ଆସନ୍ତାକାଲି ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ, ନେତା ଓ କର୍ମୀଙ୍କୁ ଟିପ୍ସ ଦେବେ ନବୀନ
ଭୁବନେଶ୍ବର : ଆସନ୍ତାକାଲି ୨୭ ବର୍ଷର ସେବା ଦେଇଥିବା ବିଜୁ ଜନତା ଦଳକୁ ପୂରିବାକୁ ଯାଉଛି ୨୮ ବର୍ଷ । ଦେଶର ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ବିଜେଡି ପାଳିବାକୁ ଯାଉଛି ୨୮ ତମ ପ୍ରତିଷ୍ଠା ଦିବସ । ସକାଳୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଶଙ୍ଖ ଭବନରେ ଆୟୋଜିତ ହେବ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । ଯେଉଁଥିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସକାଳ ୧୧ଟାରେ ଯୋଗ ଦେଇ ଉଦବୋଧନ ଦେବେ । ତାଙ୍କ ଉଦବୋଧନକୁ ଉତ୍ସାହ ସହ ଅପେକ୍ଷା କରିଛନ୍ତି ବିଜେଡି ନେତା ଓ କର୍ମୀ । ଶଙ୍ଖ ଭବନ ସହ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବି ପ୍ରତିଷ୍ଠା ଦିବସ ପାଳନ କରାଯିବ । ନବୀନଙ୍କ ନେତୃତ୍ବରେ ଗତ ୨୭ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାପର ଭାବେ ଜନସେବା ଯୋଗାଇ ଆସୁଛି ବିଜେଡି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିକଶିତ ଓଡ଼ିଶାର ସ୍ବପ୍ନକୁ ସାକାର କରିବାରେ ନବୀନଙ୍କ ରହିଛି ବଡ଼ ଉଦ୍ୟମ । ଯାହା ବିଜେଡିକୁ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ସହ ସାମାଜିକ ଆନ୍ଦୋଳନରେ ପରିଣତ କରିଛି । ବିକାଶର ଏଜେଣ୍ଡା ନେଇ ନବୀନ ଓଡ଼ିଶାକୁ ଆସିଥିଲେ । ଯାହା ପୂରଣ କରିବାକୁ ସେ ଦିନରାତି ଏକ କରି ଦେଇଥିଲେ । ହେଲେ ନୂଆ ସରକାର ବିକାଶର ନକଲି ମୁଖା ପିନ୍ଧି ଗତ ଛଅ ମାସରେ ରାଜ୍ୟକୁ ବିଫଳତାର ଶୀର୍ଷକୁ ଠେଲି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଲାଣି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ଦରଦାମ ବୃଦ୍ଧି, ଅନାହାର ମୃତ୍ୟୁ ପରି କଳଙ୍କ ପୁଣି ଥରେ ଓଡ଼ିଶାକୁ ଫେରୁଥିବା ଅଭିଯୋଗ ଉଠୁଛି । ସରକାରଙ୍କ ଏହି ବିଫଳତା ସହ ନବୀନ ସରକାର ସମୟର ସଫଳତା ନେଇ ଜନସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ବିଜୁ ଜନତା ଦଳ ।
ଏହି ପ୍ରତିଷ୍ଠା ଦିବସ ହେବ ସଂକଳ୍ପର ଦିନ । ବିଜେଡିକୁ ଆହୁରି ଶକ୍ତିଶାଳୀ କରି ଆହୁରି ଲୋକଙ୍କ ପାଇଁ ସମର୍ପିତ ହେବାକୁ ଶପଥ ନେବେ ଦଳୀୟ ନେତା ଓ କର୍ମୀ । ଗତ ୨୭ ବର୍ଷରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ନୂଆ ଓଡ଼ିଶା ଗଠନ ହୋଇଛି । ଯେଉଁଥି ପାଇଁ ଗତ ନିର୍ବାଚନରେ ବିରୋଧୀ ଦଳ ଜନାଦେଶ ପାଇଥିବା ସତ୍ତ୍ବେ ୪୨ ପ୍ରତିଶତ ସହ ସର୍ବାଧିକ ଭୋଟ ହାର ପାଇଥିଲା ବିଜେଡି । ସେବା ମନୋବୃତ୍ତି ନେଇ କାମ ହିଁ ଏହି ବିଶ୍ବାସର ମାଧ୍ୟମ ସାଜିଛି । ନବୀନଙ୍କ ନେତୃତ୍ବରେ ଓଡ଼ିଶାବାସୀଙ୍କ ସ୍ବାଭିମାନକୁ ରକ୍ଷା କରିବାରେ ଲାଗି ପଡ଼ିଛନ୍ତି ବିଜେଡି ନେତା ଓ କର୍ମୀ । ଆଦିବାସୀଙ୍କ ସ୍ବାର୍ଥ ରକ୍ଷା କରି ଜାନୁଆରୀରୁ ଆନ୍ଦୋଳନକୁ ଆହୁରି ଶାଣିତ କରିବ ବିଜେଡି । ଦରଦାମ ବୃଦ୍ଧି ପ୍ରତିବାଦରେ ଡବଲ ଇଂଜୀନ ସରକାରକୁ ଜାନୁଆରୀ ୬ ତାରିଖରେ ଘେରିବାକୁ ବିଜେଡି ସଜ୍ଜବାଜ ହେଉଛି । ସେହିପରି ଜାନୁଆରୀରୁ ପୋଲାଭରମ ବିରୋଧୀ ଆନ୍ଦୋଳନ ଆହୁରି ତୀବ୍ର କରିବ ବିଜୁ ଜନତା ଦଳ ।