ରାଜ୍ୟବାସୀଙ୍କ ସ୍ବର ସାଜିବ ବିଜେଡି: ବିଧାୟକ ଦଳ ବୈଠକରେ ବଜେଟ ଅଧିବେଶନ ଲାଗି ପ୍ରସ୍ତୁତ ହେବ ରଣନୀତି

ଭୁବନେଶ୍ବର: ସଶକ୍ତ ବିରୋଧୀ ଦଳ ଭାବେ ବିଧାନସଭାରେ ଲୋକଙ୍କ ସ୍ବର ସାଜିବ ବିଜେଡି । ରାଜ୍ୟ ସ୍ବାର୍ଥ ଓ ଓଡ଼ିଶାର ହକ ଲାଗି ବିଧାନସଭାରେ ଲଢିବ ବିଜେଡି । ଆସନ୍ତା ୨୦ ତାରିଖରେ ଦଳ ବଜେଟ ଅଧିବେଶନରେ କେଉଁ କେଉଁ ପ୍ରସଙ୍ଗ ଉଠାଇବ, ସେନେଇ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିବ । ଶଙ୍ଖ ଭବନରେ ବିଜେଡି ବିଧାୟକଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୁରୁମନ୍ତ୍ର ଦେବେ । ଅନ୍ୟପଟେ ବିଧାନସଭାରେ କଂଗ୍ରେସ ମୋହନ ସରକାରଙ୍କ ବିଫଳତାକୁ ଗୃହରେ ମୁଦ୍ଦା କରିବ ବୋଲି କହିଛି । ପୂର୍ବରୁ ଶାସକ ବିଜେପି କହିଛି ବିରୋଧୀ ଯେଉଁ ସବୁ ପ୍ରସଙ୍ଗ ଗୃହରେ ଉଠାଇବ ତାହାର ଜବାବ ଦେବାକୁ ଦଳ ପ୍ରସ୍ତୁତ ଅଛି ।

ବିଧାୟକଙ୍କୁ ନବୀନ ଦେବେ ଗୁରୁମନ୍ତ୍ର । ଗୃହରେ ଲୋକଙ୍କ ସ୍ବର ସାଜିବେ ବିଜେଡି ବିଧାୟକ । ଏନେଇ ଆସନ୍ତା ୨୦ ତାରିଖରେ ବସିବାକୁ ଯାଉଛି ବିଜେଡ଼ି ବିଧାୟକ ଦଳ ବୈଠକ । ବଜେଟ ଅଧିବେଶନରେ ଦଳ କେଉଁ ସବୁ ପ୍ରସଙ୍ଗ ଗୃହରେ ଦଳ ଉଠାଇବ, ସେନେଇ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ । ପ୍ରଥମ ଥର ଲାଗି ୫୧ ଜଣ ବିଧାୟକଙ୍କ ସହ ବିଜେଡି ସଶକ୍ତ ବିରୋଧୀ ଭାବେ ବିଧାନସଭାରେ ବିରୋଧୀ ଦଳର ଭୂମିକା ଲିଭାଇବ । ଜନସେବାକୁ ମୂଳମନ୍ତ୍ର କରି ଦଳ ଲୋକଙ୍କର ବିଭିନ୍ନ ସମସ୍ୟା ଉଠାଇ ଏହାର ସମାଧାନ କରିବାକୁ ଅଣ୍ଟା ଭିଡ଼ିଛି । ନବ ନିର୍ବାଚିତ ବିଧାୟକଙ୍କ ଯୁକ୍ତି ହେଉଛି, ବିଜେଡି ଶାସକ ଦଳରେ ଥାଉ କି ବିରୋଧୀ ଦଳରେ । ଦଳ ସବୁବେଳେ ଲୋକଙ୍କ ସମସ୍ୟା ସହ ଜଡ଼ିତ ହୋଇ ଏହାର ସମାଧାନ କରିଛି ଓ ଆଗକୁ ମଧ୍ୟ କରିବ ।

ସେପଟେ ନୂଆ ସରକାରଙ୍କ ପ୍ରତିଶ୍ରୁତି ଓ ବିଫଳତାକୁ କଂଗ୍ରେସ ବିଧାନସଭାରେ ମୁଖ୍ୟ ପ୍ରସଙ୍ଗ କରିବ । କଂଗ୍ରେସ ସବୁବେଳେ ଲୋକଙ୍କ ସ୍ବାର୍ଥ ପାଇଁ ଲଢେଇ କରିଛି ଓ ଆଗକୁ କରିବ ବୋଲି ବିଧାୟକ ତାରା ପ୍ରସାଦ ବାହୀନପତି କହିଛନ୍ତି । ପୂର୍ବରୁ ଶାସକ ବିଜେପି କହିଛି ଯେ, ଯେଉଁସବୁ ପ୍ରସଙ୍ଗ ଗୃହରେ ବିରୋଧୀ ଉଠାଇବେ ତାହାର ଜବାବ ଦେବାକୁ ଦଳ ପ୍ରସ୍ତୁତ ଅଛି ।

ଆସନ୍ତା ୨୨ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ । ଏହା ପୂର୍ବରୁ ଶାସକ ଓ ବିରୋଧୀ ବିଧାୟକ ଦଳ ବୈଠକ କରି ରଣନୀତି ପ୍ରସ୍ତୁତ କରିବାକୁ ସଜବାଜ ଆରମ୍ଭ କରିଛନ୍ତି ।