ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି

1 min read
BJD Tribute Legend Biju Patnaik At Party Office

ଭୁବନେଶ୍ୱର: ଭାରତବର୍ଷ ମୁକ୍ତି ଆନ୍ଦୋଳନର ଅନନ୍ୟ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୨୪ ତମ ପବିତ୍ର ଶ୍ରାଦ୍ଧ ଦିବସ ଆଜି ରାଜ୍ୟବ୍ୟାପୀ କୋଭିଡ୍ କଟକଣାରେ ପାଳିତ ହୋଇଯାଇଛି । ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ଟୁକୁନି ସାହୁ, ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ, ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ପ୍ରମୁଖ ବିଜୁ ପଟ୍ଟନାୟକଙ୍କର ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ପ୍ରବାଦ ପୁରୁଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ କହିଛନ୍ତି, ବିଜୁ ବାବୁ ଥିଲେ ଜଣେ ଉତ୍ତୁଙ୍ଗ ନେତୃତ୍ୱ । ଦିନେ ସାରା ବିଶ୍ୱକୁ ତାଙ୍କ ନେତୃତ୍ୱ ପ୍ରସାରିତ ଥିଲା । ତାଙ୍କ ଜୀବଦଶାରେ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବାର ସଂକଳ୍ପ, ଆଜି ତାଙ୍କୁ ଜଣେ କାଳଜୟୀ ନେତା ଭାବେ ମର୍ଯ୍ୟାଦା ଦେଇଛି । ସମଗ୍ର ଓଡ଼ିଆ ଜାତିର ପ୍ରାତଃସ୍ମରଣୀୟ ବିଜୁ ବାବୁ ଜୀବନବ୍ୟାପୀ ଓଡ଼ିଆ ଜାତିର ସମୃଦ୍ଧି ଓ ବିକାଶ ଲାଗି କେବଳ ଜଣେ ସମର୍ପିତ ବ୍ୟକ୍ତିତ୍ୱ ନଥିଲେ ବରଂ ସ୍ୱାଧୀନତା ପରବର୍ତ୍ତୀ ନବ ଓଡ଼ିଶା ଗଠନରେ ତାଙ୍କର ଅମ୍ଲାନ ଭୂମିକାକୁ ଓଡ଼ିଆ ଜାତି ସବୁଦିନ ସ୍ମରଣ କରିବ ।

BJD Tribute Legend Biju Patnaik At Party Office

ସମୃଦ୍ଧ ଓଡ଼ିଶା ଗଠନରେ ତାଙ୍କର ବଳିଦାନ, ଅସୀମ ତ୍ୟାଗ, ଚିନ୍ତା ଓ ଚେତନା ସବୁବେଳେ ଆମକୁ ପ୍ରେରଣା ଦେଉଥିବ । ଆଜି ଏହି ପବିତ୍ର ଶ୍ରାଦ୍ଧ ଦିବସରେ ଆମେ ସମସ୍ତେ ସଂକଳ୍ପ ନେବା ବିଜୁ ବାବୁଙ୍କ ସ୍ୱପ୍ନର ଓଡ଼ିଶା ଗଠନରେ ପୁଣିଥରେ ନିଜକୁ ସମର୍ପିତ କରିବା । ଏହାସହ ଆମ ବ୍ୟକ୍ତିଗତ ଜୀବନରେ ଓଡ଼ିଆ ଜାତି ଗଠନ ପାଇଁ ପ୍ରବାଦ ପୁରୁଷ ଦେଖିଥିବା ସ୍ୱପ୍ନକୁ ଯଦି ଆମେ କିଛି ପରିମାଣରେ ରୂପାୟିତ କରିପାରିବା, ତାହା ହିଁ ବିଜୁ ପଟ୍ଟନାୟକଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ଦଳର ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ, ବିଜୁ ବାବୁ ଓଡ଼ିଆ ଜାତିର ଚିରନମସ୍ୟ । ତାଙ୍କର ପ୍ରେରଣା, ସଂଘର୍ଷ ଆମକୁ ସବୁବେଳେ ଉଦ୍‌ବୁଦ୍ଧ କରୁଥିବ । ସେ ଥିଲେ ଜାତୀୟତାର ପ୍ରତୀକ । ସମୃଦ୍ଧ ଓଡ଼ିଶା ଗଠନରେ ତାଙ୍କର ସମଗ୍ର ଜୀବନ ସମର୍ପିତ ଥିଲା । ଆଜି ପବିତ୍ର ଶ୍ରାଦ୍ଧ ଦିବସରେ ତାଙ୍କର ଅମ୍ଲାନ ପ୍ରତିଭା ପ୍ରତି ଶ୍ରଦ୍ଧା ନିବେଦନ କରୁଛୁ । ଏହି ଅବକାଶରେ ରାଜ୍ୟବ୍ୟାପୀ ସମସ୍ତ ନିର୍ବାଚନମଣ୍ଡଳୀ, ଜିଲ୍ଲା ସଦର ମହକୁମାରେ ପ୍ରବାଦ ପୁରୁଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ ।

ଏହି ଅବସରରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । କରୋନା ମହାମାରୀର ଏହି ସଂକଟ ସମୟରେ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ପ୍ରବାଦ ପୁରୁଷଙ୍କର ୨୪ତମ ଶ୍ରାଦ୍ଧ ଉତ୍ସବକୁ ସମ୍ପୂର୍ଣ୍ଣ ଭାବେ ନିରାଡ଼ମ୍ବର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କରୋନା କଟକଣାକୁ ଅନୁପାଳନ କରି ଭୁବନେଶ୍ୱରଠାରୁ ଆରମ୍ଭ କରି ରାଜ୍ୟବ୍ୟାପୀ ବିଜୁ ପଟ୍ଟନାୟକଙ୍କର ଅଗଣିତ ଶୁଭେଚ୍ଛୁ, ପ୍ରେମୀ ଏବଂ ବିଜୁ ଜନତା ଦଳର କର୍ମୀ ଏହି ମହାର୍ଘ୍ୟ ଉତ୍ସବକୁ ପାଳନ କରିଥିବାରୁ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ସମସ୍ତଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଛନ୍ତି ।

Leave a Reply