ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ପାଇଁ ପୁଣି ଦିଲ୍ଲୀ ଦରବାରରେ ସ୍ବର ଉଠାଇବ ବିଜେଡି

ଭୁବନେଶ୍ୱର :  ସଂସଦରେ ଶୀଘ୍ର ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ଦାବି ପୁଣି ଜୋରଦାର ହେବ । ଦେଶର ପ୍ରଥମ ରାଜନେତା ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ ରଖିବା ପାଇଁ ଦାବି କରିଆସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଦାବିକୁ ୨୨ଟି ରାଜନୈତିକ ଦଳର ସମର୍ଥନ ମିଳିଛି । ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ କରିବାକୁ ବିଜେଡି ସାଂସଦମାନେ ବାରମ୍ବାର ସ୍ବର ଉଠାଇଛନ୍ତି । କେନ୍ଦ୍ର ସରକାର କିନ୍ତୁ ନିଦାବିଷ୍ଣୁ ସାଜିଛନ୍ତି ।

ଏଥର ସଂସଦର ମୌସୁମୀ ଅଧିବେଶନରେ ଏହି ଦାବି ଜୋରଦାର ହେବ । ବିଜେଡି ପୁଣିଥରେ ଏହି ବିଲ ତୁରନ୍ତ ପାସ କରିବାକୁ ସଂସଦରେ ଦାବି ଉଠାଇବ ବୋଲି ସାଂସଦ ଶର୍ମିଷ୍ଠା ସେଠୀ କହିଛନ୍ତି । ରାଜନୀତିର ସବୁ ପ୍ଲାଟଫର୍ମରେ ମହିଳାଙ୍କୁ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢ଼େଇ ଜାରି ରଖିଥିବା ବିଜେଡି ସାଂସଦ କହିଛନ୍ତି ।

ମହିଳାଙ୍କୁ ସଶକ୍ତ କରିବା ପାଇଁ ବିଜେଡି ସବୁବେଳେ କାମ କରୁଛି । ପଞ୍ଚାୟତ ଓ ପୌର ନିର୍ବାଚନରେ ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ୍‌ ଦେଇଥିଲା ବିଜେଡି । ୩୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ମଧ୍ୟରୁ ୨୧ ଜଣ ମହିଳାଙ୍କୁ ବିଜେଡି ଅଧ୍ୟକ୍ଷ ପଦରେ ବସାଇଛି । ରାଜ୍ୟର ୩ଟି ନିର୍ବାଚିତ ମହାନଗର ନିଗମ ମଧ୍ୟରୁ ୨ଟିର ମହିଳା ମେୟର ଅଛନ୍ତି । ଲୋକସଭାରେ ୨୧ ଜଣ ସାଂସଦଙ୍କ ମଧ୍ୟରୁ ୭ଜଣ ଓ ରାଜ୍ୟସଭାରେ ୨ଜଣ ମହିଳା ପ୍ରତିନିଧିତ୍ବ କରୁଛନ୍ତି ।

ବିଧାନସଭା ଓ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇଥିଲା ଦଳ । ମିଶନ ଶକ୍ତି ଜରିଆରେ ୮୦ ଲକ୍ଷରୁ ଅଧିକ ମହିଳାଙ୍କୁ ସଶକ୍ତ କରାଯାଇଛି । ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଲାଗି ଲଢ଼େଇ ଜାରି ରଖିଛି ଦଳ । ବିଜେଡି ସ୍ବରରେ ସ୍ବର ମିଳାଇଛି କଂଗ୍ରେସ । ତୁରନ୍ତ କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ ପାସ କରିବାକୁ ଦଳ ଦାବି କରିବା ସହ କେନ୍ଦ୍ର ଉପରେ ବର୍ଷିଛି ।

୨୦୧୦ରୁ ରାଜ୍ୟସଭାରେ ମହିଳା ସଂକ୍ଷଣ ବିଲ୍‌ ପାସ୍‌ ହୋଇଛି । ସେବେଠାରୁ ଲଗାତର ଭାବେ ବିଜେଡି ଲୋକସଭାରେ ମହିଳା ସଂରକ୍ଷଣ ବିଲ ପାସ୍‌ କରିବାକୁ ଦାବି କରିଆସୁଛି । ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍‌ ଦାବି ଦେଶର ରାଜନୀତିକୁ ହଲଚଲ କରିବାର ସମ୍ଭାବନା ରହିଛି ।