ନୂଆ ବର୍ଷରେ ନୂଆ ରୂପ ନେବ ଦେଶର ଶକ୍ତିଶାଳୀ ଆଞ୍ଚଳିକ ଦଳ ବିଜେଡି

1 min read

ଭୁବନେଶ୍ବର : ନବୀନ ନିବାସରୁ ଶଙ୍ଖଭବନ। ଚାଲିଛି ସମୀକ୍ଷା ଓ ଆଲୋଚନା । ତୃଣମୂଳ ସ୍ତରରୁ ବିଜେଡିକୁ ମଜଭୁତ କରିବା ଉପରେ ଫୋକସ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରତିଷ୍ଠା ଦିବସରେ ଦଳ ନିର୍ବାଚନୀ ମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିବା ପରେ ଜୋସରେ ଆସିଛନ୍ତି ନେତା। ଏବେଠାରୁ ଦଳ ପଂଚାୟତ ଓ  ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ବିରୋଧୀ ଦଳ ନେତା ନବୀନ ଜିଲ୍ଲାଗସ୍ତରେ ବାହାରିବା ପରେ ବିଜେଡ଼ି ମହଲ ଉତ୍ସାହିତ ଅଛନ୍ତି। ବରିଷ୍ଠ ବିଜେଡ଼ି ବିଧାୟକ ଅଶ୍ବନୀ ପାତ୍ର କହିଛନ୍ତି ନବୀନଙ୍କ ପ୍ରତି ଲୋକଙ୍କ ଭଲ ପାଇବା ଅତୁଟ ରହିଛି । ନୂଆ ବର୍ଷରେ ଦଳ ନୂଆ ସଂକଳ୍ପ ନେଇ ଆଗକୁ ବଢିବ ବୋଲି ନେତାଏ କହିଛନ୍ତି । ପ୍ରତିଷ୍ଠା ଦିବସରେ ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସ  କହିଥିଲେ- ବିଜେଡି କର୍ମୀ କେବେ ଦଳ ଛାଡ଼ୁନାହନ୍ତି, ଯେଉଁମାନେ ଦଲାଲ ସେମାନେ ଦଳ ଛାଡ଼ୁଛନ୍ତି ।  ବିଜେଡ଼ି ସ ବୁବେଳେ ବିକାଶକୁ  ନେଇ କାମ କରିଛି ଓ କରିବ ବୋଲି ସେ କହିଥିଲେ।

ସେପଟେ ବିଜେପି ଓ କଂଗ୍ରେସକୁ ବି ଘାରିଛି ସଂଗଠନ ଚିନ୍ତା । ଶାସକ ବିଜେପି ବେକରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଓ ନିଗମ ବଣ୍ଟନ କଣ୍ଟା ସାଜିଛି । ସରକାର ଗଠନର ୬ ମାସ ପରେ ବି ନିଗମ ବଣ୍ଟନ କରିପାରିନାହିଁ ଦଳ । ଦଳୀୟ ବିଧାୟକଙ୍କ ପାଖରେ ଏ ସମ୍ପର୍କରେ କୌଣସି ଖବର ନାହିଁ ବୋଲି ବିଧାୟକ ସରୋଜ ପାଢୀ କହିଛନ୍ତି। ସେହିପରି ନୂଆ ବର୍ଷରେ କଂଗ୍ରେସ ନୂଆ ପିସିସି ସଭାପତି ପାଇବ ବୋଲି ନେତାଏ ଆଶା ରଖିଛନ୍ତି । ବିଜେଡ଼ି କହିଛି ନୂଆ ବର୍ଷ ବିଜେଡ଼ି ପାଇଁ ନୂଆ ସମ୍ଭାବନା ଆଣିବ । ୬ମାସ ପରେ ସରକାର ନିର୍ବାଚନ ପ୍ରତିଶୃତି ପାଳନ କରିବାରେ ବିଫଳ ହୋଇଥିବାରୁ ଆଗ୍ରେସିଭ ମୁଡ଼କୁ ଆସିଛି ବିଜେଡ଼ି । ଲୋକଙ୍କ ସ୍ବର ସାଜି ସରକାରଙ୍କ ଦୋଷତୃଟିକୁ ପଦାକୁ ଆଣୁଛି ଦଳ।