ଆଜିଠାରୁ ଆସନ୍ତା ୭ ତାରିଖ ଯାଏଁ ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ଜନସଂପର୍କ ପଦଯାତ୍ରା
ଭୁବନେଶ୍ବର: ଆଜିଠାରୁ ଆସନ୍ତା ୭ ତାରିଖ ଯାଏଁ ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ଜନସଂପର୍କ ପଦଯାତ୍ରା । ବିଭିନ୍ନ ବ୍ଲକ ଓ ସାଂଗଠନିକ ଜିଲ୍ଲାରେ ଆରମ୍ଭ ହେବ ଅଭିଯାନ । ପୂର୍ବରୁ ଅକ୍ଟୋବର ୨୧ରୁ ୩୦ ଯାଏ ଦ୍ବିତୀୟ ପର୍ଯ୍ୟାୟ ପଦଯାତ୍ରା ସ୍ଥିରୀକୃତ ହୋଇଥିଲା। ହେଲେ ବାତ୍ଯା ଦାନା ନେଇ ସଙ୍କେତ ମିଳିଥିବାରୁ ତାରିଖ ପରିବର୍ତ୍ତନ କରିଥିଲା ଦଳ। ଯେଉଁ ସବୁ ସ୍ଥାନରେ ବାତ୍ୟାର ପ୍ରଭାବ ନଥିଲା, ସେଠାରେ ପୂର୍ବ ସୂଚୀ ଅନୁସାରେ ପଦଯାତ୍ରା ଜାରି ରହିଛି । ଗାନ୍ଧୀ ଜୟନ୍ତୀ ଅବସରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ ଦଳୀୟ ସଭାପତି ନବୀନ ପଟ୍ଟନାୟକ ।
ଜନସେବା ଓ ସମର୍ପଣ ମନୋଭାବକୁ ଗୁରୁତ୍ବ ଦେବା ସହ ବିଜେପି ସରକାରର ମିଛ ପ୍ରତିଶୃତି ବିରୋଧରେ ବର୍ଷିଥିଲେ ନବୀନ । ସେ ନିଜ ସମୟର ଓଡ଼ିଶା ବିକାଶର ରିପୋର୍ଟ ଜନସାଧାରଣଙ୍କ ଆଗରେ ରଖିଥିଲେ । ସେହିପରି ବିଜେପିର ମିଛ କଥାର ପୋଲ୍ ଖୋଲି ଏହି ବାର୍ତ୍ତାକୁ ପଦଯାତ୍ରା ମାଧ୍ୟମରେ ଘରେ ଘରେ ପହଞ୍ଚାଇବାକୁ ନବୀନ ନିଜ ନେତା ଓ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ପଦଯାତ୍ର ଉଦଘାଟନ ଦିନ ହିଁ ଏକାମ୍ର ଭୁବନେଶ୍ବରରେ ଦେଖିବାକୁ ମିଳିଥିଲା ନବୀନ କ୍ରେଜ। କ୍ଷମତାରେ ନଥିଲେ ବି ଜନସେବା ଜାରି ରଖିବାକୁ ଉଦବୋଧନ ଦେଇ ସମସ୍ତଙ୍କ ହୃଦୟ ଜିତିଥିଲେ ନବୀନ । ପଦଯାତ୍ରା ଜରିଆରେ ବି ଚାଲିଛି ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ । ତ୍ୟାଗ ଓ ସେବାର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ବିଜୁ ଜନତା ଦଳ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲା । ଏହା ଦୁଇ ମାସ ଧରି ଚାଲିବ । ଏଥର ଏକ କୋଟିରୁ ଅଧିକ ସଭ୍ୟ ସଂଗ୍ରହ ଲକ୍ଷ୍ଯ ରଖିଛି ବିଜେଡି।