ପଶ୍ଚିମବଙ୍ଗ ବିଧାନସଭାରେ ହଙ୍ଗାମା: ଟିଏମସି ଓ ବିଜେପି ବିଧାୟକଙ୍କ ମଧ୍ୟରେ ହାତାହାତି

ପଶ୍ଚିମବଙ୍ଗ ବିଧାନସଭାରେ ହଙ୍ଗାମା। ଟିଏମସି ଓ ବିଜେପି ବିଧାୟକଙ୍କ ମଧ୍ୟରେ ହାତାହାତି। ଗୃହ ମଧ୍ୟରେ ମୁହାଁମୁହିଁ ହୋଇ ଆହତ ହୋଇଛନ୍ତି ପଶ୍ଚିମବଂଗ ବିରୋଧୀ ଦଳ ମୁଖ୍ୟ ସଚେତକ ଶଙ୍କର ଘୋଷ। ବିରୋଧୀ ଦଳ ନେତା ଶୁଭେନ୍ଦୁଙ୍କ ପରେ ଏବେ ଶଙ୍କର ଘୋଷଙ୍କୁ ମଧ୍ୟ ଗୃହରୁ ନିଲମ୍ବିତ କଲେ ବାଚସ୍ପତି। ମୁଖ୍ୟ ସଚେତକ ଶଙ୍କର ଘୋଷଙ୍କୁ ନିଲମ୍ବିତ କରାଯିବା ପରେ ପଶ୍ଚିମବଙ୍ଗ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବିଜେପି ବିଧାୟକମାନେ ବିଧାନସଭା ଭିତରେ ନାରାବାଜି କରିବା ଆରମ୍ଭ କରିଦେଲେ। ପରିସ୍ଥିତି ଏତେ ବିଗିଡ଼ିଗଲା ଯେ ମାର୍ଶଲ ଏବଂ ସୁରକ୍ଷା କର୍ମୀଙ୍କୁ ଶଙ୍କର ଘୋଷଙ୍କୁ ବାହାରକୁ ଆଣିବାକୁ ପଡିଲା। ବିଜେପି ବିଧାୟକମାନେ ଘୋଷଙ୍କୁ ଘେରି ଯାଇଗଲେ। ତାଙ୍କୁ ବାହାରକୁ ଯିବାରୁ ବାରଣ କରିବାକୁ ଚେଷ୍ଟା କଲେ। ଫଳରେ ଗୃହ ଭିତରେ ଠେଲାପେଲା ହୋଇଗଲା। ବିଜେପି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ହାତାହାତି ହୋଇଥିଲା। ଏଥିରେ ବିଜେପି ମୁଖ୍ୟ ସଚେତକ ଶଙ୍କର ଘୋଷ ଆହତ ହୋଇଥିବା ଜଣାପଡ଼ିଛି। ମାମଲା ଏତେ ବଢ଼ିଗଲା ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିଧାୟକମାନଙ୍କୁ ଶାନ୍ତ କରିବାକୁ ପଡିଥିଲା। ପୂର୍ବରୁ ବିଜେପିର ମୁଖ୍ୟ ସଚେତକ ଶଙ୍କର ଘୋଷଙ୍କୁ ବିଧାନସଭାରୁ ଦିନକ ଲାଗି ନିଲମ୍ବିତ କରାଯାଇଥିଲା। ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ ନିଲମ୍ବିତ କରିଥିଲେ।