ପୋଲିସ ବର୍ବରତାକୁ ବିରୋଧ କରି ଆସନ୍ତାକାଲି ରାଜଭବନ ଆଗରେ ବିକ୍ଷୋଭ କରିବ ବିଜେଡି

1 min read

ଭୁବନେଶ୍ବର : ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ପୋଲିସ ବର୍ବରତାକୁ ବିରୋଧ କରି ଆସନ୍ତାକାଲି ରାଜଭବନ ଆଗରେ ବିକ୍ଷୋଭ କରିବ ବିଜେଡି । ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନ୍ୟାୟ ଦେବା ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେବ ବିଜେଡି । ଶଙ୍ଖ ଭବନରେ ବିଜେଡି ନେତ୍ରୀ ସୁଲତା ଦେଓ, ମେୟର ସୁଲୋଚନା ଦାସ ଓ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ମିଳିତ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି  । ଏହାସହ ରାଜ୍ଯରେ ଭୁଶୁଡି ପଡିଥିବା ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ବର୍ଷିଛନ୍ତି ବିଜେଡି ମହିଳା ଟିମ । ରାଜ୍ଯ ସରକାରଙ୍କୁ ଘେରିଛନ୍ତି ବିଜେଡି ନେତ୍ରୀ ସୁଲତା ଦେଓ, ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ରାଜ୍ୟପାଳଙ୍କ ପୁଅ ଓଡିଆ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ଯଦି ସରକାର କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ  ତେବେ ଆଜି ଏହି ମେଜର ଓ ବାନ୍ଧବୀ ଘଟଣା ଘଟିନଥାନ୍ତା l ଶହେ ଦିନରେ ଓଡିଶାର ଛବି ସାରା ଭାରତ ବର୍ଷରେ ତଳକୁ ଗଲାଣି ବୋଲି ସମାଲୋଚନା କରିଛନ୍ତି ବିଜେଡି ନେତ୍ରୀ ସୁଲତା ଦେଓ । ସେହିପରି ଲେଖାଶ୍ରୀ ସାମନ୍ତସିଂହାର କଟାକ୍ଷ କରି କହିଛନ୍ତି, ଥାନା ଭିତରେ ଯେପରି ଜଣେ ସଶକ୍ତ ମହିଳାଙ୍କୁ ଯେପରି ନିର୍ଯାତନା ଦିଆଗଲା ତାହା ନିନ୍ଦନୀୟ । ଯଦି ଜଣେ ସେନା ଅଧିକାରୀ ଓ ତାଙ୍କର ବାନ୍ଧବୀଙ୍କୁ ପୋଲିସ ନିର୍ଯ୍ୟାତନା ଦେଇ ପାରୁଛନ୍ତି ତେବେ ରାଜ୍ୟରେ ସାଧାରଣ ଲୋକଙ୍କ ପ୍ରତି କି ଅତ୍ୟାଚାର ହେଉଥିବ ତାହା ଏଥିରୁ ଜଣାପଡୁଛି l ପୂର୍ବ ସରକାର ‘ମୋ ସରକାର’ ଜରିଆରେ ସବୁ ଥାନାକୁ ନିୟନ୍ତ୍ରଣରେ ରଖିଥିଲେ l କିଏ ଥାନାକୁ ଆସୁଥିଲା ତାହା ଆଗରୁ ଜଣାପଡୁଥିଲା l ରାଜ୍ଯ ସରକାର ଆଜି ଏ ଘଟଣାକୁ ଲୁଚାଇବାକୁ ଚାହୁଁଛନ୍ତି l ମୋହନ ସରକାର ଏକ ଦୁର୍ବଳ ସରକାର l ଥାନା ଭିତରେ ସେନା ଅଧିକାରୀଙ୍କୁ ମାଡ଼ ମାରିବା କଣ ଓଡିଆ ଅସ୍ମିତା ବୋଲି ପଚାରିଛନ୍ତି ଲେଖାଶ୍ରୀ  l ଯେଉଁମାନେ ରାଷ୍ଟ୍ରକୁ ସୁରକ୍ଷା ଦେଉଛନ୍ତି, ବିଜେପି ରାଷ୍ଟ୍ରବାଦୀ ଦଳ ହୋଇ କିପରି ସେନା ଅଧିକାରୀଙ୍କୁ ଥାନାରେ ମାଡ଼ ମାରିଲେ ?  ଏ ସରକାର କେବକ ଦିନ ପାଳନ କରିବାରେ ଲାଗିଛି l ୩୦ଦିନ, ୧୦୦ ଦିନର ମୁକୁଟ ପିନ୍ଧି ବୁଲୁଛନ୍ତି ସରକାର l ଲୋକଙ୍କ କଥା ଭୁଲି ଯାଇଛନ୍ତି ବୋଲି କଟାକ୍ଷ କରିଛନ୍ତି ଲେଖାଶ୍ରୀ । ରାଜଧାନୀରେ ମହିଳା ଅସୁରକ୍ଷିତ ବୋଲି କହି ବର୍ଷିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ।