ଆସନ୍ତାକାଲି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ତିରୋଧାନ ଦିବସ, ନିରାଡ଼ମ୍ବର ଭାବେ ପାଳନ କରିବ ବିଜେଡି

BJD To Organise Blood Camp On Occasion Of 25th Death Anniversary Of Biju Babu

ଭୁବନେଶ୍ୱର: ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସକୁ  ନିରାଡ଼ମ୍ବର ଭାବେ ପାଳନ କରିବ ବିଜେଡି । ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି । ଏଭଳି ମହାନ ବ୍ୟକ୍ତିଙ୍କୁ ମରଣୋତ୍ତର ଭବେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରିବାକୁ ପୁଣି ଦାବି ଉଠିଛି ।

BJD To Organise Blood Camp On Occasion Of 25th Death Anniversary Of Biju Babu

ଏପ୍ରିଲ୍ ୧୭ ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ । ଏହି ପୁଣ୍ୟତିଥିରେ ରାଜ୍ୟବାସୀଙ୍କ ସେବା ଉଦ୍ଦେଶ୍ୟରେ ନିଜକୁ ଉତ୍ସର୍ଗ କରିବା ପାଇଁ ଦଳୀୟ କର୍ମୀ ଓ ନେତା ସଂକଳ୍ପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି । ଏହା ହିଁ ହେବ ବିଜୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ଏଥର ବିଜୁ ବାବୁଙ୍କ ତିରୋଧାନ ଦିବସ ନିରାଡ଼ମ୍ବର ଭାବେ ପାଳନ ହେବ । ଏ ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସାରା ଜୀବନ ବିଜୁ ବାବୁ ଜନସେବାକୁ ସର୍ବାଧିକ ଗୁରୁତ୍ୱ ଦେଇଥିଲେ । ସେଥିପାଇଁ ତାଙ୍କ ତିରୋଧାନ ଦିବସରେ ରାଜ୍ୟବାସୀଙ୍କ ପ୍ରତି ବିଜେଡିର ସାମାଜିକ ଦାୟିତ୍ୱ ଓ ପ୍ରତିବଦ୍ଧତା ଦୃଷ୍ଟିରୁ ପ୍ରତ୍ୟେକ ଜିଲ୍ଲା ଓ ସମସ୍ତ ନିର୍ବାଚନ ମଣ୍ଡଳୀରେ ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ସମୂହ ରକ୍ତଦାନ ଶିବିର ଆୟୋଜନ କରାଯିବ । ଏହି ରକ୍ତଦାନ କାର୍ଯ୍ୟକ୍ରମ ୧୫ ଦିନ ଧରି ଚାଲିବ । ପ୍ରଥମ ଦିନରେ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

BJD To Organise Blood Camp On Occasion Of 25th Death Anniversary Of Biju Babu

୧୯୬୨ରେ ଚୀନ ଓ ୧୯୬୫ରେ ପାକିସ୍ତାନ ସହ ଭାରତର ଯୁଦ୍ଧରେ ବିଜୁ ବାବୁ ଯେଉଁ ପରାକାଷ୍ଠା ଦେଖାଇଥିଲେ, ତାହା ସର୍ବଜନ ବିଦିତ । ସେହିପରି ଓଡ଼ିଶାର ଦାରିଦ୍ର୍ୟ ଦୂରୀକରଣ ପାଇଁ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିବା ସହିତ ନବଉତ୍କଳର ବିନ୍ଧାଣୀ ଥିଲେ ବିଜୁ ବାବୁ । ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଜୁ ବାବୁଙ୍କ ଅବଦାନ ଦେଶରେ ଉଦାହରଣ ହୋଇ ରହିଛି । ଏଭଳି ବ୍ୟକ୍ତିଙ୍କୁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ଭୂଷିତ କରିବା ପାଇଁ ଦାବି ହୋଇ ଆସୁଛି । କିନ୍ତୁ କେନ୍ଦ୍ର ସରକାର ଏହି ଦାବିକୁ ଅଣଦେଖା କରି ଆସିଛନ୍ତି । ୨୫ତମ ଶ୍ରାଦ୍ଧ ଦିବସରେ କେନ୍ଦ୍ର ସରକାର ବିଜୁ ବାବୁଙ୍କୁ ମରଣୋତ୍ତର ଭାରତ ରତ୍ନ ଦେବା ପାଇଁ ଘୋଷଣା କରନ୍ତୁ ବୋଲି ଦାବି କରିଛନ୍ତି ପୂର୍ବତନ ମନ୍ତ୍ରୀ ଓ ବୁଦ୍ଧିଜୀବୀ ।

BJD To Organise Blood Camp On Occasion Of 25th Death Anniversary Of Biju Babu

ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ସକାଳ ୬ଟା ୩୦ ମିନିଟରେ ତିଳ ତର୍ପଣ, ସକାଳ ୭ଟା ୩୦ରେ ପ୍ରଭାତଫେରୀ, ସମୂହ ସଫେଇ ଅଭିଯାନ, ସକାଳ ୮ଟା ୩୦ରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ସ୍ମୃତି ସଭା ଓ ସନ୍ଧ୍ୟା ୫ଟାରେ ଦୀପ ଦାନ ସହ ସମୂହ ସଂକଳ୍ପ ନେବାକୁ ବିଜେଡି ପକ୍ଷରୁ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି ।