ବିଜେଡି ନେବ ସଙ୍କଳ୍ପ: ବିଜେପିର ମିଛ ଅସ୍ମିତା ବିରୋଧରେ ଆରପାର ଲଢ଼େଇ

ବିଜେଡି ନେବ ସଙ୍କଳ୍ପ । ବିଜେପିର ମିଛ ଅସ୍ମିତା ବିରୋଧରେ ଆରପାର ଲଢ଼େଇ । ପ୍ରମିଳା କହିଲେ- ପଦଯାତ୍ରାରେ କରାଯିବ ଜନ ସଚେତନ । କଂଗ୍ରେସର ବଦଳିଲା ପଦଯାତ୍ରା କାର୍ଯ୍ୟସୂଚୀ । ଅକ୍ଟୋବର ୯ରୁ ବିଜେଡିର ମାସେବ୍ୟାପୀ ପଦଯାତ୍ରା । ବିଜେପିର ମିଛ ଅସ୍ମିତା ବିରୋଧରେ ଗାଁ ଗାଁରେ କରାଯିବ ଜନ ସଚେତନ। ୧୫ମାସ ଭିତରେ ବିଜେପିର ଓଡିଆ ଅସ୍ମିତା ନାରା ଆଜି କେଉଁଠି ବୋଲି ଶାସକ ଦଳକୁ ପ୍ରଶ୍ନ ପଚାରିବ ଦଳ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି- ବିଜେପି ଓଡିଶାବାସୀଙ୍କୁ ମିଛ ଅସ୍ମିତା କଥା କହି ଆଜି ପ୍ରତ୍ୟେକ ଦିନ ଅସ୍ମିତାକୁ କୁଠାରାଘାତ୍ କରୁଛି। ମହିଳାମାନେ ଆଜି ଅସୁରକ୍ଷିତ। ବିଜେପି ସରକାର ପାଇଁ ଓଡିଆ ଅସ୍ମିତା ବିଶ୍ୱରେ ନି ନିନ୍ଦିତ ହୋଇଛି । ଆଡଭାଇଜରୀ ଜାରି କରି ମହିଳାମାନେ ଓଡ଼ିଶା ଗଲେ ସୁରକ୍ଷା ନେଇ ଯିବାକୁ ନିର୍ଦେଶାନାମା ଜାରି କରିଥିଲା ଆମେରିକା। ୧୫ମାସ ଭିତରେ ୩୬ ହଜାର ମହିଳା ନିର୍ଯ୍ୟାତନାର ଶିକାର ହୋଇଛନ୍ତି । ଏସବୁ କଥା ପଦଯାତ୍ରା ଜରିଆରେ ଲୋକଙ୍କୁ ସଚେତନ କରିବ ବିଜେଡି। ଗାନ୍ଧି ଜୟନ୍ତୀରେ ନେଇ ଦଳ ସଂକଳ୍ପ ନେବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ।

ସେପଟେ ନୂଆପଡ଼ା ଉପ ନିର୍ବାଚନ ପାଇଁ ବଦଳିଛି କଂଗ୍ରେସର ପଦଯାତ୍ରା ସମୟସୀମା । ଗାନ୍ଧି ଜୟନ୍ତୀରୁ ମାତ୍ର ୩ଦିନ ଦଳ କରିବ ପଦଯାତ୍ରା। ୨ ତାରିଖରେ ମାଲକାନଗିରିର ମୋଟୁ ଅଞ୍ଚଳରୁ ପଦଯାତ୍ରା ଆରମ୍ଭ କରିବ କଂଗ୍ରେସ । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ୨୦ କିଁଲୋମିଟର ପଦଯାତ୍ରା ଅନୁଷ୍ଠିତ ହେବ। ତିନିଦିନ ଧରି ପଦଯାତ୍ରା ଚାଲିବ। ଏହାପରେ ନଭେମ୍ବର ମାସରେ ପୁଣିଥରେ ପଦଯାତ୍ରା ଆରମ୍ଭ କରାଯାଇ ବର୍ଷେ ବ୍ୟାପୀ ଚାଲିବ ବୋଲି କହିଛନ୍ତି ଭକ୍ତ । ଓଡିଆର ସୀମାକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ମୋଟୁ ଅଞ୍ଚଳରୁ ପଦଯାତ୍ରାରେ ବିଜେପି ସରକାରଙ୍କ ବିଫଳତା ନେଇ ଲୋକଙ୍କୁ ସଚେତନ କରାଯିବ। ସେପଟେ ବିଜେପି କହିଛି- ପଦଯାତ୍ରା କରିବାର ସଭିଙ୍କ ଅଧିକାର ଅଛି। ବିଜେପି ଅସ୍ମିତା ଓ ଓଡ଼ିଶା ସୁରକ୍ଷାକୁ ଗୁରୁତ୍ଵ ଦେଇଛି। ପ୍ରତିବର୍ଷ ପରି ବିଜେଡି ପଦଯାତ୍ରା ଜରିଆରେ ଓଡିଶାବାସୀଙ୍କ ସହ ରାଜ୍ୟ ସ୍ବାର୍ଥ ପାଇଁ ଲଢ଼େଇ ଜାରି ରଖିଛି। ଏଥର ପଦଯାତ୍ରାରେ ବିଜେପିର ଅସ୍ମିତାର ମୁଖା ଖୋଲିବାକୁ ଦଳ ଆରମ୍ଭ କରିଛି ପ୍ରସ୍ତୁତି।