୩୩ ପ୍ରତିଶତ ଆସନରେ ମହିଳା ପ୍ରାର୍ଥୀ ଦେବ ବିଜେଡି

1 min read

ଭୁବନେଶ୍ବର: ଗତଥର ଭଳି ଆସନ୍ତା ଲୋକସଭା ନିର୍ବାଚନରେ ବିଜେଡି ୩୩ ପ୍ରତିଶତ ଆସନରେ ମହିଳା ପ୍ରାର୍ଥୀ ଦେବ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ।  ଆଜି ବିଜେଡି ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ କାର୍ଯ୍ଯକ୍ରମରେ ଉଦବୋଧନ ଦେଇ କହିଛନ୍ତି,  ମହିଳା ସଶକ୍ତିକରଣରେ ମହିଳାଙ୍କୁ ନିଷ୍ପତ୍ତି ନେବାର କ୍ଷମତା ଦେବା ଉପରେ ସେ ଗୁରୁତ୍ବ ଦେଇଛନ୍ତି ।

୨୦୧୯ ଲୋକସଭା ନିର୍ବାଚନରେ ନବୀନ ପଟ୍ଟନାୟକ ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ପ୍ରାର୍ଥୀ କରିଥିଲେ । ଉଭୟ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ନବୀନ ଉଦ୍ୟମ କରିଆସୁଛନ୍ତି । ବିଜୁ ଜନତା ଦଳ  ମହିଳାଙ୍କ ସମ୍ମାନ, ସମାନତା ଓ ସଶକ୍ତିକରଣ ପାଇଁ ସମର୍ପିତ । ଆଜି ଏହି ଶୀର୍ଷକରେ ଶଙ୍ଖ ଭବନରେ ବିଜେଡି ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ କାର୍ଯ୍ୟକ୍ରମରେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ଉଦବୋଧନ ଦେଇଥିଲେ । ବିଜୁ ଜନତା ଦଳ ଏକ ରାଜନୈତିକ ଦଳ ନୁହେଁ, ଏକ ସାମାଜିକ ଆନ୍ଦୋଳନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମହିଳା ସଂରକ୍ଷଣ ୫୦ ପ୍ରତିଶତକୁ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଥିଲେ । ସେହିପରି ଜିଲ୍ଲା ପରିଷଦରେ ମୁଖ୍ୟମନ୍ତ୍ରୀ ୭୦ ପ୍ରତିଶତ ମହିଳାଙ୍କୁ ସଭାନେତ୍ରୀ କରିଛନ୍ତି ବୋଲି ସେ କହିଛନ୍ତି ।

ରାଜ୍ଯରେ ବିନା ସୁଧରେ ମିଶନ ଶକ୍ତି ମାଆମାନଙ୍କ ଋଣ ପରିମାଣ ୧୦ ଲକ୍ଷ ଟଙ୍କାକୁ  ବୃଦ୍ଧି କରାଯାଇଛି । ୯୫ ପ୍ରତିଶତ ମହିଳା ୧୫ ହଜାର କୋଟି ଟଙ୍କା ଋଣ ନେଇ ଉଦ୍ୟୋଗୀ ହେଲେଣି । ଆଗାମୀ ଦିନରେ ଋଣର ପରିମାଣ ୨୦ ହଜାର କୋଟିରେ ପହଞ୍ଚିବ । ମାଆମାନେ ପାସପୋର୍ଟ ଅଫିସରେ ଲମ୍ବା ଲାଇନ ଲଗାଉଛନ୍ତି । ୮୦୦ରୁ ଅଧିକ ମିଶନ ଶକ୍ତି ମହିଳାଙ୍କୁ ଉଦ୍ୟୋଗୀ କରି ଦୁବାଇ ଓ ସିଙ୍ଗାପୁରରେ ବ୍ୟବସାୟ କରିବାକୁ ପଠାଇଲେଣି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଦେଇଥିବା ଦାୟିତ୍ବକୁ ସ୍ବଚ୍ଛ ଓ ସଠିକ୍ ଭାବେ ନିର୍ବାହ କରିବାକୁ ଆହ୍ବାନ ଦେଇଛନ୍ତି 5T ଅଧ୍ଯକ୍ଷ । ସଶକ୍ତ ଓ ନୂତନ ଓଡ଼ିଶା ଗଠନ ପାଇଁ ନିର୍ବାଚିତ ମହିଳାମାନଙ୍କୁ ନିଷ୍ପତ୍ତି ନେବାର କ୍ଷମତା ଉପରେ ଗୁରୁତ୍ବ ଦେଇଛନ୍ତି 5T ଅଧ୍ୟକ୍ଷ ।

ମହିଳା ସଶକ୍ତିକରଣ ଆରମ୍ଭ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ଏହାକୁ ଆହୁରି ଆଗକୁ ନେଇ ମହିଳା ସଶକ୍ତିକରଣର ରୋଲ ମଡେଲ ସାଜିଛନ୍ତି ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାତୃତ୍ବକାଳୀନ ଛୁଟି ସମସ୍ତଙ୍କ ଲାଗି ଲାଗୁ ହୋଇଛି । କାର୍ଯ୍ୟକାରୀ ହେଉଛି ମମତା ଯୋଜନା । ଏହି ଯୋଜନାରେ ପୂର୍ବରୁ ଗର୍ଭବତୀ ମହିଳା ୫ ହଜାର ଟଙ୍କା ପାଉଥିଲେ । ଏବେ ୧୦ ହଜାର ଟଙ୍କା ବ୍ଯବସ୍ଥା ହୋଇଛି । ଏହାର ଦେଢ଼ ବର୍ଷ ପରେ ତତ୍କାଳୀନ କେନ୍ଦ୍ର ସରକାର ଇନ୍ଦିରା ଗାନ୍ଧୀଙ୍କ ନାଁରେ ଏପରି ଏକ ଯୋଜନା ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନାକୁ ଅନ୍ୟ ରାଜ୍ୟ ଓ କେନ୍ଦ୍ର ଅନୁକରଣ କରୁଛନ୍ତି ।