ଚାଷୀଙ୍କ ପାଇଁ ସରକାରଙ୍କୁ ଘେରିବ ବିଜେଡି, କାଲି ରାଜଭବନ ଆଗରେ ଧାରଣା

ନନ୍ଦିଘୋଷ ବ୍ୟୁରୋ: ଚାଷୀଙ୍କ ପାଇଁ ପୁଣି ଥରେ ସ୍ବର ଉତ୍ତୋଳନ କରିବ ବିଜୁ ଜନତା ଦଳ । ରାଜ୍ୟରେ ଚାଲିଥିବା ସାର ସଙ୍କଟ ବିରୋଧରେ ଆସନ୍ତାକାଲି ବିଜେଡି ପକ୍ଷରୁ ରାଜଭବନ ଆଗରେ ଧାରଣା ଦିଆଯିବ । ସାର ପର୍ଯ୍ୟାପ୍ତ ଥିବା ନେଇ ବାରମ୍ବାର ସରକାର ଭୁଆଁ ବୁଲାଉଛନ୍ତି । ସେହିପରି କଂଗ୍ରେସ ବି ସାର ପ୍ରସଙ୍ଗରେ ସରକାରଙ୍କୁ ଘେରିଛି । ନିଜେ ଚାଷୀ ହେବା ସତ୍ତ୍ବେ ସାର ନ ପାଇବାରୁ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ସେପଟେ ବିଜେପି ଚାଷୀଙ୍କ ପାଇଁ ସବୁଠୁ ସମ୍ବେଦନଶୀଳ ବୋଲି ଦାବି କରିଛନ୍ତି ସରକାର ।

ସରକାରଙ୍କ ସାର ମହଜୁଦ ଦାବି ଧୂଆଁବାଣ । ଏ ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ପହଞ୍ଚି ପାରିଲାନି ଆବଶ୍ୟକ ସାର । ସାର ପାଇଁ ଡହଳବିକଳ ହେଉଛନ୍ତି ଚାଷୀ । ସାର ନିଅଣ୍ଟ ପ୍ରସଙ୍ଗରେ ଆସନ୍ତାକାଲି ରାଜ୍ୟ ସରକାରଙ୍କୁ ଘେରିବ ପ୍ରମୁଖ ବିରୋଧୀ ବିଜୁ ଜନତା ଦଳ । ସମବାୟ ବିଭାଗର ତଥ୍ୟ କହୁଛି, ରାଜ୍ୟରେ ସାର ନିଅଣ୍ଟିଆ ରହିଛି । ସାର ଯୋଗାଣକୁ ବ୍ୟବସ୍ଥିତ ଓ କଳାବଜାରୀ ରୋକିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ହେଲେ ସରକାର ସମୀକ୍ଷା ନାଁରେ କେବଳ ଅସତ୍ୟ କହି ଚାଲିଛନ୍ତି । ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ରାଜ୍ୟର କୃଷକ ସମାଜକୁ ସରକାର ଭୁଆଁ ବୁଲାଉଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ହେଲେ କୌଣସି ସମାଧାନର ରାସ୍ତା ବାହାରି ନାହିଁ ।

ବିଜେଡି ପରି କଂଗ୍ରେସ ବି ସାର ସଙ୍କଟରେ ସରକାରଙ୍କୁ ଦାୟୀ କରିଛି । ଖୋଦ୍ କଂଗ୍ରେସ ବିଧାୟକ ଦଳ ନେତା ଚାଷ କାମ ପାଇଁ ସାର ନ ପାଇବାରୁ ଉଦବେଗ ପ୍ରକାଶ କରିଛନ୍ତି । ଏହାକୁ ବିଧାନସଭାରେ ଉପସ୍ଥାପନ କରି ସେ ସରକାରଙ୍କଠାରୁ ଉତ୍ତର ମାଗିବେ । ସେପଟେ ଚାଷୀଙ୍କୁ ୮୦୦ ଟଙ୍କାର ଇନପୁଟ ସବସିଡି ଦିଆଯାଉଥିବାରୁ ଚାଷୀଙ୍କ ହିତାକାଂକ୍ଷୀ ବୋଲି ଦାବି କରିଛନ୍ତି ସରକାର ।

ସାର ନିଅଣ୍ଟ ସ୍ଥିତି ଯୋଗୁ କୃଷକମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜରାସ୍ତାକୁ ଓହ୍ଲାଉଛନ୍ତି । ଦୀର୍ଘ ଦିନ ଧରି ୟୁରିଆ ଅଭାବ ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ଧାରକରଜ କରିଥିବା ଚାଷୀଙ୍କୁ ଚିନ୍ତା ଘାରୁଛି । ପୂର୍ବ ସରକାର ସମୟରେ ଏପାରି ହେଉ ନଥିବା ସେମାନେ କହିଛନ୍ତି ।

ରାଜ୍ୟର ୭୦ ପ୍ରତିଶତ ଲୋକଙ୍କ ଜୀବିକା କୃଷି ଉପରେ ନିର୍ଭର କରେ । ସରକାରଙ୍କ ବେପରୁଆ ମନୋଭାବ ଯୋଗୁଁ ସାରର ନିଅଣ୍ଟିଆ ସ୍ଥିତି ସୃଷ୍ଟି ହୋଇଛି । ଚାଷୀଙ୍କ ସ୍ବାର୍ଥ ରକ୍ଷା ପାଇଁ ବିଜୁ ଜନତା ଦଳ ସ୍ବର ଉତ୍ତୋଳନ କରିବ । ଯଦି ସାର ସମସ୍ୟା ଲାଗି ରହେ, ଆଗାମୀ ଦିନରେ ରାଜ୍ୟର ପ୍ରତି ବ୍ଲକରେ ବିଜେଡି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ।