ରାଜ୍ୟସଭାରେ ଉପରାଷ୍ଟ୍ରପତିଙ୍କୁ ବିଜେଡିର ସ୍ବାଗତ , ଗୃହ ପରିଚାଳନାରେ ସହଯୋଗ କରିବୁ : ସସ୍ମିତ

ନୂଆଦିଲ୍ଲୀ : ରାଜ୍ୟସଭାରେ ପ୍ରଥମ ଥର ପାଇଁ ଅଧ୍ୟକ୍ଷତା କରୁଥିବା ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ବିଜେଡି ପକ୍ଷରୁ ସ୍ୱାଗତ କରିଛନ୍ତି ସାଂସଦ ଡ.ସସ୍ମିତ ପାତ୍ର । ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ସଂସଦ ମର୍ଯ୍ୟାଦା ରକ୍ଷା କରି ଗୃହ କିପରି ସୁରୁଖୁରରେ ଚାଲିପାରିବ ସେନେଇ ସବୁ ପ୍ରକାର ସହଯୋଗ କରିବେ ବୋଲି ସାଂସଦ ଡ. ପାତ୍ର ପ୍ରତିଶ୍ରୁତି ଦେଇଛନ୍ତି ।

ସଂସଦୀୟ କାର୍ଯ୍ୟଧାରାରେ ଲକ୍ଷ୍ମଣ ରେଖା ଉଲ୍ଲଘଂନ ନକରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି । ସୁପ୍ରିମୋଙ୍କ ନିର୍ଦ୍ଦେଶକୁ ଠିକ ଭାବେ ଗୃହରେ ଅନୁପାଳନ କରିବୁ ବୋଲି ସସ୍ମିତ ପ୍ରତିଶ୍ରୁତି ଦେଇଛନ୍ତି । ସସ୍ମିତ ତାଙ୍କ ଅଭିଭାଷଣରେ ଉପରାଷ୍ଟ୍ରପତି ଧନଖଡଙ୍କୁ ଅନୁଭବି, ଜ୍ଞାନର ଭଣ୍ଡାର କହିବା ସହ ତାଙ୍କର ମାନବିକତା ଦିଗ ପ୍ରତି ଉଲ୍ଲେଖ କରିଛନ୍ତି ।

ବିଜନେସ ଆଡଭାଇଜାରୀ କମିଟି ବୈଠକରେ ପ୍ରଥମେ ବିରୋଧୀ, ତା’ପରେ ଶାସକ ଏବଂ ଶେଷରେ ପୁଣି ବିରୋଧିଙ୍କୁ ଶୁଣିବେ ବୋଲି ଉପରାଷ୍ଟ୍ରପତି ଦେଇଥିବା ବକ୍ତବ୍ୟକୁ ବିଜେଡି ତରଫରୁ ସ୍ୱାଗତ କରାଯାଇଛି । ଶୂନ୍ୟକାଳ, ସ୍ପେଶାଲ ମେନସନ ସମୟରେ ଆଞ୍ଚଳିକ ଦଳଗୁଡିକୁ ଅଧିକ ସୁଯୋଗ ଦେବା ପାଇଁ ସସ୍ମିତ ଅନୁରୋଧ କରିଛନ୍ତି । ଅଭିଭାଷଣ ଶେଷରେ ଓଡ଼ିଆରେ ଅଧ୍ୟକ୍ଷଙ୍କୁ ସ୍ୱାଗତ, ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ସସ୍ମିତ ପାତ୍ର । ସସ୍ମିତ ପାତ୍ର ଗତକାଲି ପୁଣି ଥରେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନିତ ହୋଇଛନ୍ତି ।