ମହିଳାଙ୍କ ସୁରକ୍ଷା ଦାବି କରି ରାଜ୍ୟର ସବୁ ଏସପିଙ୍କୁ ଦାବିପତ୍ର ଦେବ ବିଜେଡି

ମହିଳାଙ୍କୁ ସୁରକ୍ଷା ଦାବି କରି ଆଜି ରାଜ୍ୟର ସବୁ ଏସପିଙ୍କୁ ଦାବିପତ୍ର ଦେବ ବିଜେଡି। ତଥାପି ଯଦି ନ ଚେତିବେ ରାଜ୍ୟ ସରକାର, ତେବେ ଗାଁରେ ଗାଁରେ ଜୋରଦାର ଆନ୍ଦୋଳନ କରାଯିବ। ବିଜେଡି ଅଭିଯୋଗ କରିଛି, ରାଜ୍ୟରେ ମହିଳାଙ୍କ ବିରୋଧରେ ପ୍ରତିଦିନ ବଢ଼ିଚାଲିଛି ନିର୍ଯାତନା। ଅସୁରକ୍ଷିତ ମଣିଲେଣି ମହିଳା। ସୁରକ୍ଷା ପ୍ରଦାନ ପାଇଁ ବାରମ୍ବାର ଅନୁରୋଧ କରାଗଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ପୋଲିସ ପ୍ରତି ଅପରାଧୀଙ୍କ ଭୟ ନାହିଁ। ଓଡ଼ିଶାର ଗର୍ବ ଓ ଗୌରବକୁ ମାଟିରେ ମିଶାଇ ଦେଲାଣି ବିଜେପି ସରକାର। ମହିଳାଙ୍କୁ ସୁରକ୍ଷା ପ୍ରଦାନ ଦାବିରେ ଆଜି ସବୁ ଜିଲ୍ଲାର ଏସପି ଅଫିସରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯିବ। ଯଦି ସରକାର ନ ଚେତିବେ, ତେବେ ଆନ୍ଦୋଳନକୁ ଗାଁ ଗାଁରେ ଜୋରଦାର କରିବାକୁ ଚେତାବନୀ ଦେଇଛି ବିଜେଡି। ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ସୁରକ୍ଷିତ ନୁହନ୍ତି, ସବୁ ଥାନାରେ ନାହିଁ ମହିଳା ଓ ଶିଶୁ ଡେସ୍କ। ଯେଉଁଠି ଅଛି ସେଠାରେ ପୁରୁଷ କର୍ମଚାରୀ ବସୁଛନ୍ତି। ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ଠାରୁ ଆରମ୍ଭ କରି ପୁରୀ ବାଲିହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାରେ ଅପରାଧୀଙ୍କ ଉପରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ସରକାର। ବାଲେଶ୍ବର ଓ ବଳଙ୍ଗା ପୀଡିତାଙ୍କ ଦେହାନ୍ତ ପରେ ବି ଚେତିଲାନି ବିଜେପି ସରକାର। ଏପରି ସ୍ଥଳେ ପୋଲିସ ଡିଜି କହୁଛନ୍ତି ମହିଳାଙ୍କୁ ସୁରକ୍ଷା ଦେବାକୁ ପୋଲିସ ଫୋର୍ସ କମ୍ ଅଛନ୍ତି। ତେଣୁ ମହିଳାଙ୍କ ସୁରକ୍ଷା ପାଇଁ ବିଜୁ ଜନତା ଦଳ ରାଜରାସ୍ତାରେ ଲଢ଼େଇ କରିବ ବୋଲି ଚେତାବନୀ ଦେଇଛି।