ଆସନ୍ତାକାଲି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ତିରୋଧାନ ଦିବସ, ନିରାଡ଼ମ୍ବର ଭାବେ ପାଳନ କରିବ ବିଜେଡି
ଭୁବନେଶ୍ୱର: ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସକୁ ନିରାଡ଼ମ୍ବର ଭାବେ ପାଳନ କରିବ ବିଜେଡି । ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି । ଏଭଳି ମହାନ ବ୍ୟକ୍ତିଙ୍କୁ ମରଣୋତ୍ତର ଭବେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରିବାକୁ ପୁଣି ଦାବି ଉଠିଛି ।
ଏପ୍ରିଲ୍ ୧୭ ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ । ଏହି ପୁଣ୍ୟତିଥିରେ ରାଜ୍ୟବାସୀଙ୍କ ସେବା ଉଦ୍ଦେଶ୍ୟରେ ନିଜକୁ ଉତ୍ସର୍ଗ କରିବା ପାଇଁ ଦଳୀୟ କର୍ମୀ ଓ ନେତା ସଂକଳ୍ପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି । ଏହା ହିଁ ହେବ ବିଜୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ଏଥର ବିଜୁ ବାବୁଙ୍କ ତିରୋଧାନ ଦିବସ ନିରାଡ଼ମ୍ବର ଭାବେ ପାଳନ ହେବ । ଏ ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସାରା ଜୀବନ ବିଜୁ ବାବୁ ଜନସେବାକୁ ସର୍ବାଧିକ ଗୁରୁତ୍ୱ ଦେଇଥିଲେ । ସେଥିପାଇଁ ତାଙ୍କ ତିରୋଧାନ ଦିବସରେ ରାଜ୍ୟବାସୀଙ୍କ ପ୍ରତି ବିଜେଡିର ସାମାଜିକ ଦାୟିତ୍ୱ ଓ ପ୍ରତିବଦ୍ଧତା ଦୃଷ୍ଟିରୁ ପ୍ରତ୍ୟେକ ଜିଲ୍ଲା ଓ ସମସ୍ତ ନିର୍ବାଚନ ମଣ୍ଡଳୀରେ ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ସମୂହ ରକ୍ତଦାନ ଶିବିର ଆୟୋଜନ କରାଯିବ । ଏହି ରକ୍ତଦାନ କାର୍ଯ୍ୟକ୍ରମ ୧୫ ଦିନ ଧରି ଚାଲିବ । ପ୍ରଥମ ଦିନରେ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
୧୯୬୨ରେ ଚୀନ ଓ ୧୯୬୫ରେ ପାକିସ୍ତାନ ସହ ଭାରତର ଯୁଦ୍ଧରେ ବିଜୁ ବାବୁ ଯେଉଁ ପରାକାଷ୍ଠା ଦେଖାଇଥିଲେ, ତାହା ସର୍ବଜନ ବିଦିତ । ସେହିପରି ଓଡ଼ିଶାର ଦାରିଦ୍ର୍ୟ ଦୂରୀକରଣ ପାଇଁ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିବା ସହିତ ନବଉତ୍କଳର ବିନ୍ଧାଣୀ ଥିଲେ ବିଜୁ ବାବୁ । ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଜୁ ବାବୁଙ୍କ ଅବଦାନ ଦେଶରେ ଉଦାହରଣ ହୋଇ ରହିଛି । ଏଭଳି ବ୍ୟକ୍ତିଙ୍କୁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ଭୂଷିତ କରିବା ପାଇଁ ଦାବି ହୋଇ ଆସୁଛି । କିନ୍ତୁ କେନ୍ଦ୍ର ସରକାର ଏହି ଦାବିକୁ ଅଣଦେଖା କରି ଆସିଛନ୍ତି । ୨୫ତମ ଶ୍ରାଦ୍ଧ ଦିବସରେ କେନ୍ଦ୍ର ସରକାର ବିଜୁ ବାବୁଙ୍କୁ ମରଣୋତ୍ତର ଭାରତ ରତ୍ନ ଦେବା ପାଇଁ ଘୋଷଣା କରନ୍ତୁ ବୋଲି ଦାବି କରିଛନ୍ତି ପୂର୍ବତନ ମନ୍ତ୍ରୀ ଓ ବୁଦ୍ଧିଜୀବୀ ।
ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ସକାଳ ୬ଟା ୩୦ ମିନିଟରେ ତିଳ ତର୍ପଣ, ସକାଳ ୭ଟା ୩୦ରେ ପ୍ରଭାତଫେରୀ, ସମୂହ ସଫେଇ ଅଭିଯାନ, ସକାଳ ୮ଟା ୩୦ରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ସ୍ମୃତି ସଭା ଓ ସନ୍ଧ୍ୟା ୫ଟାରେ ଦୀପ ଦାନ ସହ ସମୂହ ସଂକଳ୍ପ ନେବାକୁ ବିଜେଡି ପକ୍ଷରୁ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି ।