ମହିଳାଙ୍କ ସୁରକ୍ଷା ଦାବିରେ ଆସନ୍ତାକାଲି ଏସପି ଅଫିରେ ଦାବିପତ୍ର ପ୍ରଦାନ କରିବ ବିଜେଡି

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ମହିଳାଙ୍କ ବିରୋଧରେ ପ୍ରତିଦିନ ବଢ଼ିଚାଲିଛି ନିର୍ଯାତନା । ଓଡ଼ିଶାରେ ନିଜକୁ ଅସୁରକ୍ଷିତ ମଣିଲେଣି ମହିଳା । ମହିଳାଙ୍କ ସୁରକ୍ଷା ନେଇ ବାରମ୍ବାର ଅନୁରୋଧ କରାଗଲେ ମଧ୍ୟ କିଛି ସୁଫଳ ମିଳୁ ନଥିବା ଅଭିଯୋଗ କରିଛି ବିଜେଡି । ପୋଲିସ ଏବେ ଗୁଣ୍ଡା ସାଜିଛି । ପୋଲିସ ପ୍ରତି ଅପରାଧୀଙ୍କ ଭୟ ନାହିଁ। ଓଡ଼ିଶାର ଗର୍ବ ଓ ଗୌରବକୁ ମାଟିରେ ମିଶାଇ ଦେଲାଣି ବିଜେପି ସରକାର । ତେଣୁ ମହିଳାଙ୍କୁ ସୁରକ୍ଷା ପ୍ରଦାନ ଦାବିରେ ଆସନ୍ତାକାଲି ସବୁ ଏସପି ଅଫିସରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯିବ । ଯଦି ସରକାର ନ ଚେତିବେ, ତେବେ ଆନ୍ଦୋଳନକୁ ଗାଁ ଗାଁରେ ଜୋରଦାର କରିବାକୁ ଚେତାବନୀ ଦେଇଛି ବିଜେଡି ।

ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀରୁ ସୁରକ୍ଷିତ ନାହାନ୍ତି ପର୍ଯ୍ୟଟକ । ସବୁ ଥାନାରେ ନାହିଁ ମହିଳା ଓ ଶିଶୁ ଡେସ୍କ । ଯେଉଁଠି ଅଛି, ସେଠାରେ ପୁରୁଷ ପୋଲିସ ବସୁଛନ୍ତି । ଗୋପାଳପୁର ବେଳାଭୂମି ଦୁଷ୍କର୍ମଠାରୁ ଆରମ୍ଭ କରି ପୁରୀ ବାଲିହରଚଣ୍ଡୀ ଦୁଷ୍କର୍ମ ଘଟଣାରେ ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ସରକାର । ବାଲେଶ୍ବର ଓ ବଳଙ୍ଗା ପୀଡିତାଙ୍କ ଦେହାନ୍ତ ପରେ ବି ଚେତିଲାନି ବିଜେପି ସରକାର । ଏପରି ସ୍ଥଳେ ପୋଲିସ ଡିଜି କହୁଛନ୍ତି ମହିଳାଙ୍କୁ ସୁରକ୍ଷା ଦେବାକୁ ପୋଲିସ ଫୋର୍ସ କମ୍ ଅଛନ୍ତି । ତେଣୁ ମହିଳାଙ୍କ ସୁରକ୍ଷା ପାଇଁ ବିଜୁ ଜନତା ଦଳ ରାଜରାସ୍ତାରେ ଲଢ଼େଇ କରିବ ବୋଲି ଚେତାବନୀ ଦେଇଛି ।

ସେହିପରି ମହିଳା ସୁରକ୍ଷା ପ୍ରସଙ୍ଗ ନେଇ ରାଜ୍ୟ ସରକାର ଉପରେ ବର୍ଷିଲା କଂଗ୍ରେସ । ପ୍ରେସମିଟ କରି ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ମୁଖପାତ୍ର ସୋନାଲି ସାହୁ । କହିଛନ୍ତି, ଓଡ଼ିଶାରେ ମହିଳା ଅସୁରକ୍ଷିତ । ବିହାର, ଉତ୍ତରପ୍ରଦେଶ ଭଳି ହୋଇଗଲାଣି ଓଡ଼ିଶା । ସରକାର ମହିଳାଙ୍କ ସୁରକ୍ଷା ନେଇ ସମ୍ବେଦନଶୀଳ ନୁହନ୍ତି । ବ୍ରହ୍ମଗିରି ବାଲିହରଚଣ୍ଡୀ ପର୍ଯ୍ୟଟନସ୍ଥଳୀରେ ଜଣେ ଛାତ୍ରୀଙ୍କୁ ପୁରୁଷ ବନ୍ଧୁଙ୍କ ସାମ୍ନାରେ ଗଣବଳାତ୍କାର କରାଗଲା । ପର୍ଯଟନସ୍ଥଳୀରେ ଗଣ ବଳାତ୍କାର ଘଟଣା ସଭିଙ୍କୁ ଚକିତ କରିଛି । ପର୍ଯ୍ୟଟନସ୍ଥଳୀରେ ସୁରକ୍ଷା ଦେବାକୁ କହିଥିଲେ ମଧ୍ୟ ସରକାର କାହିକିଁ ସୁରକ୍ଷା ଯୋଗାଇ ପାରୁନାହାନ୍ତି । ଓଡ଼ିଶାରେ ପର୍ଯଟନସ୍ଥଳୀ ଦୁଷ୍କର୍ମକାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏହାର ଜବାବ ରଖନ୍ତୁ ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସୁରକ୍ଷା କଥା କୁଆଡେ ଗଲା ? ଠେଙ୍ଗା ବାହିନୀ କୁଆଡେ ଗଲେ ? ବାଲିହରଚଣ୍ଡୀ ଘଟଣାରେ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରି ପାରିଲା ହେଲେ ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ପୋଲିସ ହାତ ଖାଲି । କେବଳ ସେତିକି ନୁହେଁ ଭୁବନେଶ୍ୱରର ଜଣେ ମହିଳା ଟ୍ରାଫିକ ପୋଲିସ ୧୧ ଦିନ ହେଲାଣି ନିଖୋଜ ହୋଇଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରିପାରିନି ପୋଲିସ । ଭଦ୍ରକ, ବ୍ରହ୍ମପୁର, ଚାନ୍ଦବାଲି, କୁଚିଣ୍ଡା ଘଟଣାରେ ବିଜେପିର ସମ୍ପୃକ୍ତି ରହିଛି । ସରକାର ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ଆଣିଛି ମହିଳା କଂଗ୍ରେସ ।