spot_img

Latest Posts

ମହାନଦୀକୁ ନେଇ ନ୍ୟାୟ ନମିଳିଲେ ଦୁର୍ବାର ଆନ୍ଦୋଳନ ହେବ: ବିଜେଡି

ମହାନଦୀକୁ ନେଇ ନ୍ୟାୟ ନମିଳିଲେ ଦୁର୍ବାର ଆନ୍ଦୋଳନ ହେବ: ବିଜେଡି

ନନ୍ଦିଘୋଷ ବ୍ୟୁରୋ: ମହାନଦୀ ଜଳ ବିବାଦର ସ୍ଥାୟୀ ସମାଧାନ ହେବ ତ ? ଏ ନେଇ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସରକାରଙ୍କ ଆନ୍ତରିକତା କେତେ ? ୨୦୨୬ ଏପ୍ରିଲରେ ଟ୍ରିବ୍ୟୁନାଲଙ୍କ କାର୍ଯ୍ଯକାଳ ସରୁଛି । ଅଥଚ ଏ ଯାଏଁ ଉଭୟ ରାଜ୍ୟ ପକ୍ଷରୁ ଟ୍ରିବ୍ୟୁନାଲଙ୍କ ଅବଧି ବୃଦ୍ଧି ପାଇଁ କୌଣସି ଦରଖାସ୍ତ ମିଳିଲାନି । ମହନଦୀ ଜଳବିବାଦ ମାମଲା ପରିଚାଳନା ନେଇ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ଉପରେ ଆଜି ଅସନ୍ତୋଷ ଝାଡ଼ିଛନ୍ତି ମହାନଦୀ ଟ୍ରିବ୍ୟୁନାଲ । ସେପଟେ ରାଜ୍ୟ ନ୍ୟାୟ ନପାଇଲେ ଆଗକୁ ଦୁର୍ବାର ଆନ୍ଦୋଳନ କରାଯିବା ନେଇ ବିଜେଡି ଚେତାବନୀ ଦେଇଛି ।

ଟ୍ରିବ୍ୟୁନାଲ ରେଜିଷ୍ଟ୍ରାର ଓଡ଼ିଶାର ଓକିଲ ମହେଶ ଅଗ୍ରୱାଲଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି, ଆସନ୍ତା ଫେବ୍ରୁଆରୀ ୭ ତାରିଖରେ ଟ୍ରିବ୍ୟୁନାଲ ଜଳ ବିବାଦ ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । କିନ୍ତୁ ସେଦିନ ଟ୍ରିବ୍ୟୁନାଲରେ ଉପସ୍ଥିତ ରହିପାରିବେନି ବୋଲି ଗତ ୧୭ ତାରିଖରେ ଚିଠି ଲେଖି ଓଡ଼ିଶା ସରକାରଙ୍କ ଆଡଭୋକେଟ ଜେନେରାଲ ଜଣାଇଥିଲେ । ସବୁ ଦିଗରୁ ବିଚାର କରି ଟ୍ରିବ୍ୟୁନାଲ ଏହାକୁ ଅଗ୍ରାହ୍ୟ କରିଛନ୍ତି । ଚିଠିରେ ରେଜିଷ୍ଟ୍ରାର ଜଣାଇଛନ୍ତି ଫେବ୍ରୁଆରୀ ୭ ତାରିଖରେ ହେବାକୁ ଥିବା ଟ୍ରିବ୍ୟୁନାଲଙ୍କ ଶୁଣାଣିରେ ସେପରି କୌଣସି ବଡ଼ ଧରଣର ନିଷ୍ପତ୍ତି ହେବାର ନାହିଁ । ତେଣୁ ଓଡ଼ିଶା ଆଡଭୋକେଟ ଜେନେରାଲଙ୍କ ଉପସ୍ଥିତି ଆବଶ୍ୟକ କରୁନି । ଆଡଭୋକେଟ ଜେନେରାଲଙ୍କ ଅନୁପସ୍ଥିତିରେ ମାମଲାର ଶୁଣାଣି ହୋଇପାରିବ । ସେପଟେ ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ଦାବି ନେଇ ସରକାରଙ୍କ ତତ୍ପରତା ନଥିବା ଅଭିଯୋଗ କରିଛି ମହନଦୀ ବଞ୍ଚାଅ ଆନ୍ଦୋଳନ ।

ଟ୍ରିବ୍ୟୁନାଲଙ୍କ ଚିଠି ଉପରେ ପ୍ରତିକ୍ରିୟା ରଖି ମଞ୍ଚର ଆବାହକ ଅଭିଯୋଗ କରିଛନ୍ତି ମହାନଦୀ ଜଳ ବିବାଦର ସମାଧାନ ନେଇ ଓଡ଼ିଶା ସରକାରଙ୍କ ଆନ୍ତରିକତା ଥିବା ପରି ଜଣାପଡ଼ୁନି । ଖରାଦିନ ଦୂରେ ଥାଉ,ଏବେ ବର୍ଷ ଆରମ୍ଭରୁ ମହାନଦୀର ଓଡ଼ିଶା ପଟେ ନଦୀ ଗର୍ଭ ଶୁଖିଗଲାଣି । ରାଜ୍ୟରେ ଉତ୍ତର ଓ ପଶ୍ଚିମ ଜିଲ୍ଲାଗୁଡ଼ିକରେ ଏବେଠୁ ଉତ୍କଟ ଜଳାଭାବ ଦେଖାଦେଲାଣି । ଆଗକୁ ଗ୍ରୀଷ୍ଣଋତୁ ଆରମ୍ଭ ହେଲେ ସ୍ଥିତି ଆହୁରି ସଙ୍ଗୀନ ହେବ । ଏସବୁ କଥା ରାଜ୍ୟ ସରକାର ଅବଗତ ଥାଇ କାହିଁକି ଟ୍ରିବ୍ୟୁନାଲର ଅବଧି ବୃଦ୍ଧି କରିବା ନେଇ ଢିଲାପଣ କରୁଛନ୍ତି ବୁଝିହେଉନାହିଁ । ଏହି ମାମଲା ଦୁଇଟି ରାଜ୍ୟ ମଧ୍ୟରେ ଚାଲିଛି । ମୁଖ୍ୟତଃ ଓଡ଼ିଶାର ସ୍ବାର୍ଥ ରକ୍ଷା ହୋଇ ନପାରିଲେ ଏଭଳି ଦିନ ସିନା ଗଡ଼ୁଥିବ କିନ୍ତୁ ରାଜ୍ୟ ନ୍ୟାୟ ପାଇବନି । ବିଜେପି ସରକାର ଆସିବା ପରଠୁ ମହନଦୀ ଜଳ ବିବାଦର ସମାଧାନ ପାଇଁ ଓଡ଼ିଶା ସରକାର ମନ୍ତ୍ରୀସ୍ତରୀୟ କମିଟି ଓ ସର୍ବଦଳୀୟ ବୈଠକ ଡାକି କାହିଁକି ଚୁପ ବସିଛନ୍ତି ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ପ୍ରଶ୍ନ କରିଛି ।

ଅନ୍ୟପଟେ ବିଜେଡି ପିଏସି ବୈଠକ ପରେ କହିଛି, ସରକାର ଡାକିଥିବା ସର୍ବଦଲୀୟ ବୈଠକରେ ଯୋଗ ଦେବ । ଯଦି ରାଜ୍ୟ ନ୍ୟାୟ ନପାଏ ତେବେ ଆଗକୁ ଦୁର୍ବାର ଆନ୍ଦୋଳନ ହେବ ବୋଲି ପିଏସି ସଦସ୍ୟ ସଞ୍ଜୟ ଦାସ ବର୍ମା କହିଛନ୍ତି ।

Latest Posts

Don't Miss