ଗାନ୍ଧୀ ଜୟନ୍ତୀରୁ ପ୍ରତି ଗାଁରେ ପହଞ୍ଚିବ ବିଜେଡି, ରାଜ୍ୟବ୍ୟାପୀ ପଦଯାତ୍ରା କରିବେ ନେତା ମନ୍ତ୍ରୀ

ଭୁବନେଶ୍ବର: ଗାଁ ଗାଁରେ ପହଞ୍ଚିବ ବିକାଶର ବାର୍ତ୍ତା । ଜନତାଙ୍କ ପାଖକୁ ଯିବେ ନେତା, ମନ୍ତ୍ରୀ ଓ ସାଂସଦ । ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହେଉଛି ବିଜେଡିର ଜନସଂପର୍କ ପଦଯାତ୍ରା । ଜୟପ୍ରକାଶ ଜୟନ୍ତୀ ଯାଏଁ ବିଜେଡି ରାଜ୍ୟବ୍ୟାପୀ ପଦଯାତ୍ରା କରିବ । ଭୁବନେଶ୍ବର ମହାନଗର ନିଗମର ୪୪ ନମ୍ବର ଓ୍ବାର୍ଡ଼ରେ ପଦଯାତ୍ରା ଓ ୫୭ ନମ୍ବର ଓ୍ବାର୍ଡ଼ରେ ସାଧାରଣ ସଭାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।

ଜନସମ୍ପର୍କ ପଦଯାତ୍ରା ବେଳେ ବିଜୁ ଜନତା ଦଳର ସାଂସଦ, ବିଧାୟକ, କର୍ମକର୍ତ୍ତା ରାଜ୍ୟର ସମସ୍ତ ୧୪୭ ନିର୍ବାଚନ ମଣ୍ଡଳୀ, ୩୧୪ ବ୍ଲକ, ସମସ୍ତ ସହରାଞ୍ଚଳରେ ଲୋକଙ୍କ ସହ ଯୋଡ଼ି ହୋଇ ସେମାନଙ୍କ ଦୁଃଖସୁଖରେ ସାମିଲ ହେବେ । ରାଜ୍ୟ ସରକାରଙ୍କ ନିରନ୍ତର ବିକାଶର ବାର୍ତ୍ତା ପହଞ୍ଚାଇବା ସହ ଲୋକଙ୍କ ଅଭିଯୋଗ ବି ଶୁଣିବେ । ବିକାଶ ଏକ ନିରନ୍ତର ପ୍ରକ୍ରିୟା, ବିଜେଡ଼ି କ୍ଷମତାରେ ରହିବା ଦିନଠାରୁ ରାଜ୍ୟର ସାମଗ୍ରୀକ ବିକାଶ ଉପରେ ସବୁବେଳେ ଗୁରୁତ୍ବ ଦେଇଛି ।

ପଦଯାତ୍ରା ବେଳେ ସରକାରଙ୍କ ଜନକଲ୍ୟାଣ ଯୋଜନା ବାବଦରେ ଲୋକଙ୍କ ସହ ଆଲୋଚନା କରିବ ଦଳ । ଜନସମ୍ପର୍କ ପଦଯାତ୍ରାକୁ ବିଜେଡ଼ି ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନେ ଅନୁଧ୍ୟାନ କରିବେ । ରାଜ୍ୟ ସରକାରଙ୍କ ସଫଳତା ସହ ରାଜ୍ୟ ପ୍ରତି କେନ୍ଦ୍ରର ଲଗାତାର ଅବହେଳା ବାବଦରେ ବି ଲୋକଙ୍କୁ ସଚେତନ କରାଯିବ ।