ସଂସଦ ବଜେଟ ଅଧିବେଶନ ପୂର୍ବରୁ ବିଜେଡି ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ନବୀନ

1 min read

ଭୁବନେଶ୍ବର: ସଂସଦ ବଜେଟ ଅଧିବେଶନ ଲାଗି ଆସନ୍ତା ୨୮ ତାରିଖରେ ବସିବ ବିଜେଡି ସଂସଦୀୟ ଦଳ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ବଜେଟ ଅଧିବେଶନ ନେଇ ପ୍ରସ୍ତୁତ ହେବ ରଣନୀତି । ରାଜ୍ୟ ସ୍ବାର୍ଥ ସହ ବିଭିନ୍ନ ଜାତୀୟ ସ୍ତରର ପ୍ରସଙ୍ଗରେ ଦଳର ଆଭିମୁଖ୍ୟ କ’ଣ ରହିବ ସେ ନେଇ ଆଲୋଚନା ହେବ l ବିଶେଷ କରି ୱାନ ନେସନ ୱାନ ଇଲେକ୍ସନ ନେଇ ଦଳର ଆଭିମୁଖ୍ୟ କ’ଣ ହେବ ତର୍ଜମା ଚାଲିଛି । ଆସନ୍ତା ୩୧ ତାରିଖରେ ସର୍ବଦଳୀୟ ବୈଠକ ବସିବ। ତା’ପୂର୍ବରୁ ବିଜେଡିର ଆଭିମୁଖ୍ୟ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ କେନ୍ଦ୍ରର ବଜେଟ ଅଧିବେଶନ ।

୨୮ ତାରିଖରେ ବିଜେଡି ସଂସଦୀୟ ଦଳ ବୈଠକ । ରାଜ୍ୟ ସ୍ବାର୍ଥ ଲଢ଼େଇ ପାଇଁ ଚୂଡାନ୍ତ ହେବ ରଣନୀତି । ୱାନ ନେସନ ୱାନ ଇଲେକ୍ସନ ଆଭିମୁଖ୍ୟ ନେଇ ହେବ ଚର୍ଚ୍ଚା । ସଂସଦର ବଜେଟ ଅଧିବେଶନ ନେଇ ବିଜେଡିର ସଜବାଜ । ଆସନ୍ତା ୨୮ରେ ସନ୍ଧ୍ୟା ୬ଟାରେ ବସିବ ବିଜେଡି ସଂସଦୀୟ ଦଳ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ହେବାକୁ ଥିବା ଏହି ବୈଠକରେ ଦଳର ୭ ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ନବୀନ ।

ଶୀତ ଅଧିବେଶନରେ ବିଜେଡିର ୭ ସାଂସଦଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା । ବଜେଟ ଅଧିବେଶନରେ ସାଂସଦ ରାଜ୍ୟ ସ୍ବାର୍ଥ ପ୍ରସଂଗକୁ କିପରି ଶାଣିତ କରିବେ ତାହା ଉପରେ ବୈଠକରେ ଫୋକସ ରହିବ । ରାଜ୍ୟର ସ୍ଵାର୍ଥ ସମ୍ବଳିତ ପ୍ରସଙ୍ଗକୁ ଗୃହରେ ଉଠାଇ ହକ ପାଇଁ ଆରପାର ଲଢେଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବିଜେଡି ସାଂସଦ । ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା, ପୋଲାଭରମ, ମହାନଦୀ କୋଇଲା ରୟାଲଟି ବୃଦ୍ଧି ସହ ଅନ୍ୟ ପ୍ରମୁଖ ପ୍ରସଙ୍ଗକୁ ରାଜ୍ୟସଭାରେ ଉଠାଇବାକୁ ପ୍ରସ୍ତୁତ ହେଉଛନ୍ତି । ଓଡ଼ିଶାର ସ୍ଵର ସାଜି ସଂସଦରେ ହକ ପାଇଁ ଲଢେଇ ଜାରି ରଖିବେ ବୋଲି କହିଛନ୍ତି ସାଂସଦ ସୁଲତା ଦେଓ ।

ରାଜ୍ୟ ସ୍ବାର୍ଥ ସମେତ ବିଜେଡିର ୭ ସାଂସଦ ବିଭିନ୍ନ ଜାତୀୟ ପ୍ରସଂଗରେ ମଧ୍ଯ ଶାଣିତ ସ୍ବର ଉପସ୍ଥାପନ କରିବେ । ଆସନ୍ତା ୩୧ ତାରିଖରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଥିବାବେଳେ ସେହିଦିନ ୱାନ ନେସନ ୱାନ ଇଲେକ୍ସନ ନେଇ ଜେପିସି ବୈଠକ ବସିବ । ବିଜେଡି ସାଂସଦ ମାନସ ମଙ୍ଗରାଜ ଜେପିସିର ସଦସ୍ୟ ଅଛନ୍ତି । ଜେପିସିର ପ୍ରଥମ ବୈଠକରେ ଏନଡିଏକୁ ସବୁବେଳେ ସାଥ ଦେଇଥିବା ଜଗନ ରେଡ୍ଡୀଙ୍କ ଦଳ ଏକକ ନିର୍ବାଚନକୁ ବିରୋଧ କରିଥିଲା । ଯାହାକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି । ସୁପ୍ରିମୋ ନବୀନ ପଟ୍ଟନାୟକ ୱାନ ନେସନ ୱାନ ଇଲେକ୍ସନ ନେଇ ସ୍ପଷ୍ଟ ମତ ରଖିଥିବା କହିଛନ୍ତି ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର । ଦଳ ଏବେ ଏ ପ୍ରସ୍ତାବକୁ ତର୍ଜମା କରୁଛି । ଠିକ୍ ସମୟରେ ଦଳ ତାର ଆଭିମୁଖ୍ୟ ସ୍ପଷ୍ଟ କରିବ । ସାଂସଦମାନଙ୍କ ସହ ସୁପ୍ରିମୋ ନବୀନ ସମସ୍ତ ବିଷୟ ନେଇ ଆଲୋଚନା କରିବେ ।

ଶୀତ ଅଧିବେଶନ ପରି ବଜେଟ ଅଧିବେଶନରେ ମଧ୍ୟ ବିଜେଡ଼ି ଓଡ଼ିଶାବାସୀଙ୍କ ସ୍ବର ସାଜିବ । ଓଡ଼ିଶାର ଦୀର୍ଘଦିନର ଦାବି କେନ୍ଦ୍ର ଶୁଣୁ ନଥିବାରୁ ପୁଣି ଥରେ ରାଜ୍ୟସଭାରେ ପ୍ରମୁଖ ପ୍ରସଙ୍ଗ ଉଠାଇ ସାଂସଦମାନେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ ।