ବେଳେ ବିଜେପି ୧୬, କଂଗ୍ରେସ ୭ଟି ଆସନରେ ବିଜୟୀ ହୋଇଛନ୍ତି । ସ୍ବାଧୀନଙ୍କ ଖାତାକୁ ୯ଟି ଅଧ୍ୟକ୍ଷ ଆସନ ଯାଇଛି ।

ଯେମିତି ଯେମିତି ନିର୍ବାଚନ ଫଳଫଳ ଆସୁଛି, ବିଜେଡି ନେତା ଓ କର୍ମୀ ବିଜୟ ଉତ୍ସବ ଆରମ୍ଭ କରି ଦେଇଛନ୍ତି । କେଉଁଠି ବିଜେଡି କର୍ମୀ ମିଠା ବାଣ୍ଟୁଛନ୍ତି ତ ଆଉ କେଉଁଠି ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରୁଛନ୍ତି ।