‘ଆସନ୍ତା ୨୫ରେ ଶଙ୍ଖ ଭବନରେ ବିଜେଡିର ନିର୍ବାଚିତ ସଦସ୍ଯ ତାଲିମ ନେବେ’

ଭୁବନେଶ୍ୱର:  ଅଗଷ୍ଟ ୨୫ତାରିଖ ରବିବାର ସକାଳ ୧୦ଟାରେ ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଶଙ୍ଖ ଭବନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ନୂଆ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ବରିଷ୍ଠ ବିଧାୟକମାନେ ନୂଆ ସଦସ୍ୟମାନଙ୍କୁ ବିଧାନସଭାର କାର୍ଯ୍ୟଶୈଳୀ ସମ୍ପର୍କରେ ପ୍ରଶିକ୍ଷଣ ଦେବେ ବୋଲି କହିଛନ୍ତି ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ।

ପ୍ରତାପ ଦେବ କହିଛନ୍ତି, ଶନିବାରଠାରୁ ଆରମ୍ଭ ହୋଇଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବିଜେଡି ବର୍ଜନ କରିଛି। ଏହା ଦଳର ନିଷ୍ପତ୍ତି। ଆମେ କେବେ କୌଣସି ବ୍ୟକ୍ତି ବିଶେଷଙ୍କୁ ବିରୋଧ କରୁନାହୁଁ। ଆମେ ପଦ ମର୍ଯ୍ୟାଦାର କଥା କହୁଛୁ। ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି ଉଦଘାଟକ ବା ମୁଖ୍ୟ ଅତିଥି ହେବା କଥା କହୁଛୁ। ପରମ୍ପରା ନୀତି ନିୟମ ବଦଳିବା କଥା ନୁହେଁ। ଆମେ କହିବା ପରେ ଏହି କାର୍ଯ୍ୟକ୍ରମ ଅତିଥି ତାଲିକା ପରିବର୍ତ୍ତନ ହୋଇଛି। ହେଲେ ଏବେ ବି କେନ୍ଦ୍ରମନ୍ତ୍ରୀ ମୁଖ୍ୟ ଅତିଥି ହେଇଛନ୍ତି। ଏହା ମୁଖ୍ୟମନ୍ତ୍ରୀ ପଦ ପ୍ରତି ଅବମାନନା। ଆଗାମୀ ପିଢି ପାଇଁ ନୀତି ନିୟମ ପରମ୍ପରା ବଦଳିବା ଉଚିତ ନୁହେଁ ବୋଲି କହିଛନ୍ତି ପ୍ରତାପ ଦେବ।